ନୂଆଦିଲ୍ଲୀ: ଆମେରିକୀୟ ଫାଇନାନ୍ସିଆଲ କମ୍ପାନୀ ଜେପିମୋରଗାନ ଚେଜ୍ ଆଣ୍ଡ କୋର ସିଇଓ ଜେମି ଡିମନ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋଦୀ ଭାରତରେ ଅବିଶ୍ୱଶନୀୟ କାର୍ଯ୍ୟ କରିଛନ୍ତି ବୋଲି ଡିମନ କହିଛନ୍ତି। ନ୍ୟୁୟ ୟର୍କର ଇକୋନୋମିକ କ୍ଲବ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡିମନ ମୋଦୀ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସୁଧାରକୁ ପ୍ରଶଂସା କରିଛନ୍ତି।
ମୋଦୀ ସରକାର ଦ୍ୱାରା ଟେକ୍ନୋଲୋଜୀ ଓ ଫାଇନାନ୍ସ କ୍ଷେତ୍ରରେ କରାଯାଇଥିବା ଉନ୍ନତ କାର୍ଯ୍ୟକୁ ଡିମନ ଉଦାହରଣ ଦେଇଛନ୍ତି। ୭୦୦ ମିଲିଅନ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଡିଜିଟାଲ୍ ପରିଚୟ ପତ୍ର ଓ ବ୍ୟାଙ୍କିଙ୍ଗ୍ ସେବାକୁ ବ୍ୟାପକ କରିବାରେ ଦିଗରେ ମୋଦୀ ସରକାରଙ୍କ କାର୍ଯ୍ୟକୁ ସେ ତାରିଫ କରିଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେହିପରି ପୁରୁଣା ହୋଇଯାଇଥିବା ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ମୋଦୀ କିଭଳି ସ୍ଥିରତା ଆଣିପାରିଛନ୍ତି ଏଥିରେ ଡିମନ ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ କଠୋର ବୋଲି କହିଛନ୍ତି।
ପଢ଼ନ୍ତୁ- ଦେଶ ପାଇଁ ନିଜ ମଙ୍ଗଳସୂତ୍ର ବଳିଦାନ ଦେଇଥିଲେ ମାଆ, ପ୍ରଧାନମନ୍ତ୍ରୀଙ୍କ ଆରୋପ ନେଇ ଜବାବ ରଖିଲେ ପ୍ରିୟଙ୍କା
ଆମେରିକାର ମଧ୍ୟ ଠିକ୍ ସେହିଭଳି ପ୍ରୟାସ ହେବା ଦରକାର। ତେବେ ଭାରତ ଠାରୁ ଆମେରିକାରେ ଏଭଳି ସୁଧାରର ଟିକେ ଅଧିକ ଆବଶ୍ୟକ ରହିଛି ବୋଲି ଡିମନ କହିଛନ୍ତି। ସେ ବିଶେଷ କରି ଭାରତର ୟୁନିଫାଏଡ୍ ଇନ୍ଡାଇରେକ୍ଟ ଟ୍ୟାକ୍ସ ସିଷ୍ଟମକୁ ପ୍ରଶଂସା କରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର କର ଆଦାୟ ଢାଞ୍ଚା ଓ ଦୁର୍ନୀତି ଉପରେ ରୋକ ଲାଗିବ ବୋଲି ଡିମନ କହିଛନ୍ତି। ମୁଁ ଏଠାକାର ନିରପେକ୍ଷ ମିଡିଆକୁ ଜାଣିଛି। ସେମାନେ ତାଙ୍କୁ ନିର୍ଦ୍ଧୁମ ସମାଲୋଚନା କରିଛନ୍ତି। ହେଲେ ମୋଦୀ ୪୦୦ ମିଲିଅନ ଲୋକଙ୍କୁ ଗରିବୀ ସୀମା ରେଖାରୁ ବାହାର କରିଛନ୍ତି।
ସେହିପରି ଆମେରିକା ଅର୍ଥନୀତିକୁ ନେଇ ଚିନ୍ତା ବ୍ୟକ୍ତ କରି ଡେମୋନ କହିଛନ୍ତି ଆମେରିକାର ମହଙ୍ଗା ସ୍ଥିତି, ଋଣ ଭାର ଓ ଭୂ ରାଜନୈତିକ ସ୍ଥିତି ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି। ଯାହା ଚିନ୍ତାର ବିଷୟ। ଆମେରିକାର ଉଚ୍ଚା ସୁଧହାର ଓ ମୁଦ୍ରାସ୍ଫୀତି ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦିନ ରହିବ। ସମାବେଶିତ ଆର୍ଥିକ ବିକାଶକୁ ଜୋର୍ ଦେଇ ଡିମନ କହିଛନ୍ତି ଯେ ଆର୍ଥିକ ସଂସ୍ଥା ଓ ନିୟାମକ ଗୁଡ଼ିକ ମଧ୍ୟରେ ସହଯୋଗ ରହିବା ଉଚିତ୍।