ଭୁବନେଶ୍ବର ୨୫।୫: ଭୁବନେଶ୍ବର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଗଦି ଫ୍ୟାକ୍ଟ୍ରି । ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜଳିଲା ଗଦି ଫ୍ୟାକ୍ଟ୍ରି । ଦୀର୍ଘ ୬ଘଣ୍ଟା ଯାଏଁ ନିଆଁକୁ ଆୟତ୍ତ କରିବାକୁ ନୟାନ୍ତ ହେଲେ ଅଗ୍ନିଶମ ବାହିନୀ । ଶେଷରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଟି.କେ. ଫୋମ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଗଦି ଫ୍ୟାକ୍ର୍ଟିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଫ୍ୟାକ୍ଟ୍ରିର ମେସିନ ସହ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ରାତି ୧୨ଟା ବେଳେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ସମୟରେ କମ୍ପାନୀ ଆଉଟ୍ ହାଉସରେ ଥିବା କର୍ମଚାରୀ ମାନେ ଶୋଇ ପଡ଼ିଥିଲେ । ଫଳରେ ନିଆଁ ସମଗ୍ର ୟୁନିଟ୍କୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ସେକ୍ରେଟାରିଏଟ୍, କଟକ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ସ୍ଥିତି ବିଗିଡ଼ିବାରୁ ନିଆଁ ଲିଭାଇବା ପାଇଁ ରୋବୋଟ୍ ନିୟୋଜିତ ହୋଇଥିଲା । ଦୀର୍ଘ ୬ଘଣ୍ଟା ପରେ ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ । ନିଆଁର ପ୍ରକୋପ ଏତେ ପ୍ରଖର ଥିବା ଯେ କାରଖାନାର ଚାରିପଟ କାନ୍ଥ ଫାଟି ଯାଇଛି । ଗଦି ଓ ଗଦି ତିଆରି ସରଞ୍ଜାମ ସହ ମେସିନ ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି ।
କାରଖାନା ମାଲିକଙ୍କ କହିବା ଅନୁଯାୟୀ, ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି ।
You Can Read: