ସ୍କୁଲ ଓ ଟ୍ୟୁସନକୁ ଛାଡି ଦିନକୁ ୫ ଘଣ୍ଟା ପଢୁଥିଲେ ମାଟ୍ରିକ ଟପ୍ପର ଚନ୍ଦନ, ମୋଟ୍‌ ୬ଶହ ମାର୍କରୁ ପାଇଛନ୍ତି ୫୮୪

Published By : Prameya-News7 Bureau | May 05, 2025 IST

କଟକ୦୫/୦୫: ସାହିତ୍ୟରେ ୧୦୦ରୁ ୯୮ । ଇଂରାଜୀରେ ବି ୧୦୦ରୁ ୯୮ । ମୋଟ୍‌ ୬ଟି ବିଷୟରେ ସମୁଦାୟ ୬ଶହ ମାର୍କରୁ ପାଇଛନ୍ତି ୫୮୪ । ୯୭.୩୩ ପ୍ରତିଶତ । ଏଭଳି ମାର୍କ ରଖିଥିବା ମେଧାବୀ ଛାତ୍ର ହେଉଛନ୍ତି ଚନ୍ଦନ କୁମାର ମହାନ୍ତ । କଟକ ତୁଳସୀପୁରଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏହି ଛାତ୍ର ଏଥର ହୋଇଛନ୍ତି ମାଟ୍ରିକ ଟପ୍ପର । 

କଟକରେ ପାଠ ପଢୁଥିବା ଚନ୍ଦନଙ୍କ ଘର କେଉଁଝର ଜିଲ୍ଲାରେ। ବାପା ନରେନ୍ଦ୍ର କୁମାର ଓଡ଼ିଶା ପୋଲିସର ମୋଟର ଟ୍ରାନ୍ସପୋର୍ଟ ବିଭାଗରେ ସବଇନ୍ସପେକ୍ଟର ଅଛନ୍ତି । ଚନ୍ଦନଙ୍କ ସଫଳତାରେ ବେଶ ଖୁସି ପରିବାର ଲୋକ। ବାପା କୁହନ୍ତି ଚନ୍ଦନ ପିଲାଟି ବେଳୁ ବେଶ ମେଧାବୀ ଥିଲା । ସ୍କୁଲ ଓ ଟ୍ୟୁସନକୁ ଛାଡି ଦିନକୁ ୫ ଘଣ୍ଟା ପଢୁଥିଲା । ଘରେ ମାଆ ବି ସଂପୂର୍ଣ୍ଣ ଭାବରେ ଚନ୍ଦନଙ୍କୁ ଗାଇଡ କରନ୍ତି । ପାଠପଢା ସହ ଆଧ୍ୟାତ୍ମିକ ଦିଗ ପ୍ରତି ଚନ୍ଦନଙ୍କ ଦୁର୍ବଳତା ଥିବା କହିଛନ୍ତି ଚନ୍ଦନଙ୍କ ବାପା ନରେନ୍ଦ୍ର କୁମାର ମହାନ୍ତ ।

  


ଗତ କିଛି ବର୍ଷ ହେବ ମାଧ୍ୟମିକ ଶିକ୍ଷା ପରିଷଦ ବିଧିବଦ୍ଧ ଭାବରେ ମାଟ୍ରିକ ଟପ୍ପର ତାଲିକା ଘୋଷିତ କରୁନି । ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ସୂଚନା ନେବା ପରେ ରାଜ୍ୟରେ ମାଟ୍ରିକ ଟପ୍ପର ସଂପର୍କରେ ସୂଚନା ସମ୍ଭବ ହୋଇପାରୁଛି । ସେହି ଆଧାରରେ ଚନ୍ଦନ ଟପ୍ପର ହୋଇଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ଵରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥ ମଧ୍ୟ ସମାନ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଥିଵା ବିଭିନ୍ନ ଗଣମାଧ୍ୟମରେ ଖଵର ପ୍ରକାଶ ପାଇଛି। ଚନ୍ଦନଙ୍କ ସଫଳତା ଯୋଗୁ ସ୍କୁଲ ପ୍ରଥମ ଥର ପାଇଁ ଏମିତି ଗୌରବ ଅର୍ଜନ କରିଥିବା କହିଛନ୍ତି  ସ୍କୁଲର ପରିଚାଳନା କମିଟି ସଂପାଦକ ଶରତ କୁମାର ଦାସ ।ତେବେ ଶନିବାର ଓଡିଶା ମୋଟର ଟ୍ରାନ୍ସପୋର୍ଟ ବିଭାଗର ଏସ୍ ପି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚନ୍ଦନ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 


 

 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.