ବିଷ ଜ୍ବାଳାରେ ଆଖି ବୁଜିଲେ ୩ ପିଲା, ହସ୍ପିଟାଲରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ବାପା-ମାଆ

Published By : Prameya-News7 Bureau | June 15, 2025 IST

ଉମରକୋଟ ୧୫/୬:  ସ୍ବାମୀ-ସ୍ତ୍ରୀ ବିଷ ପିଇଲେ । ୩ ପିଲାଙ୍କୁ ବି ଖାଇବାରେ ମିଶାଇ ଦେଇଦେଲେ । ବିଷ ଜ୍ବାଳାରେ ୩ ଶିଶୁଙ୍କ ଜୀବନ ଚାଲିଗଲା । ଏବେ ହସ୍‌ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଦଂପତ୍ତି  । ଛତିଶଗଡ କାଙ୍କେର ଜିଲ୍ଲା ପରତାପୁର ଥାନା ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଶାନ୍ତିନଗର ସ୍ଥିତ ପିଭି-୭୦ ଗାଁରୁ ଆସିଛି  ମନକୁ ଆନ୍ଦୋଳିତ କଲା ପରି ଖବର । ପିଭି-୭୦ ଗାଁର ରମେଶ ବୈରାଗୀ । ପତ୍ନୀ ଓ ୩ ପିଲାଙ୍କୁ ନେଇ ତାଙ୍କ ସଂସାର । ତେବେ ରମେଶ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି ।  ଘରର ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । 

ତେବେ ତଥ୍ୟ ମୁତାବକ ରମେଶଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ଧାର କରଜରେ ବୁଡିଯାଇଥିଲେ ସେ । ଯାହାକୁ ନେଇ ସବୁବେଳେ ପତ୍ନୀଙ୍କ ସହ ଝଗଡା ଲାଗି ରହୁଥିଲା। ଶୁକ୍ରବାର ରାତିରେ ମଧ୍ୟ ସେହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିବା କହିଛନ୍ତି ପଡୋଶୀ ।  ତେବେ ସକାଳୁ ରମେଶଙ୍କ ଘର କବାଟ ଖୋଲି ନଥିବା ଦେଖି ପାଖ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଘର ଭିତରେ ପଶି ଯାହା ଦେଖିଲେ କାହା ମୁଣ୍ଡ କାମ କରିନଥିଲା । ୩ଶିଶୁ ସବୁଦିନ ପାଇଁ ଶୋଇ ଯାଇଥିବାବେଳେ ରମେଶ ଓ ପତ୍ନୀ ଛଟପଟ ହେଉଥିଲେ । ଘର ଭିତରେ ରାତିର ଖାଇବା ଓ ଥାଳି ଏଣେତେଣେ ପଡିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ   ପାଖାଞ୍ଚର ସ୍ଥିତ ସିଭିଲ୍ ହସ୍ପିଟାଲରେ ଭତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର । ତେବେ ଆତ୍ମହତ୍ୟା ଉଦ୍ୟମ ପଛରେ ଆର୍ଥିକ ସମସ୍ୟା ନା ଆଉ କିଛି କାରଣ ରହିଛି ତାର ଛାନଭିନ ଚଳାଇଛି ପୋଲିସ । 

 

 

 

  • Chhattisgarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.