Live Live
LIVE

ପଡ଼ୋଶୀ ଉପରେ ଆକ୍ରମଣ ବନ୍ଦ କଲା ଇରାନ: କ୍ଷମା ମାଗିଲେ ରାଷ୍ଟ୍ରପତି ପେଜେଶ୍‌କିଆନ

NEWS7
mamata-banerjee-once-again-backs-sourav-ganguly-after-bcci-snub

ନୂଆଦିଲ୍ଲୀ: ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ। ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ପାଇଁ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍‌କିଆନ। ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପେଜେଶ୍‌କିଆନ କହିଛନ୍ତି। ଏକ ଟେଲିଭିଜନ ସମ୍ବୋଧନରେ, ପେଜେଶ୍‌କିଆନ କହିଛନ୍ତି ଯେ ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖିବା ଏବଂ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଯଦି ଏହି ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

ପଡ଼ୋଶୀ ଉପରେ ଆକ୍ରମଣ ବନ୍ଦ କଲା ଇରାନ

ପେଜେଶ୍‌କିଆନ କହିଛନ୍ତି ଯେ ପଡ଼ୋଶୀ ଦେଶଗୁଡ଼ିକ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବା ପାଇଁ ଇରାନ ନେତୃତ୍ୱ ପରିଷଦ ନିଷ୍ପତ୍ତିକୁ ଅନୁମୋଦନ ଦେଇଛନ୍ତି। ତେବେ ଇରାନ ଉପରେ ଆକ୍ରମଣ ହେଲେ ଏହାର ଜବାବ ଦେବାକୁ ମଧ୍ୟ ଅଧିକାର ରଖାଯାଇଛି ବୋଲି ସେ କହିଛନ୍ତି। ପେଜେଶ୍‌କିଆନ କହିଛନ୍ତି “ଅସ୍ଥାୟୀ ନେତୃତ୍ୱ ପରିଷଦ ଘୋଷଣା କରିଛି ଯେ ପଡ଼ୋଶୀ ଦେଶଗୁଡ଼ିକରୁ ଇରାନ ବିରୁଦ୍ଧରେ ଆକ୍ରମଣ ନ ହେଲେ ଆଉ କୌଣସି ଆକ୍ରମଣ ହେବ ନାହିଁ ଏବଂ କୌଣସି କ୍ଷେପଣାସ୍ତ୍ର ଲଞ୍ଚ ହେବ ନାହିଁ।” ପଡ଼ୋଶୀଙ୍କ ଉପରେ ଆକ୍ରମଣ ବନ୍ଦ କରିଥିଲେ ବି ଇରାନ ଇସ୍ରାଏଲ୍ ଉପରେ ଆଟାକ ଜାରି ରଖିଛି। କାରଣ ଆମେରିକା ଯୁଦ୍ଧକୁ ଆହୁରି ବଢ଼ାଇବାକୁ ଚାହୁଁଛି।

ଇରାନ ନିଃସର୍ତ୍ତ ଆତ୍ମସମର୍ପଣ ଚାହୁଁଛନ୍ତି ଟ୍ରମ୍ପ

ଇରାନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଆହୁରି କଠୋର ହୋଇଛି। ଏଥର କୌଣସି ଚୁକ୍ତି ନୁହେଁ ନିଃସର୍ତ୍ତ ଆତ୍ମସମର୍ପଣ କର ବୋଲି କହିଛନ୍ତି ଟ୍ରମ୍ପ। ଇରାନ ସହ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଆମେରିକା ଏବେ ସ୍ଥଳଭାଗରେ ଲଢ଼େଇ ଆରମ୍ଭ କରିବାକୁ ଚିନ୍ତା କରୁଛି। ହେଲେ ଇରାନ ବି ଚେତାବନୀ ଦେଇଛିଯଦି ସ୍ଥଳଭାଗରେ ସେନା ଉତାର ତେବେ ସ୍ଥିତି ସାଂଘାତିକ କରି ଦେବୁ। ଏହାରି ଭିତରେ ଟ୍ରମ୍ପ ଶୁକ୍ରବାର ଇରାନକୁ ସିଧା ଧମକାଇଛନ୍ତି। କୂଟନୈତିକ ରାସ୍ତା ବାହାରିବା ପୂର୍ବରୁ ତେହେରାନକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ଟ୍ରମ୍ପ ଟ୍ରୁଥ ସୋଶାଲ୍‌ରେ ପୋଷ୍ଟ କରି ଲେଖିଛନ୍ତି।

ଇରାନ ଆତ୍ମସମର୍ପଣ କରିବା ପରେ ଏହାର ଏକ ସମାଧାନ ଦିଗ ବାହାରିବ। ଏହାପରେ ଦେଶର ଏକ ମହାନ ଓ ସର୍ବଗ୍ରହଣୀୟ ନେତା ଚୟନ କରାଯିବ। ତାପରେ ଆମେ ଓ ଆମର ସୁନ୍ଦର ଓ ସାହସୀ ସହଯୋଗୀ ପାର୍ଟନରମାନେ ମିଶି ଇରାନକୁ ଧ୍ୱଂଶ ମୂଖରୁ ଫେରାଇ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବୁ। ଇରାନର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସେମାନେ ସହଯୋଗ କରିବେ ବୋଲି ଟ୍ରମ୍ପ କହିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ଚିରାଚରିତ ଡାଇଲଗ ମାରିଛନ୍ତି। ଟ୍ରମ୍ପ ଲେଖିଛନ୍ତିମେକ ଇରାନ ଗ୍ରେଟ୍ ଏଗେନ।ମାନେ ଚାଲ ଇରାନକୁ ଆଉଥରେ ମହାନ କରି ଗଢ଼ି ତୋଳିବା।

ସେପଟେ ଇରାନ କହିଛି ଯେ କୂଟନୀତି ପାଇଁ ଏବେ ବି ଆଶା ରହିଛି। ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍‌କିଆନ କହିଛନ୍ତି ଯେ କିଛି ଦେଶ ଆମେରିକା ଏବଂ ଇସ୍ରାଏଲ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ ଆରମ୍ଭ କରିଛନ୍ତି।ଯଦିଓ କେଉଁ ଦେଶ ଏହି ଉଦ୍ୟମ କରିଛନ୍ତି ସେ ଜାଣି ନାହାନ୍ତି ବୋଲି ପେଜେଶ୍‌କିଆନ କହିଛନ୍ତି। ତେବେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଆରମ୍ଭ ହେବା ପରଠାରୁ କତାରତୁର୍କୀ,ଇଜିପ୍ଟ ଏବଂ ଓମାନ ସମସ୍ତେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇ ଆସୁଛନ୍ତି ବୋଲି କୁହାଯାଉଛି।

ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧକୁ ସପ୍ତାହ ପୂରିଛି। ଏହାରି ଭିତରେ ଇରାନରେ ୧୩୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲି ଖାମେନିଙ୍କ ସମେତ ଏକାଧିକ ସେନା କମାଣ୍ଡର ଓ ସାଧାରଣ ଜନତାଙ୍କ ଜୀବନ ଯାଇଛି। ଆମେରିକା ଇରାନ ସ୍କୁଲ୍ ଉପରେ ଆକ୍ରମଣ କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ମାରିଛି। ସେପଟେ ଇରାନ ଆଟାକ୍ରେ ଇସ୍ରାଏଲର ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ମଧ୍ୟ ୬ ଜଣ ସର୍ଭିସ୍ ମେମ୍ବରଙ୍କର ଜୀବନ ଯାଇଛି।