ମାଲକାନଗିରି ୨୫/୭: ଭୁଶୁଡୁଛି ମାଓ ଗଡ । ମାଓବାଦୀଙ୍କୁ ମୂଳପୋଛ ପାଇଁ ଜୋରଦାର ହେଉଛି ପ୍ରହାର । ପ୍ରତିଦିନ ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଖବର ଆସୁଛି । ସେପଟେ ବିଭିନ୍ନ କାରଣରୁ ଦଳ ଛାଡି ଅନେକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି । ଏପରି ସ୍ଥିତିରେ ମାଓ କ୍ୟାମ୍ପରୁ ଆସିଛି ଆଉ ଗୋଟିଏ ଚିନ୍ତାଜନକ ଖବର । ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ । ଆଗ ପରି ସେମାନେ ନିଜ ପାଇଁ ଆଉ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ କରିପାରୁନାହାନ୍ତି । ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଗାଁ ଲୋକ ବି ପୂର୍ବଭଳି ସମର୍ଥନ ଦେଉନଥିବା ଦେଖିବାକୁ ମିଳୁଛି । ଯାହା ମାଓ ସଂଗଠନକୁ ଦୁର୍ବଳ କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି ।
ମାଓବାଦୀଙ୍କୁ ଏକଜୁଟ ହୋଇ ଖାଦ୍ୟ ଯୋଗାଡ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଶୀର୍ଷ ନେତା । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟର ମୃତ୍ୟୁ କେବଳ ଖାଦ୍ୟ ଅଭାବ ଯୋଗୁ ହୋଇଛନ୍ତି । ଖାଦ୍ୟ ଯୋଗାଡ କରିବାକୁ ଯାଇ ଉଦୟ,ଅରୁଣା ଓ ଗନମ୍ୟାନ ସଂଜୁ ପୋଲିସ ଗୁଳିରେ ନିହତ ହୋଇଥିଲେ । ଏ ଖବର ଯଦି ସତ ହୋଇଥାଏ ବେଶ ଚିନ୍ତାଜନକ । ବର୍ଷା ଆରମ୍ଭ ହେବା ପରେ ଖାଦ୍ୟ ସନ୍ଧାନରେ ମାଓବାଦୀ ସଂଗଠନ ରହିଛି । ଏହାର ସୁଯୋଗ ନେଇ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଏନକାଉଣ୍ଟର କରୁଛି ପୋଲିସ । ଅପରେସନ ମନସୁନ୍ରେ ସଫଳ ହୋଇଛନ୍ତି ପୋଲିସ ଓ ମାଓବାଦୀ । ସ୍ଥାନୀୟ ଲୋକେ ଯେମିତି ମାଓବାଦୀଙ୍କୁ ଖାଦ୍ୟ ନ ଯୋଗାନ୍ତି ସେ ସଂପର୍କରେ ସଚେତନ କରାଯାଉଛି । ଭୋକଉପାସରେ ଆଉ କେତେଦିନ ବା ପଡିରହିବେ ବାଧ୍ୟ ହୋଇ ବହୁ ମାଓବାଦୀ ସଂଗଠନ ଛାଡୁଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ସରକାର ଟାର୍ଗେଟ ରଖିଥିବାବେଳେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।