ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ଘୋଷଣା

Published By : Prameya-News7 Bureau | July 08, 2025 IST

ଭୁବନେଶ୍ବର ୮।୭: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ସର୍ବ ସମ୍ମତି କ୍ରମେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି । ବିଧିବଦ୍ଧ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ଭାବେ ମନମୋହନ ନିର୍ବାଚିତ ହୋଇଛନ୍ତି ।

ମନମୋହନ ସାମଲଙ୍କ ମୁଣ୍ଡରେ ବିଜେପି ରାଜ୍ୟ ସଭାପତି ତାଜ୍ । ୪ର୍ଥ ଥର ପାଇଁ ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କେନ୍ଦ୍ରୀୟ ନେତୃତ୍ବ ମନମୋହନଙ୍କୁ ମୁଣ୍ଡରେ ଶିରପା ବାନ୍ଧିଛନ୍ତି । ସେଥିପାଇଁ ସୋମବାର କେବଳ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ନାମାଙ୍କନ ପତ୍ର ଭରିଥିଲେ । ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ରାଜ୍ୟ ବିଜେପି ସଭାପତି ପଦରେ କିଏ ବସିବ ସେନେଇ ଦଳ ଭିତରେ ବଡ କସରତ ଚାଲିଥିଲା । ଏଥିପାଇଁ ଅନେକ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ସବୁପକ୍ଷ ଓ କେନ୍ଦ୍ରୀୟ ନେତୃତ୍ବ ମନମୋହନଙ୍କ ନାଁ ଉପରେ ମୋହର ମାରିଥିବା କୁହାଯାଉଥିଲା । ମଙ୍ଗଳବାର ମନମୋହନଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

କେନ୍ଦ୍ରୀୟ ନେତୃତ୍ବ ମନମୋହନଙ୍କ ଉପରେ ଭରସା କରିବା ପଛରେ ଅନେକ କାରଣ ଥିବା କୁହାଯାଉଛି । ପ୍ରଥମ କାରଣ ମନମୋହନଙ୍କ ଜିଦ୍ ଯୋଗୁଁ ବିଜେଡି-ବିଜେପି ମେଣ୍ଟ ହୋଇପାରିନଥିଲା । ଫଳରେ ବିଜେପି ଏକାକୀ ଲଢି କ୍ଷମତାକୁ ଫେରିବାରେ ସଫଳ ହେଲା । ଦ୍ବିତୀୟରେ ମନମୋହନ ଜଣେ ସୁସଂଗଠକ । ତାଙ୍କ ସଭାପତିତ୍ବ ସମୟରେ ବିଜେପି ଥରେ ୨୦୦୦ ମସିହାରେ ମେଣ୍ଟ ସରକାରରେ କ୍ଷମତାକୁ ଆସିବା ସହ ୨୦୨୪ରେ ବିଜେପି ଏକାକୀ ସରକାର ଗଢିଥିଲା । ତୃତୀୟରେ ମନମୋହନଙ୍କ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଉତ୍ତମ ବୁଝାମଣା ଓ ତାଳମେଳ ରହିଛି । ଚତୁର୍ଥରେ ସେ ଜଣେ ଲୋ-ପ୍ରୋଫାଇଲ ନେତା । ତେଣୁ ସବୁ ସମୟରେ ଦଳର କର୍ମୀ ଓ ନେତାଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଭଲ ପାଆନ୍ତି । ପଞ୍ଚମରେ ମନମୋହନଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ରହିଛି । ସେ ୨୦୦୪ରୁ ୨୦୦୮ ଯାଏ ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ଏବେ ଯେହେତୁ ବିଜେପି ସରକାରରେ ଅଛି ସରକାର-ସଂଗଠନ-କର୍ମୀଙ୍କୁ ଏକାଠି କରି ଆଗକୁ ନେବାରେ ମନମୋହନଙ୍କ ଅଭିଜ୍ଞତା ସହାୟକ ହେବ । ସେଥିପାଇଁ ପୁଣି ତାଙ୍କୁ ରାଜ୍ୟ ସଭାପତି ପଦରେ ବସାଯାଇଛି ବୋଲି ଚର୍ଚ୍ଚ ହେଉଛି । 

ଏବେ ମନମୋହନଙ୍କ ଆଗରେ ରହିଛି ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ଚ୍ୟାଲେଞ୍ଜ । ଏହାସହ ବିଜେପି ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରି ଦଳକୁ ଆଗକୁ ନେବା ଏବଂ ସରକାରଙ୍କ କାମ କର୍ମୀଙ୍କ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବା ହେବ ମନମୋହନଙ୍କ ପାଇଁ ଅସଲ ପରୀକ୍ଷା ।

You Can Read: 

ଡଗରା ସମୁଦ୍ର ବେଳାଭୂମି ଅସୁରକ୍ଷିତ, ବଙ୍ଗୀୟ ଦମ୍ପତିଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.