ମାଲକାନଗିରି ୨୫/୭: ସୁରକ୍ଷାକର୍ମୀଙ୍କ ପ୍ରହାର ଦେଖି ଛାନିଆ ମାଓବାଦୀ । ନିଜ ଗଡ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ମାଓଗଡରୁ ଗୁଇନ୍ଦା ଦେଇଛି ଚକିତ କଲାପରି ତଥ୍ୟ । ଯାହା ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ନକ୍ସଲ ସଂଗଠନ ବର୍ତ୍ତମାନ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଆରମ୍ଭ କଲେଣି । ମାଓବାଦୀ ଡ୍ରୋନ ମାଧ୍ୟମରେ ସୁରକ୍ଷାବାହିନୀର କାର୍ଯ୍ୟକଳାପ ନିରୀକ୍ଷଣ କରୁଛନ୍ତି ।
ତଥ୍ୟ ଅନୁସାରେ ଛତିଶଗଡର ସୁକମା, ବିଜାପୁର, ବଡଚିରୋଲି ଏବଂ ଝାଡଖଣ୍ଡର ଲାତେହାର ଭଳି ଅଞ୍ଚଳରେ ରାତି ସମୟରେ ଛୋଟ ଛୋଟ ଡ୍ରୋନ ଉଡୁଥିବା ଦେଖାଯାଉଛି । ଯାହା ମାଧ୍ୟମରେ ମାଓବାଦୀ ଜଙ୍ଗଲରେ ଥିବା CRPF କ୍ୟାମ୍ପ ସମେତ ତା ଚାରିପାଖରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି । ସରଣ୍ଡା ଜଙ୍ଗଲରେ ଲୁଚିରହିଥିବା ମାଓବାଦୀମାନେ ମଧ୍ୟ ଡ୍ରୋନ ବ୍ୟବହାର କରୁଛନ୍ତି । ସୂତ୍ର ଅନୁସାରେ ନକ୍ସଲମାନେ ଏବେ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ରହି ଉଚ୍ଚ ପ୍ରଯୁକ୍ତି ସଂପନ୍ନ ଯନ୍ତ୍ରପାତି ମାଧ୍ୟମରେ ସୂଚନା ସଂଗ୍ରହ କରୁଛନ୍ତି । ପୂର୍ବରୁ ସେମାନେ ପାରମ୍ପରିକ ପଦ୍ଧତି ବ୍ୟବହାର କରି ସୁରକ୍ଷାବାହିନୀ ଉପରେ ଅଚାନକ ଆକ୍ରମଣ କରୁଥିଲେ । କିନ୍ତୁ ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସେମାନଙ୍କର ରଣନୀତି ପ୍ରସ୍ତୁତ କରୁଛନ୍ତି ।
ସରଣ୍ଡା ଅଞ୍ଚଳର ଗ୍ରାମବାସୀ କହିଛନ୍ତି ସେମାନେ ରାତିରେ ଆକାଶରେ ଲାଲ୍ ଓ ନୀଳ ଆଲୋକ ସହିତ ଉଡୁଥିବା ମେସିନ ଦେଖୁଛନ୍ତି । ଯାହା ବହୁତ ଦ୍ରୁତ ଗତିରେ ଉଡୁଛି ଏବଂ ଅଳ୍ପ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯାଉଛି । ନକ୍ସଲଙ୍କ ଦ୍ବାରା ଡ୍ରୋନ ବ୍ୟବହାର ସୁରକ୍ଷାବାହିନୀ ପାଇଁ ଚିନ୍ତାର କାରଣ ପାଲଚିଛି । ପୋଲିସ ମଧ୍ୟ ଘଞ୍ଚ ଜଙ୍ଗଲରେ ଡ୍ରୋନ ରାଡାର ସିଷ୍ଟମ, ହାଇ ପାୱାର ନାଇଟ ଭିଜନ କ୍ୟାମେରା, ଆଣ୍ଟି ଡ୍ରୋନ ଗନ୍ ସାହାଯ୍ୟରେ ନକ୍ସଲଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି । ଏହା ଛଡା କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ପୋଲିସକୁ ଉନ୍ନତ ନୀରିକ୍ଷଣ ଡ୍ରୋନ ଓ କୁତ୍ରିମ ବୁଦ୍ଧିମତା ଆଧାରିତ ସିଷ୍ଟମ ଯୋଗାଇବାକୁ ଯୋଜନା କରିଛନ୍ତି ।