ମାଲକାନଗିରି ୧୯।୦୪ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଟି ତଳେ ମାଓବାଦୀଙ୍କ କଂକ୍ରିଟ୍ ବଙ୍କର ଠାବ । ଏହି ବଙ୍କର ଭିତରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ସୀମାନ୍ତ ମିନାଗାଟ୍ଟା ଜଙ୍ଗଲ ଭିତରୁ ଠାବ ହୋଇଛି ଏହି ମାଓ ବଙ୍କର ।
ଖବର ଅନୁଯାୟୀ, ଛତିଶଗଡ଼ରେ ଗତ କିଛି ଦିନ ଧରି ମାଓ ବିରୋଧୀ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ । ଯାହାଫଳରେ ମାଓବାଦୀମାନେ ଭୟଭୀତ ହୋଇ ନିଜର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜଙ୍ଗଲ ଭିତରେ ଲୁଚାଇ ରଖୁଛନ୍ତି । ଏପିରିକି ନିଜ ଜୀବନ ବଞ୍ଚାଇବା ଲାଗି ଲାଲ୍ ବାହିନୀ ସାଦା ପୋଷାକରେ ଜଙ୍ଗଲ ମଧ୍ୟରେ ଲୁଚି ରହୁଛନ୍ତି । ଏହିକ୍ରମରେ ବିଜାପୁର ଜିଲ୍ଲା ସୀମାନ୍ତ ମିନାଗାଟ୍ଟା ଜଙ୍ଗଲରେ ମାଓ ନେତା ହିଡ୍ମା ଓ ତାର ସହଯୋଗୀମାନେ ଲୁଚି ରହିଥିବାର ଗୁଇନ୍ଦା ସୂଚନା ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଯାହାପରେ ସୁରକ୍ଷାକର୍ମୀମାନେ ସ୍ଥାନୀୟ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ସୁରକ୍ଷାକର୍ମୀ ପହଞ୍ଚିଲା ବେଳକୁ କୌଶଳକ୍ରମେ ମାଓନେତା ହିଡ୍ମା ଓ ତାର ସହଯୋଗୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ସୁରକ୍ଷାକର୍ମୀ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ଯେଉଁଥିରେ ସୁରକ୍ଷାକର୍ମୀଙ୍କୁ ଏକ ମାଓ ବଙ୍କର ମିଳିଥିଲା । ଏହି ବଙ୍କରରେ ସୁରକ୍ଷାକର୍ମୀଙ୍କୁ ସୋଲାର ପ୍ୟାନେଲ୍, ବିଭିନ୍ନ ସାମଗ୍ରୀ ମିଳିଛି ।