ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପରେ ମୋଦୀ ସରକାର କୃଷକଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି। ସରକାର ୨୦୨୫-୨୬ ସିଜିନ ପାଇଁ ରବି ସିଜିନର ୬ ଫସଲର ଏମଏସପି ବୃଦ୍ଧି ଘୋଷଣା କରିଛନ୍ତି। ଭିନ୍ନ ଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ଯଦ୍ଵାରା କୃଷକଙ୍କୁ ସେମାନଙ୍କ ଫସଲ ଉପରେ ଉପଯୁକ୍ତ ମୂଲ୍ୟ ମିଳି ପାରିବ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ଗହମ, ଚଣା ଓ ସୋରିଷ ତେଲ ସମେତ ଛଅ ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। କୃଷକଙ୍କ କଲ୍ୟାଣ ସହ ଜଡ଼ିତ ଆଜି ସବୁଠୁ ବଡ଼ ନିଷ୍ପତ୍ତି ନିଆଯାଇଛି। କୃଷକଙ୍କ କଲ୍ୟାଣ ଦିଗରେ କାମ କରିବା ପାଇଁ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି.
କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ, ଗହମ ଉପରେ ଏମଏସପି କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇ ୨୨୭୫ ଟଙ୍କାରୁ ୨୪୨୫ ଟଙ୍କା କରାଯାଇଛି। ସୋରିଷର ଏମଏସପି ୩୦୦ ଟଙ୍କା ବଢାଯାଇ ୫,୯୫୦ ଟଙ୍କା ଓ ଚଣାର ଏମଏସପି ୨୧୦ ଟଙ୍କା ବଢାଯାଇ ୫୬୫୦ ଟଙ୍କା କରାଯାଇଛି। ଏହି ପ୍ରକାର ଯ, ମସୁର ଓ କୁସୁମ ଉପରେ ଏମଏସପି କ୍ଵିଣ୍ଟାଲ ପିଛା କ୍ରମଶଃ ୧୯୮୦ ଟଙ୍କା, ୬,୭୦୦ ଟଙ୍କା ଓ ୫,୯୪୦ ଟଙ୍କା କରାଯାଇଛି।
କେତେ ବଢ଼ିଲା ଏମଏସପି ?
-ଗହମର ଏମଏସପି କ୍ଵିଣ୍ଟାଲ ପିଛା ୨,୪୨୫ ଟଙ୍କା କରାଯାଇଛି । ପୂର୍ବରୁ ୨,୨୭୫ ଟଙ୍କା ଥିଲା ।
- ଯ’ ର ଏମଏସପି କ୍ଵିଣ୍ଟାଲ ପିଛା ୧୯୮୦ ଟଙ୍କା କରିଛନ୍ତି କେନ୍ଦ୍ର ସରକାର । ପୂର୍ବେ ଥିଲା ୧୮୫୦ ଟଙ୍କା ।
-ଚଣାର ଏମଏସପି କ୍ଵିିଣ୍ଟାଲ ପ୍ରତି ୫,୬୫୦ ଟଙ୍କା ହୋଇଛି ।
-ମସୁର ଡାଲିର ଏମଏସପି ୬,୪୨୫ ଟଙ୍କାରୁ ୬,୭୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
-ସୋରିଷ କ୍ଵିିଣ୍ଟାଲ ପିଛା ୫,୬୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହାର ଏମଏସପି ୫,୯୫୦ ଟଙ୍କା ବୃଦ୍ଧି ପାଇଛି ।
-କୁସୁମର ଏମଏସପି ୫,୯୪୦ ଟଙ୍କା ପ୍ରତି କ୍ଵିିଣ୍ଟାଲ କରାଯାଇଛି । ପୂର୍ବରୁ ଥିଲା ୫,୮୦୦ ଟଙ୍କା ଥିଲା ।