ନୂଆଦିଲ୍ଲୀ ୨୨।୦୧: ରାଧିକାରାଜେ ଗାଏକ୍ବାଡ୍ । ବଡୋଦରା ଗାଏକ୍ବାଡ୍ ରାଜବଂଶର ମହାରାଣୀ । ଏଠାକାର ମହାରାଜା ହେଉଛନ୍ତି ଗାଏକ୍ବାଡ୍ ରାଜବଂଶର ଶାହି ବଂଶଜ ସମରଜିତ ସିଂ ଗାଏକ୍ବାଡ । ସମରଜିତ ସିଂ ଭାରତର ସବୁଠାରୁ ଧନୀ କ୍ରିକେଟର ଭାବେ ପରିଚିତ । ସେ ରଣଜୀ ଟ୍ରଫିରେ ଗୁଜୁରାଟ ଟିମ୍ର ରହିସାରିଛନ୍ତି କ୍ୟାପଟେନ୍ । ରାଧିକାରାଜେ ଓ୍ବାଙ୍କନେର ରାଜ୍ୟର ଶାହୀ ପରିବାରରୁ ଆସିଛନ୍ତି ।
ସେ ରହୁଥିବା ପ୍ରାସାଦର ନାଁ ହେଉଛି 'ଲକ୍ଷ୍ମୀ ବିଳାସ ପ୍ୟାଲେସ୍' । ଯାହା ବଡୋଦରା ମହଲ ଭାବେ ମଧ୍ୟ ପରିଚିତ । ସମରଜିତ ସିଂହ ୨୦୦୨ରେ ବିବାହ କରିଥିଲେ । ଦମ୍ପତିଙ୍କ ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ପଦ୍ମଜାରାଜେ ୟୁକେରେ ଏ ଲେଭଲ୍ ଅଧ୍ୟୟନ କରୁଛନ୍ତି। ଦ୍ୱିତୀୟ ଝିଅଙ୍କ ନାଁ ହେଉଛି ନାରାୟଣରାଜେ । ସେ ଦଶମ ଶ୍ରେଣୀର ଛାତ୍ରୀ । ସମରଜିତ ସିଂହଙ୍କ ମାତା ରାଜମାତା ଶୁଭାଙ୍ଗୀ ରାଜେ ଏହି ପ୍ରାସାଦରେ ତାଙ୍କ ସହିତ ରୁହନ୍ତି ।
୧୮୭ କୋଠରୀ ବିଶିଷ୍ଠ ଏହି ପ୍ରାସାଦର ଦାମ୍ ୨୫ ହଜାର କୋଟି । ଆଣ୍ଟାଲିଆ ଠାରୁ ଦାମୀ, ବଙ୍କିଙ୍ଗହାମ୍ ପ୍ୟାଲେସ୍ଠାରୁ ୪ଗୁଣା ବଡ । ଲକ୍ଷ୍ମୀ ବିଳାସ ଗୁଜୁରାଟର ବଡୋଦରା ପୂର୍ବ ଶାସକ ଗାଏକ୍ବାଡ ରାଜଘରର ପୈତୃକ ଘର । ଏହି ପରିବାର ୧୮ଶ ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଶାସନ କରୁଥିଲେ । ତାଙ୍କ ପିତା ମହାରାଜା ରଣଜିତ ସିଂହ ପ୍ରତାପ ସିଂହ ଗାଏକୱାଡଙ୍କ ମୃତ୍ୟୁ ପରେ ସମରଜିତ ସିଂହ ସିଂହାସନ ଆରୋହଣ କରିଥିଲେ । ୨୦୧୨ରେ ଲକ୍ଷ୍ମୀ ବିଳାସ ପ୍ୟାଲେସରେ ତାଙ୍କୁ ଆନୁଷ୍ଠାନିକ ଭାବରେ ମହାରାଜା ଘୋଷଣା କରାଯାଇଥିଲା ।
ସମରଜିତ ସିଂହ ୨୦୧୩ରେ ଗାଏକୱାଡ ପରିବାରର ଉତ୍ତରାଧିକାରୀ ହୋଇଥିଲେ । ଏହି ସମୟରେ ସମରଜିତ ସିଂହଙ୍କୁ ରାଜପ୍ରାସାଦ, ମୋତି ବାଗ ଷ୍ଟାଡିୟମ ଏବଂ ମହାରାଜା ଫତେହ ସିଂହ ସଂଗ୍ରହାଳୟ ସମେତ ୬୦୦ ଏକର ସମ୍ପତ୍ତି ମିଳିଥିଲା । ଏହାବ୍ୟତୀତ ତାଙ୍କୁ ରାଜା ରବି ବର୍ମାଙ୍କ ପେନଟିଙ୍ଗ୍ ଏବଂ ଅନ୍ୟାନ୍ୟ ରାଜକୀୟ ଜିନିଷପତ୍ର ମଧ୍ୟ ହସ୍ତାନ୍ତର କରାଯାଇଥିଲା ।
ସମରଜିତ ବର୍ତ୍ତମାନ ଗୁଜରାଟ ଏବଂ ବନାରସର ୧୭ଟି ମନ୍ଦିର ଟ୍ରଷ୍ଟର ଦାୟିତ୍ୱକୁ ତୁଲାଇଥାନ୍ତି । ସମରଜୀତ ସିଂଙ୍କ ପ୍ରାସାଦରେ ରହିଛି ୧୮୭ଟି କୋଠରୀ । ପ୍ରାସାଦଟି ଚାରି ମହଲା ବିଶିଷ୍ଟ ଏବଂ ପ୍ରାୟ ୭୦୦ ଏକର ଜମିରେ ବ୍ୟାପିଛି । ପ୍ରାସାଦରେ କେବଳ ମହାରାଜା ଏବଂ ରାଣୀଙ୍କ ପାଇଁ ତିଆରି ହୋଇଛି ୧୭୦ଟି କୋଠରୀ । ରାଜପ୍ରାସାଦର ଚାରିପାଖରେ ରହିଛି ସୁନ୍ଦର ଉଦ୍ୟାନ ।
ଏହି ଉଦ୍ୟାନଗୁଡ଼ିକ ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ସାର୍ ୱିଲିୟମ୍ ଗୋଲ୍ଡରିଙ୍ଗ୍ ଦ୍ୱାରା କରାଯାଇଛି ଡିଜାଇନ୍ । ପ୍ରାସାଦରେ ଘୋଡ଼ାଶାଳ, ସୁଇମିଂ ପୁଲ ଏବଂ ଏକ ଘରୋଇ ଗଲ୍ଫ କୋର୍ସ ରହିଛି । ପ୍ରାସାଦକୁ ବ୍ରିଟିଶ ଇଞ୍ଜିନିୟର ମେଜର ଚାର୍ଲ୍ସ ମାଣ୍ଟ ଡିଜାଇନ୍ କରିଥିଲେ। ତେବେ ପର୍ଯ୍ୟଟକଙ୍କ ପାଇଁ ରାଜପ୍ରାସାଦରେ ପ୍ରବେଶ ଖୋଲା ଅଛି । ପ୍ରବେଶ ଶୁଳ୍କ ରହିଥାଏ ମାତ୍ର ୧୫୦ ଟଙ୍କା।