ନୂଆଦିଲ୍ଲୀ ୨୧।୮: ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ଭାରତୀୟ କମ୍ପାନୀ ନାୟେରା ଏନର୍ଜୀ ବିପକ୍ଷରେ ପଦକ୍ଷେପ ନେଇଛି। ଭାରତର ସର୍ବ ବୃହତ୍ତ ତୈଳ ରିଫାଇନାରୀର ମାଇକ୍ରୋସଫ୍ଟ ସେବାଗୁଡିକ ବନ୍ଦ ହୋଇଯାଇଛି। ୟୁରୋପୀୟ ସଂଘର ପ୍ରତିବନ୍ଧକ ପରେ ମାଇକ୍ରୋସଫ୍ଟ ସେବା ବନ୍ଦ ହୋଇଛି। ଏହି ପୁରା ସଂକଟରେ କେବଳ ଏକ ଇ-ମେଲ ଆସିଲା ଓ ନାୟେରାର କମ୍ପ୍ୟୁଟର ସ୍କ୍ରିନ ଲକ୍ ହୋଇଗଲା। ଫଳରେ ହଜାର ହଜାର ଲିଟର ତୈଳ ସୋଧନ କରୁଥିବା ରିଫାଇନାରୀ ଅଚଳ ହୋଇଯାଇଛି।
୨୦୨୨ ମସିହାରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ବହୁ ସଂଖ୍ୟାରେ ପାଶ୍ଚାତ୍ୟ କମ୍ପାନୀ ଋଷିଆରୁ ପଳାୟନ କରିଥିଲେ। ଫଳରେ ବ୍ୟାଙ୍କରୁ ଆରମ୍ଭ କରି ସରକାରୀ ଏଜେନ୍ସୀ ପ୍ରଭାବିତ ହୋଇଥିଲା। ଭାରତର ଆର୍ଥିକ ଇଞ୍ଜିନ ବିଦେଶୀ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚକ ଉପରେ ନିର୍ଭରଶୀଳ। ଏଥିରେ ମାଇକ୍ରୋସଫ୍ଟ ଅଫିସରୁ ଆରମ୍ଭ କରି ଆମାଜନ ୱେବସର୍ଭିସେସ୍, ଗୁଗଲ କ୍ଲାଉଡରୁ ଆରମ୍ଭ କରି ଓରାକଲ ଇଆରପି ପର୍ଯ୍ୟନ୍ତ ରହିଛି। ଏହା ଭାରତର ପବ୍ଲିକ୍ ଓ କର୍ପୋରେଟ ସେକ୍ଟରର ମେରୁଦଣ୍ଡ।
ଏଣୁ ଲାଇସେନ୍ସ ଫି ଓ କ୍ଲାଉଡ ଷ୍ଟୋରେଜ ପେମେଣ୍ଟ ଲାଗି ଭାରତ ବାର୍ଷିକ ବିପୁଳ ବ୍ୟୟ କରୁଛି। ଏଥିରେ ନାୟରା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଆମେରିକୀୟ ବୈଷୟିକ କମ୍ପାନୀ ନ୍ୟୁଟ୍ରଲ ସର୍ଭିସ ପ୍ରୋଭାଇଡର ନୁହନ୍ତି। ଆମେରିକା ଓ ୟୁରୋପୀୟ ଦେଶ ଗ୍ଲୋବାଲ ଟେକ୍ କମ୍ପାନୀଙ୍କ ଉପରେ ନିଜର ନିୟନ୍ତ୍ରଣକୁ ବିଭିନ୍ନ ଦେଶ ବିରୋଧରେ ଉପଯୋଗ କରୁଛନ୍ତି। ଏକ୍ସପର୍ଟଙ୍କ ଅନୁସାରେ ୨୦୨୫ ମସିହାରେ ଭାରତକୁ ପ୍ରଥମ ଥର ଡିଜିଟାଲ ଔପନିବେଶିକ ଝଟକା ଲାଗିଛି।
ବିଶେଷଜ୍ଞ କହିଛନ୍ତି ଯେ ଆର୍ଥିକ ଓ ରାଜନୈତିକ ନିୟନ୍ତ୍ରଣକୁ ଡିଜିଟାଲ ପ୍ଲାଟଫର୍ମ, ବିଭିନ୍ନ ସେବା ଓ ଇନଫ୍ରାଷ୍ଟ୍ରକ୍ଚରକୁ କଣ୍ଟ୍ରୋଲ କରିବା ଲାଗି ଉପଯୋଗ କରାଯାଉଛି। ବର୍ତ୍ତମାନ ସମୟରେ ନାୟେରା ଏନର୍ଜୀ ରାଜନୈତିକ ସମ୍ବେଦନଶୀଳ ପରିବେଶରେ କାମ କରୁଛି। ଏହି କମ୍ପାନୀର ଅଧିକାଂଶ ଅଂଶ ଋଷୀୟ କମ୍ପାନୀ ରୋସନେଫ୍ଟ ପାଖରେ ଅଛି, ଯାହା ଏବେ ପାଶ୍ଚାତ୍ୟ କଟକଣାର ସମ୍ମୁଖୀନ ହୋଇଛି। ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆତ୍ମନିର୍ଭରତା ଉପରେ ଜୋର ଦେଉଛି। ତେବେ ଡିଜିଟାଲ କ୍ଷେତ୍ରରେ ଭାରତକୁ ବାସ୍ତବ ସାର୍ବଭୌମତ୍ୱର ଆବଶ୍ୟକତା ରହିଛି।
ଏଥିଲାଗି ଭାରତକୁ ବିପୁଳ ନିବେଶ କରିବାକୁ ପଡିବ ଓ ନ୍ୟାସନାଲ କ୍ଲାଉଡ ଇନଫ୍ରାଷ୍ଟ୍ରକ୍ଚର ନିର୍ମାଣ କରିବାକୁ ପଡିବ। ନିଜର ଘରୋଇ ସଫ୍ଟୱେର ସିଷ୍ଟମ କରିବାକୁ ପଡିବ। ଏହା ଦ୍ୱାରା ଭାରତକୁ ଡିଜିଟାଲ ଉପନିବେଶବାଦରୁ ମୁକ୍ତି ମିଳିବ ଓ ବିଦେଶୀ ଟେକନିକ୍ ଉପରେ ନିର୍ଭରତା ହ୍ରାସ ହେବ। ନାୟରା ଘଟଣାରୁ ଏକ ବଡ଼ ଚେତାବନୀ ମିଳିଛି ଯେ ସାର୍ବଭୌମତ୍ୱ କେବଳ କିଛି ବର୍ଗ କିଲୋମିଟର ନୁହେଁ ବରଂ ସ୍ୱିଚ୍, ସର୍ଭର ଓ ସୋର୍ସ କୋଡ ଉପରେ କଣ୍ଟ୍ରୋଲ ମଧ୍ୟ ଏକ ପ୍ରକାର ସାର୍ବଭୌମତ୍ୱ। ଭାରତକୁ ପ୍ରଥମ ଝଟକା ନାୟରା ରୂପେ ଲାଗିଛି। ସରକାର ଏବେ ଯାହା ନିଷ୍ପତ୍ତି ନେବେ ତାହା ଉପରେ ଭବିଷ୍ୟତର ଝଟକା ନିର୍ଭର କରିବ।