ବାଜିରେ ୪୫୦୦ କୋଟି : ପାକିସ୍ତାନର 'ବୟକଟ୍ ଇଣ୍ଡିଆ' ପାଇଁ କ୍ରିକେଟ୍ ଇଣ୍ଡଷ୍ଟ୍ରିରେ ହେବ ବଡ ହଲଚଲ, କ'ଣ କରିବ ICC ?

NEWS7
mobile-lootera-gang-busted-in-mahanga

ନୂଆଦିଲ୍ଲୀ,୨|୦୨ : ପାକିସ୍ତାନର ନୂଆ ବାହାନା । ଟି୨୦ ବିଶ୍ୱକପ୍ ଖେଳିବ । ହେଲେ ଭାରତ ସହ କରିବନି ଫାଇଟ୍ । ଏପରି ଘୋଷଣା ପରେ ଆଇସିସି ପୁରା ରାଗି ଯାଇଛି । ଟୁର୍ଣ୍ଣାମେଣ୍ଟର ସବୁଠୁ ହାଇଭୋଲଟେଜ୍ ମୁକାବିଲା ଏବେ ଦେଖିପାରିବେନି ଦର୍ଶକ । ତେବେ ପାକିସ୍ତାନ ନିଜ ନିଷ୍ପତ୍ତି ଫେରାଇନେବ ବୋଲି ଆଇସିସି ଆଶା ରଖିଛି । ପାକ୍ ର ବୟକଟ୍ ନିଷ୍ପତ୍ତି ବିଶ୍ୱସ୍ତରରେ କ୍ରିକେଟ୍ ଜଗତକୁ କ୍ଷତିରେ ପକାଇବ ବୋଲି କୁହାଯାଉଛି । ଏହା ରାଜନୀତି ନୁହେଁ ବରଂ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

୫୦୦ ମିଲିୟନ ଡଲାରର ଖେଳ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫେବ୍ରୁଆରୀ ୧୫ରେ ଟି୨୦ ମୁକାବିଲା ଖେଳାଯିବାକୁ ଧାର୍ଯ୍ୟ ହୋଇଛି । ଏହି ମ୍ୟାଚ୍ ର ଦାମ୍ ପ୍ରାୟ ୪୫୦୦ କୋଟି ଟଙ୍କା ବା ୫୦୦ ମିଲିୟନ ଡଲାର ହେବ । ଯେଉଁଥିରେ ବ୍ରଡକାଷ୍ଟ୍ ଅଧିକାର, ଟିକେଟ୍, କମର୍ସିଆଲ ଆକ୍ଟିଭିଟି ଏବଂ ବେଟିଂ ଆଦି ରହିଛି ।

ବ୍ରଡକାଷ୍ଟର ମାନଙ୍କ ପାଇଁ ଏହା ଅର୍ଥଲାଭର ସୁବର୍ଣ୍ଣ ସୁଯୋଗ । ମାତ୍ର ୧୦ ସେକେଣ୍ଡ୍ ବିଜ୍ଞାପନ ପାଇଁ ଭାରତ-ପାକ୍ ମ୍ୟାଚରେ ବ୍ରଡକାଷ୍ଟରଙ୍କୁ ୨୫ରୁ ୪୦ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ଯାହା ଭାରତ ସହ ଅନ୍ୟ କୌଣସି ଦେଶର ମୁକାବିଲା ଅପେକ୍ଷା ଢେର୍ ଅଧିକ । ମ୍ୟାଚ୍ ନଖେଳା ଗଲେ ବିଜ୍ଞାପନ ବଜାର ଦୋହଲିଯିବ ।

କିଏ କେତେ କ୍ଷତି ସହିବେ

ପ୍ରଥମେ ବ୍ରଡକାଷ୍ଟରଙ୍କୁ କ୍ଷତି ସହିବାକୁ ପଡିବ । ସେମାନେ ଭାରତ-ପାକ୍ ମ୍ୟାଚରୁ ୩୦୦ କୋଟିର ଆୟ କରିଥାନ୍ତେ । କିଛି କମ୍ପାନୀ ଏବେଠୁ ଆଇସିସି ଉପରେ ଚାପ ପକାଇଲେଣି । ତଥାପି ଆଇସିସି ଶେଷ ଯାଏଁ ଅପେକ୍ଷା କରିବ । ଯେହେତୁ ପାକିସ୍ତାନକୁ ନିଷ୍ପତ୍ତିର ମୁନର୍ବିଚାର ପାଇଁ କୁହାଯାଇଛି ତେଣୁ କିଛି ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ବୋର୍ଡ ଚୂଡାନ୍ତ ନିଷ୍ପତ୍ତି ନେବ ।

