ଭୁବନେଶ୍ୱର: ଲମ୍ବା ଇନିଂସ ଖେଳିବ ବିଜେପି ସରକାର । ସରକାର ୨୦୩୬ ଓ ୨୦୪୭ ମସିହା ବି ଦେଖିବ । ସରକାର ଆସିବା ପୂର୍ବରୁ ଆମେ ଶୋଇନଥିଲୁ କି କାହାକୁ ଶୋଇବାକୁ ଦେଇନୁ । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ ମନମୋହନ । ଏବେ ଦାୟିତ୍ଵ ଛିଣ୍ଡି ନାହିଁ, ଦାୟିତ୍ଵ ବଢ଼ିଗଲା । ସବୁ ଗାଁକୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା । ଏ ଦାୟିତ୍ଵ ମନମୋହନ ସାମଲଙ୍କ ଦାୟିତ୍ଵ ନୁହେଁ । ଏ ଦାୟିତ୍ଵ ସବୁ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ । ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ମନମୋହନ । ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେବା ପରେ ମନମୋହନ ନିଜ ଅଭିଭାଷଣରେ ଏମିତି କିଛି କହିଛନ୍ତି ।
ସେ ଆହୁରି ରହିଛନ୍ତି, କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଞ୍ଚି ପାରିନଥାନ୍ତା। ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ପୂର୍ବରୁ ବିଜେପିକୁ ଗୋଟିଏ ଅସରପା ଓ ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା । ନିଶ ଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା । ୨୦୩୬ରେ ସମୃଦ୍ଧ ଓଡ଼ିଶା ହେବ, ୨୦୪୭ରେ ବିକଶିତ ଭାରତ ହେବ । ଓଡ଼ିଶାର ଏଥିରେ ରହିଛି ସବୁଠୁ ଅଧିକ ଯୋଗଦାନ। ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲା ଏବେ କରୁଛି । ବିଜେପି ସରକାର ହେବା ଯୋଗୁଁ ଧାନ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା, ୭୮ ହଜାର କି.ମି. ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି । ସରକାର ଆସିବା ପରେ ଦାୟିତ୍ଵ ବଢିଛି । ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ଵ ବଢିଛି । ସ୍ବାଧୀନତାର ୭୮ ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି । ସବୁ ସମାଧାନ କରିବାକୁ ହେବ । ସରକାର ଆସିବା ପରେ ନ ଶୋଇ ଲୋକଙ୍କ ପାଇଁ କାମ କରିବୁ । ସମସ୍ତେ ମିଳିମିଶି ଏକ ହୋଇ କାମ କରିବାକୁ ଆହ୍ଵାନ ଦେଲେ ମନମୋହନ । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବାନି । ଅସମ୍ଭବ ବୋଲି କିଛି ନାହିଁ । ପରିଶ୍ରମ କଲେ ସବୁ ସମ୍ଭବ । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି, ଯେଉଁମାନେ ଆମ ବିରୋଧରେ କହିଛନ୍ତି, ସେମାନେ କ୍ଷମତା ଛାଡ଼ି ବର୍ଷେ ରହି ପାରୁନାହାନ୍ତି ।