ଥାନାରେ ଯୁବକଙ୍କ ହାତ-ଗୋଡ଼ ବାନ୍ଧି ନିର୍ଯାତନା, ସାଂସଦଙ୍କ ହସ୍ତକ୍ଷେପ ପରେ ଛାଡିଲେ ଥାନା ଅଧିକାରୀ

Published By : Prameya-News7 Bureau | June 19, 2025 IST

ଭୋଗରାଇ: ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ରଖିଲେ ଥାନାଅଧିକାରୀ । ଖବର ପାଇ ବାଲେଶ୍ୱର ସାଂସଦ ପହଞ୍ଚି ହସ୍ତକ୍ଷେପ କରିବା ସହିତ ଏସପିଙ୍କ ସହିତ ଭିଡିଓ କଲ୍ ପରେ  ଯୁବକଙ୍କୁ ଛାଡିଲେ ଥାନା ଅଧିକାରୀ । ଏହି ଘଟଣା ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। 

ସୂଚନା ଅନୁଯାୟୀ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ମଟରସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ତାଙ୍କ ବିରୋଧରେ ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର   ଜୟନ୍ତୀ ରଥ  ଅଭିଯୋଗ କରିଥିଲେ। ଏହା ପରେ ପୋଲିସ କାର୍ତ୍ତିକଙ୍କୁ ଗତକାଲି ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲେ । ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଗୋଡ଼ ହାତରେ ବେଡି ପକାଇ ଅମାନୁଷିକ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।  ଘଟଣାରେ  ଯୁବକଙ୍କ ସ୍ତ୍ରୀ ଭୋଗରାଇ ବିଜେପି ନେତା ଆଶିଷ ପାତ୍ରଙ୍କ ଠାରେ ଅଭିଯୋଗ କରିଥିଲେ । 

Also read: ଆସନ୍ତା ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

ଆଜି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଗସ୍ତରେ ଥିବା ବେଳେ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ବିଜେପି ନେତା ଅବଗତି କରାଇବା ପରେ ସାଂସଦ ଭୋଗରାଇ ଥାନାକୁ ଆସି   ପ୍ରଥମେ ଘଟଣାର ସତ୍ୟାସତ ଦେଖିଥିଲେ। ବାଲେଶ୍ୱର ଏସପିଙ୍କୁ ସିଧାସଳଖ ଭିଡିଓ କଲ୍ କରି ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ବେଡ଼ିରେ ଏସପିଙ୍କୁ ଦେଖାଇ ଘଟଣାର ହସ୍ତକ୍ଷେପ କରିଥିଲେ । ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବା ସାଂସଦ ପାଖରେ ଯୁବକ ଅଭିଯୋଗ କରିଥିଲେ । 

ଭୋଗରାଇ ଥାନାର ଅଧିକାରୀ ଶ୍ରୀ ବ୍ଲଲଭ ସାହୁ ଏସପିଙ୍କ ସହିତ ଯୋଗାଯୋଗ ପରେ ଅଟକ ଥିବା ଯୁବକଙ୍କୁ ମେଡ଼ିକାଲ ପାଇଁ ପଠାଇଛନ୍ତି। ହାତରେ ଓ ଗୋଡ଼ରେ ବେଢ଼ି ପକାଇବା ଘଟଣାକୁ ସାଂସଦ ନିନ୍ଦା କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିବା ବେଳେ ଥାନାରେ କର୍ମଚାରୀ ଅଭାବରୁ ଏଭଳି ବେଢ଼ି ପକା ଯାଇଛି ବୋଲି ଭୋଗରାଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଘଟଣାକୁ ନେଇ ଭୋଗରାଇ ବିଜେପି ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.