ଭୁବନେଶ୍ୱର ୨୪/୦୭: ରାଜ୍ୟରେ କାଳ ସାଜୁଛି ବଜ୍ରାଘାତ । ବର୍ଷା ସାଙ୍ଗକୁ ବଜ୍ରପାତରେ ଅତିଷ୍ଟ ଜନଜୀବନ । ବୁଧବାର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଯାଇଛି ଅନେକ ଜୀବନ । ଏହାସହ ଆହତ ହୋଇଛନ୍ତି ଅନେକ । ବିଶେଷ କରି ଢେଙ୍କାନାଳରେ ୨ ଓ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର, ନୟାଗଡ, ପୁରୀ, କଟକ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିଭଳି ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗାଁରେ ବଜ୍ରାଘାତରେ ଦୁଇଭାଇଙ୍କ ମୃତ୍ୟୁ ହୋଇଛି ।
ମୃତକ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନନ୍ତପୁର ଗାଁର କୃଷ୍ଣଚନ୍ଦ୍ର ଦେହୁରୀଙ୍କ ଦୁଇ ପୁଅ କମଳକାନ୍ତ ଦେହୁରୀ ଓ ନରେଶ ଦେହୁରୀ । ଉଭୟେ ଏକ ପଥର ଖଣିରେ କାମ କରୁଥିବାବେଳେ ଏପରି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପଣ୍ଡାପଡା ଥାନା ଜଙ୍ଘିରା ପଞ୍ଚାୟତ କଣ୍ଟାପଦା ଗାଁର ଶିବୁ ଶଲିଙ୍ଗଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଶିବୁ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ ।
ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଶିଖରପୁର ଗ୍ରାମର ଚାଷୀ ସୁଦର୍ଶନ ପଲେଇ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ସୁଦର୍ଶନ ବିଲକୁ ଯାଇଥିବାବେଳେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ସାଗର ବେହେରାଙ୍କ ମୃତ୍ୟୁ ହୋଇଛି । ଅପରାହ୍ଣରେ ସେ ଧାନ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେ ସଂଜ୍ଞାହୀନ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ବ୍ରହ୍ମପୁର ପଞ୍ଚାୟତ କାଞ୍ଜିଆ ଗ୍ରାମର କାଳନ୍ଦୀ ସାମଲଙ୍କ ପତ୍ନୀ ବୁଲି ସାମଲଙ୍କ ଜୀବନ ଯାଇଛି । ଜମିରେ ଧାନ ତଳି ରୋଇବା ବେଳେ ବୁଲି ବଜ୍ରପାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ବୁଲିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକ୍ରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ଜଣେ ଗାଈ ଚରାଳି ଓ ଜଣେ ମହିଳା ରହିଛନ୍ତି । ସେମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା ଗ୍ରାମର ବସନ୍ତ ଗୌଡ଼ ଓ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମର ସନ୍ତୋଷିନୀ ବିଶ୍ୱାଳ। ସେହିପରି ଜଣେ ଛେଳି ଜଗୁଆଳ ବେଲଗୁଣ୍ଠା ଗୋଲା ସାହିର ଜି.ସନ୍ତୋଷଙ୍କ ପୁଅ ଜି. କାହ୍ନା ଗୁରୁତର ଆହତ ହୋଇଛନ୍ତି । ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା ଗ୍ରାମ ପାଖ ଜଙ୍ଗଲୀ ରାସ୍ତାରେ ସେହି ଗ୍ରାମର ଉଦୟ ଗୌଡ଼ଙ୍କ ପୁଅ ବସନ୍ତ ଅନ୍ୟଦିନ ଭଳି ଗାଈଗୋଠ ଧରି ଚରାଇବାକୁ ନେଇଥିଲେ ।
ବର୍ଷା ଓ ବିଜୁଳି ଦେଖି ସେ ଗାଈଗୋଠ ଧରି ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଏକ ଗଛ ମୂଳରେ ଅଟକି ରହିଥିଲେ । ଏହି ସମୟରେ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ବସନ୍ତ ଟଳି ପଡ଼ିଥିଲେ । ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ପୁଲିସ ଓ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ ।