ଭୁବନେଶ୍ୱର ୨୩।୦୮ : ରାଜଧାନୀରୁ ପୁଣି ମାରିଜୁଆନା ସିଜ୍ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାପଡିଲା ୪ କୋଟିର ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚୋରା ଚାଲାଣ ବେଳେ ପ୍ରେମୀଯୁଗଳଙ୍କୁ ବାନ୍ଧିଲା କଷ୍ଟମ ବିଭାଗ । ଏହା ସହିତ ଉକ୍ତ ଯୁବକ ଓ ଯୁବତୀଙ୍କୁ ଜେରା କରୁଛି ପୋଲିସ ।
ଖବର ଅନୁଯାୟୀ, ଗତ କିଛି ମାସ ହେଲା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାମବନ୍ଦରରୁ ଲଗାତର ଭାବେ ମାରିଜୁଆନା ଜବତ ହେଉଛି । ଜୁଲାଇ ୨୯ ତାରିଖରେ ତିନି ଜଣ ଯୁବକଙ୍କୁ ଗିରଫ କରିଥିଲା ଏୟାରପୋର୍ଟ ପୋଲିସ । ଆଉ ସେମାନଙ୍କ ନିକଟରୁ ୨୫ କେଜିର ମାରିଜୁଆନା ଜବତ କରିଥିଲା । ଏହାପରେ ଅଗଷ୍ଟ ୨ ତାରିଖରେ ବ୍ୟାଙ୍କକରୁ ଚୋରାରେ ମାରିଜୁଆନା ଆଣୁଥିବା ବେଳେ ଜଣେ ଯାତ୍ରୀଙ୍କୁ ଗିରଫ କରିଥିଲା କଷ୍ଟମ ବିଭାଗ । ଗିରଫ ବ୍ୟକ୍ତିଙ୍କ ଠାରୁ ୧୦ କୋଟିର ମାରିଜୁଆନା ଜବତ କରିଥିଲେ । ସେହିପରି ଅଗଷ୍ଟ ୨ ତାରିଖରେ ଥାଇଲାଣ୍ଡରୁ ଚାଲାଣ ବେଳେ କଷ୍ଟମ ବିଭାଗର ହାତରେ ଲାଗିଥିଲା ୮ କୋଟିର ମାରିଜୁଆନା । ଆଉ ଏବେ ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ଥରେ ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକରୁ ୪ କୋଟି ଟଙ୍କାର ମାରିଜୁଆନା ଆଣୁଥିବା ବେଳେ ଭୁବନେଶ୍ୱରରେ ଧରାପଡିଛନ୍ତି ପ୍ରେମୀଯୁଗଳ। ଏୟାରପୋର୍ଟରେ ଦୁହିଁଙ୍କ ଉପରେ ସନ୍ଦେହ ହେବାରୁ କଷ୍ଟମ ଅଧିକାରୀ ସେମାନଙ୍କୁ ଯାଞ୍ଚ କରିଥିଲେ । ଆଉ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ କରିଥିଲା DRI । ଏହାସହିତ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ। ତେବେ ଏହି ନିଶାଦ୍ରବ୍ୟ ବ୍ୟାଙ୍ଗକର କେଉଁ ସ୍ଥାନରୁ ଆସିଥିଲା ? ଭୁବନେଶ୍ୱରର କେଉଁ କେଉଁ ଜାଗାକୁ ଚାଲାଣ ହେବାରେ ଥିଲା ? ଏଥିରେ କିଏ କିଏ ସାମିଲ ଅଛନ୍ତି ? ତାକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।