-40% ନମ୍ବର ରଖି କରି ପାରିବେ NEET PG କାଉନସଲିଂ, କଟ-ଅଫ ହ୍ରାସ ଲାଗି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

NEWS7
minister-show-kind-heart-for-injurded-husband-wife

ନୂଆଦିଲ୍ଲୀ ୪।୨: ସୁପ୍ରିମକୋର୍ଟ ବୁଧବାର ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (ଏନବିଇଏମଏସ୍) ଦ୍ୱାରା ନିଟ୍ ପିଜି ୨୦୨୫-୨୬ ନିମନ୍ତେ କ୍ୱାଲିଫାଇଙ୍ଗ କଟ-ଅଫ ପର୍ସେଣ୍ଟାଇଲରେ ହ୍ରାସ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାର ଓ ଅନ୍ୟ ସମ୍ବଧିତ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ.ନରସିମହା ଓ ଜଷ୍ଟିସ୍ ଆଲୋକ ଅରାଧେଙ୍କ ପୀଠ କେନ୍ଦ୍ର ସରକାର, ଏନବିଇଏମଏସ୍ ଓ ଜାତୀୟ ଚିକିତ୍ସା ଆୟୋଗକୁ ନୋଟିସ୍ କରିଛନ୍ତି।

ସାରା ଦେଶରେ ୧୮,୦୦୦ରୁ ଅଧିକ ମେଡିକାଲ ପୋଷ୍ଟ ଗ୍ରାଜୁଏଟ୍ ସିଟ୍ ଖାଲି ପଡିବାରୁ ଏନବିଇଏମଏସ୍ କ୍ୱାଲିଫାଇଂ ପର୍ସେଣ୍ଟାଇଲରେ ଅଭୂତପୂର୍ବ ସଂଶୋଧନ କରିଛନ୍ତି। ନୂଆ ନୋଟିସ୍ ଅନୁସାରେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ କଟ-ଅଫ ୪୦ ପର୍ସେଣ୍ଟାଇଲରୁ ହ୍ରାସ କରି ଶୂନ କରିଦିଆଯାଇଛି। ଏହାର ଅର୍ଥ ହେଉଛି ୮୦୦ ମାର୍କରୁ ବିଯୁକ୍ତ ୪୦% ମାର୍କ ରଖିଥିବା ଛାତ୍ରଛାତ୍ରୀ ମଧ୍ୟ କାଉନସେଲିଂର ତୃତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ। ତେବେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ କଟ-ଅଫକୁ ୫୦ ପର୍ସେଣ୍ଟାଇଲରୁ ହ୍ରାସ କରି ମାତ୍ର ୭ ପର୍ସେଣ୍ଟାଇଲ କରି ଦିଆଯାଇଛି।

ଏହା ବିରୋଧରେ ସମାଜସେବୀ ହରିଶରଣ ଦେଭଗନ ଓ ଡା. ସୌରଭ କୁମାରଙ୍କ ସମେତ ଅନ୍ୟ ଡାକ୍ତରମାନେ ପିଟିସନ ଦାୟର କରିଛନ୍ତି। ଆବେଦନକାରୀଙ୍କ ତର୍କ ହେଉଛି କଟ-ଅଫରେ ଏପରି ହ୍ରାସ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ଅନୁଚ୍ଛେଦ ୨୧ର ଉଲ୍ଲଂଘନ। ଆବେଦନରେ କୁହାଯାଇଛି ଯେ ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରେ ପାତ୍ରତା ମାନଦଣ୍ଡରେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ। କାରଣ ଆବେଦନକାରୀମାନେ ମୂଳ କଟ-ଅଫ ଅନୁସାରେ ପ୍ରସ୍ତୁତି କରିଥିଲେ।

ତେବେ ଏହି କଟ-ଅଫକୁ ମେଡିକାଲ ସମୂଦାୟର ଏକ ବଡ଼ ବର୍ଗ ଅଭୂତପୂର୍ବ ଓ ତର୍କହୀନ ବୋଲି କହିଛନ୍ତି। କାରଣ ଏହା ଦ୍ୱାରା ନ୍ୟୁନତମ ଯୋଗ୍ୟ ଛାତ୍ର ମଧ୍ୟ ବିଶେଷଜ୍ଞ ଡାକ୍ତର ହୋଇ ପାରିବେ। ତେବେ ମେଡିକାଲ ପିଜି ସିଟ୍ ପୂରଣ କରିବାକୁ ଧାର୍ଯ୍ୟ ମାନକକୁ ଏତେ ପର୍ଯ୍ୟନ୍ତ ହ୍ରାସ କରିବା ଜନହୀତ ଓ ଚିକିତ୍ସା ମାନକ ଅନୁସାରେ ଉପଯୁକ୍ତ କି ନା ତାହା ଏବେ କୋର୍ଟ ସମୀକ୍ଷା କରିବେ। ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୬ ତାରିଖରେ ହେବ।