ସ୍ପନସର୍ ଏବଂ ଫ୍ରାଞ୍ଚାଇଜି ଚକିତ

ମୁକାବିଲାରେ ଭାରତର ଅନେକ ସ୍ପନସର୍ ରହିଛନ୍ତି । ଏହାସହ ବୋର୍ଡ ମେମ୍ବର ଅଛନ୍ତି । ମ୍ୟାଚରୁ ମିଳୁଥିବା ଲାଭ ସେମାନଙ୍କ ମଧ୍ୟରେ ବଣ୍ଟାଯାଏ । ଯଦି ମ୍ୟାଚ୍ ନହୁଏ ତେବେ ସେମାନଙ୍କୁ ଅର୍ଥ ଆଇସିସି ଆକାଉଣ୍ଟରୁ ପ୍ରଦାନ କରିବାକୁ ପଡିବ । ଅର୍ଥାତ ବିନା ଆୟରେ ଆଇସିସି ବୋର୍ଡ ସଦସ୍ୟଙ୍କୁ ଟଙ୍କା ଦେବ ।

ଭାରତ ଏବଂ ପାକିସ୍ତାନର କ୍ଷତି

ମ୍ୟାଚ୍ ନହେଲେ ଉଭୟ ବୋର୍ଡର ତୁରନ୍ତ ୨୦୦ କୋଟି ଟଙ୍କା କ୍ଷତି ହେବ । ଭାରତ ପାଇଁ ଏହା କଷ୍ଟଦାୟକ ହେଲେ ବି ବିସିସିଆଇ ସବୁଠୁ ଧନି ବୋର୍ଡ ଥିବାରୁ କ୍ଷତିକୁ ଭରଣା କରିନେବ । ହେଲେ ପାକିସ୍ତାନ କ୍ରିକେଟର ଅର୍ଥନୀତି ଭୁଶୁଡି ପ଼ଡିବ । ଆଇସିସି ଆୟର ୫.୭୫ ପ୍ରତିଶତ ପିସିବିକୁ ମିଳିଥାଏ । ଟୁର୍ଣ୍ଣାମେଣ୍ଟରୁ ଓହରିଲେ ପାକ୍ ଏହି ଅର୍ଥ ହରାଇବ ।

ପାକିସ୍ତାନ ଉପରେ କଟକଣା

ବିଭିନ୍ନ ବ୍ରଡକାଷ୍ଟର୍ ମ୍ୟାଚ୍ ବାତିଲା ହେବା ଚାହାଁନ୍ତି ନାହିଁ । ଯଦି ପାକିସ୍ତାନ ନଖେଳେ ତାହାଲେ ଆଗାମୀ ଦିନରେ ପାକିସ୍ତାନ ଟିମ୍ ଭରସା ହରାଇବ । ବ୍ରଡକାଷ୍ଟର ପାକ୍ ମୁକାବିଲାକୁ ଗୁରୁତର ସହ ନେବେ ନାହିଁ । ବିଜ୍ଞାପନର ଦାମ୍ କମିଯିବ । ଦଳକୁ କମ୍ ସ୍ପନସରସିପ୍ ମିଳିବ ।

ଅନ୍ୟ ଦିଗରେ ପାକିସ୍ତାନ ଏବଂ ଭାରତର ମୁକାବିଲା ପାଇଁ ଶ୍ରୀଲଙ୍କାର ଅନେକ ହୋଟେଲରେ ରୁମ୍ ବୁକ୍ ସରିଛି । ଆଡଭାନ୍ସ୍ ମଧ୍ୟ ପ୍ରଦାନ କରାଯାଇଛି । ମ୍ୟାଚ୍ ନହେଲେ ଏସବୁ ଅର୍ଥ ପାକିସ୍ତାନକୁ ଦେବାକୁ ପଡିବ । ନିଜେ ଓହରିବା କାରଣରୁ ପାକ୍ କ୍ଷତିପୂରଣ ଦେବ । ଯାହା ପାକ୍ କ୍ରିକେଟର୍ସ ଏବଂ କ୍ରିକେଟର ଭବିଷ୍ୟତକୁ ଅନିଶ୍ଚିତତାକୁ ଠେଲିଦେବ ।