ପୁରୀ: ସ୍ନାନ ଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଏହି କ୍ରମରେ ଆଜି ପୁରୀ ଟାଉନ ଥାନା ଓ ଶ୍ରୀମନ୍ଦିର ନିକଟରେ କରାଯାଇଥିଲା ମକଡ୍ରିଲ। ସ୍ନାନ ଯାତ୍ରା ଓ ରଥଯାତ୍ରା ରେ ପ୍ରବଳ ଖରା ଓ ଗୁଳୁଗୁଳିରେ ଭକ୍ତମାନେ ଅସୁସ୍ଥ ହୋଇ ପଡିଲେ କିଭଳି ତାଙ୍କୁ ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ମକଡ୍ରିଲ ହୋଇଥିଲା। ପୁରୀ ପୋଲିସ, ଅଗ୍ନିଶମ ବିଭାଗ, ସ୍ବେଚ୍ଛାସେବୀ, NDRF କୁ ନେଇ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ସେପଟେ ପୁରୀକୁ ଆସୁଥିବା ଭକ୍ତ ଓ ଯାତ୍ରୀ ମାନେ ବସ ଓ ଅଟରେ ଯେଭଳି ଅଧିକ ଆର୍ଥିକ ଶୋଷଣର ଶିକାର ନହୁଅନ୍ତି ସେନେଇ ବସ୍ ଓ ଅଟୋ ଆସୋସିଏସନ୍ ସହିତ ପୁରୀ ଏସପି ଆଲୋଚନା କରିଛନ୍ତି।
Also read: ଆସନ୍ତା ୩ ଦିନ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ, ୧୬ରୁ ବର୍ଷା ସମ୍ଭାବନା
ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ପ୍ରବଳ ଖରା ଗୁଳୁଗୁଳିରେ କିଭଳି ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ମେଡ଼ିକାଲ କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇପାରିବ ସେନେଇ ଏକ ମକଡ୍ରିଲ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ମକଡ୍ରିଲରେ ଅଗ୍ନିଶମ ବାହିନୀ, NDRF, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ ବିଭାଗ ସହ ସ୍କାଉଟ ଏବଂ ଗାଇଡର ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ଅସୁସ୍ଥ ହୋଇପଡିଥିବା ଭକ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କିଭଳି ଆମ୍ବୁଲାନ୍ସକୁ ନିଆଯାଇପାରିବ ଏବଂ ଆମ୍ବୁଲାନ୍ସ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ର ରେ ମେଡିକାଲ୍ ପର୍ଯ୍ୟନ୍ତ ଯାଇପାରିବ ସେନେଇ ମକଡ୍ରିଲ ହୋଇଥିଲା। ପ୍ରତିବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପୁରୀରେ ହେଉଥିବା ବେଳେ ପୁରୀ ପୋଲିସ ବିଭିନ୍ନ ସ୍ବେଛାସେବୀ ଓ NDRF ଟିମ୍ ସହାୟତାରେ ଭକ୍ତଙ୍କର ନିରାପତ୍ତା ସହିତ ବିଭିନ୍ନ ସେବା ଯୋଗାଇଥାଏ।
ସେହିପରି ଚଳିତ ବର୍ଷ ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ୍ ଆପ ଲଞ୍ଚ କରାଯାଇଛି। ପ୍ଲେ ଷ୍ଟୋରରେ ଶ୍ରୀଜଗନ୍ନାଥ ଧାମ ଆପ ଉପଲବ୍ଧ କରାଯାଇଥିବା ବେଳେ ଭକ୍ତ ମାନେ ଏହାକୁ ନିଜ ମୋବାଇଲରେ ଡାଉନଲୋଡ଼ କଲେ ଅନେକ ସୂଚନା ପାଇପାରିବେ। ବିଶେଷ କରି ପୁରୀରେ ଟ୍ରାଫିକ ପରିଚାଳନା, ବିଭିନ୍ନ ସ୍ଥାନରେ ଥିବା ପାର୍କିଂ ସୁବିଧା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଲିଥିବା ବିଭିନ୍ନ ନୀତି କାନ୍ତି ବିଷୟରେ ଏହି ସୂଚନା ଆପ୍ ମାଧ୍ୟମରେ ଭକ୍ତ ପର୍ଯ୍ୟଟକମାନେ ପାଇପାରିବେ। ଏହାଦ୍ବାରା ଭକ୍ତମାନେ ସୁବିଧାରେ ସମସ୍ତ ବିଷୟରେ ଅବଗତ ହୋଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ସେପଟେ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଏସପି ବିନୀତ ଅଗ୍ରୱାଲ ବସ୍ ଆସୋସିଏସନ୍ ଓ ଅଟୋ ଚାଳକ ସଂଘ ସହିତ ସମୀକ୍ଷା ବୈଠକ କରିଛନ୍ତି। ପୁରୀ କୁ ଆସୁଥିବା ଯାତ୍ରୀ ମାନଙ୍କୁ ବସ୍ ଏବଂ ଅଟୋରେ ନିର୍ଦ୍ଧାରିତ ଭଡ଼ା ଠାରୁ ଅଧିକ ଟଙ୍କା ନନେବାକୁ ଅନୁରୋଧ କରିଛନ୍ତି ଏସପି। ସେହିପରି ଯାତ୍ରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହିତ ଯାତ୍ରୀଙ୍କର ଯଦି କିଛି ସମସ୍ୟା ଉପୁଜେ ସେନେଇ ବସ୍ ଓ ଅଟୋ ଆସୋସିଏସନ୍ ଏଥିରେ ସହଯୋଗ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଟ୍ରାଫିକ କଟକଣାକୁ ବସ୍ ଏବଂ ଅଟୋ ଆସୋସିଏସନ୍ ମାନିବାକୁ ପୁରୀ ଏସପି କହିଛନ୍ତି। ତେବେ ପୁରୀକୁ ଆସୁଥିବା ଯାତ୍ରୀମାନେ କିଭଳି ଶୋଷଣର ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଗୁରୁତ୍ବ ଦେଉଥିବା ପୁରୀ ଏସପି କହିଛନ୍ତି। ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ଼ ନିର୍ମାଣ କରାଯାଇଛି। ଭକ୍ତମାନେ ଏହି ବ୍ୟାରିକେଡ଼ ଭିତରେ ପ୍ରବେଶ କରି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଏସପି ଅନୁରୋଧ କରିଛନ୍ତି।