ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀ ଅଞ୍ଚଳର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ମଧ୍ୟରୁ ଜଣେ ଅଢେଇ ବର୍ଷର ପିଲା ହୋଇଥିବା ବେଳେ ଆଉ ଜଣଙ୍କର ବୟସ ମାତ୍ର ୩ ବର୍ଷର ଅଗ୍ନିଶମ ବାହିନୀ ଅଫିସର ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ଖବର ପାଇବାର କିଛି ସମୟ ପରେ ଅଗ୍ନିଶମବାହିନୀ ଉକ୍ତ ଏରିଆରେ ପହଞ୍ଚିଥିଲା। ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ୨୦ରୁ ଅଧିକ ଦମକଳ ଗାଡି ନିୟୋଜିତ କରାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ନିଆଁ ଲିଭାଇବା ପାଇଁ ସମ୍ପୂର୍ଣ୍ଣ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏଥିପାଇଁ ଅଗ୍ନଶମବାହିନୀ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ନିଆଁ ଲିଭିବା ପରେ ଏବେ ଏରିଆକୁ କୁଲିଂ କରାଯାଉଛି। ଏବେ ବି କାମ ଜାରି ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀ ଫାୟାର ସର୍ଭିସ୍(ଡିଏଫ୍ଏସ୍) ଅଫିସରଙ୍କ ସୂଚନା ଅନୁସାରେ, ବସ୍ତିରେ ନିଆଁ ଲାଗିବା ପରେ ଅଗ୍ନିଶମବାହିନୀଙ୍କ ପାଖକୁ ସକାଳ ୧୧:୫୫ ସମୟରେ ଫୋନ୍ ଆସିଥିଲା।ଶ୍ରୀନିକେତନ ଆପାର୍ଟମେଣ୍ଟ ସେକ୍ଟର ୧୭ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହାପରେ ଆମେ ତୁରନ୍ତ ୧୭ଟି ଫାୟାର ଇଞ୍ଜିନ ଘଟଣା ସ୍ଥଳକୁ ପଠାଇଥିଲୁ। ହେଲେ ଅଗ୍ନିକାଣ୍ଡର ତୀବ୍ରତା ଦେଖିବା ପରେ ଆମେ ୧୨.୪୦ରେ ମିଡିୟମ କ୍ୟାଟେଗୋରୀ ଫାୟାର ସର୍ଭିସ୍ର ଉପଯୋଗ କରି ଅଧିକ ଗାଡ଼ି ଓ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳକୁ ମଗାଇଥିଲୁ। ଘଟଣା ସ୍ଥଳରେ ମୋଟ ୨୬ ଫାୟାର ଟେଣ୍ଡର ମୁତୟନ କରାଯାଇଥିଲା।
୩ ଘଣ୍ଟାରରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବା ପରେ ଦୁଇଟି ଛୋଟପିଲାଙ୍କର ମୃତଦେହ ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ପୁଲିସର ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ୮୦୦ ରୁ ଅଧିକ ଝୁମ୍ପୁଡ଼ି ନଷ୍ଟ ହୋଇଯାଇଛି। ଏକାଧିକ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ନିୟୋଜିତ ହୋଇଛନ୍ତି,। ବର୍ତ୍ତମାନ ସେଠାରେ କୁଲିଂ ଅପରେସନ୍ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୋଲିସ ଡେପୁଟି କମିଶନର (ରୋହିଣୀ) ଅମିତ ଗୋଏଲ କହିଛନ୍ତି। ବସ୍ତିଗୁଡିକ ଖୁନ୍ଦି ଖୁନ୍ଦି ହୋଇଥିବାରୁ ନିଆଁ ଖୁବ୍ଶୀଘ୍ର ବ୍ୟାପିଯାଇଥିଲା। ଇଲେକ୍ଟ୍ରିକ୍ କାରଣରୁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଉଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।