ପୁଅ ଝିଅ ଦେଖୁଥିଲେ, ମାଆକୁ ପେଟ୍ରୋଲ ଢାଳି ଜାଳିଦେଲା ବାପା...

NEWS7
milk-made-products-may-provide-in-mid-day-meal-in-school

ହାଇଦ୍ରାବାଦ, ୨୬/୧୨: ପାଟି କରୁଥିଲା ମାଆ । ବଞ୍ଚାଇବାକୁ କରୁଥିଲା ନିବେଦନ । ଛାଡି ଦେବାକୁ ନେହୁରା ହେଉଥିଲା । ହେଲେ କିଛି ଶୁଣି ନଥିଲା ବାପା । ଦେହରେ ନିଆଁ ଲଗାଇ ଦେଇଥିଲା । ସନ୍ତାନମାନଙ୍କ ଆଗରେ ଘଟିଥିଲା ଏପରି ନରକୀୟ କାଣ୍ଡ । ହାଇଦ୍ରାବାଦରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଏବେ ସମସ୍ତେ ସ୍ତବ୍ଧ ।

ରିପୋର୍ଟ ଅନୁସାରେ, ହାଇଦ୍ରାବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଜାଳିଦେଇଛନ୍ତି । ଏହାସହ ନିଜ ଶିଶୁଙ୍କୁ ମଧ୍ୟ ନିଆଁ ମଧ୍ୟକୁ ବ୍ୟକ୍ତି ଜଣଙ୍କ ଠେଲି ଦେଇଛନ୍ତି । ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ସହରର ନାଲାକୁଣ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି ।

ପୋଲିସର କହିବାନୁସାରେ, ନାଲାକୁଣ୍ଟା ଅଞ୍ଚଳରେ ଭେଙ୍କଟେଶ ନିଜ ପରିବାର ସହ ରୁହନ୍ତି । ସେ ଲଗାତାର ଭାବେ ପତ୍ନୀ ତ୍ରିବେଶୀଙ୍କ ଉପରେ ସନ୍ଦେହ କରି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଥିଲା । ଡିସେମ୍ବର ୨୪ ତାରିଖରେ ଭେଙ୍କଟେଶ ତ୍ରିବେଣୀକୁ ମାଡ ମାରିଥିଲେ । ଏହାପରେ ତା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅ ମାଆକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଭେଙ୍କଟେଶ ଝିଅକୁ ମଧ୍ୟ ନିଆଁ ମଧ୍ୟକୁ ଠେଲି ଦେଇଥିଲେ । ଏହାପରେ ସେ ଫେରାର ହୋଇଯାଇଥିଲେ ।

ପାଟି ଶୁଣି ପଡୋଶୀମମାନେ ତ୍ରିବେଣୀ ଏବଂ ଝିଅଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । କିନ୍ତୁ ସେତେବେଳରୁ ତ୍ରିବେଣୀଙ୍କ ମୃତ୍ୟୁ ହୋଇ ସାରିଥିଲା । ଅନ୍ୟପକ୍ଷରେ ଝିଅଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଭେଙ୍କଟେଶ ଏବଂ ତ୍ରିବେଣୀ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ସନ୍ତାନ ରହିଛନ୍ତି । କିଛି ଦିନ ହେଲା ଭେଙ୍କଟେଶ ଲଗାତାର ଭାବେ ପତ୍ନୀଙ୍କୁ ମାଡ ମାରୁଥିଲେ । ତେଣୁ ସେ ନିଜ ବାପଘରକୁ ଚାଲିଯାଇଥିଲେ । ସେଠାରେ ଭେଙ୍କଟେଶ ପହଁଚି ବୁଝାସୁଝା କରିବା ସହ ଆଉ ମାରଧର୍ କରିବ ନାହିଁ ବୋଲି କହିଥିଲେ । କିନ୍ତୁ ତ୍ରିବେଣୀ ହାଇଦ୍ରାବାଦ ଫେରିବା ପରେ ଭେଙ୍କଟେଶ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ।ପୋଲିସ ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।