କୋଲକାତା: ମୁର୍ଶିଦାବାଦ ହିଂସା ରୋକିବାରେ ବେଙ୍ଗଲ ସରକାରଙ୍କ ବିଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା ଉପରେ ଜବାବ ଦେଇଛନ୍ତି ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀ ବିଭାଜନ ଓ ଶାସନ ପାଇଁ ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ମମତା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଆସନ୍ତାକାଲି ନିର୍ବାଚନ ହେଲେ ବି ଲଢିବା ପାଇଁ ଟିଏମସି ପ୍ରସ୍ତୁତ ଅଛି ।
ମମତା ବାନାର୍ଜୀ କହିଛନ୍ତି, 'ମୋଦୀ ଜୀ ଆଜି ଯାହା କହିଛନ୍ତି, ଏହା ଶୁଣି ଆମେ କେବଳ ଆଶ୍ଚର୍ଯ୍ୟ ହୋଇନୁ ବରଂ ବହୁତ ଦୁଃଖିତ ମଧ୍ୟ । ଯେତେବେଳେ ବିରୋଧୀ ଦଳ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି, ତାଙ୍କ ଉପସ୍ଥିତିରେ, ତାଙ୍କ ମନ୍ତ୍ରୀ କହିଥିଲେ ଯେ ସେମାନେ ଅପରେସନ ସିନ୍ଦୂର ପରି ଅପରେସନ ବେଙ୍ଗଲ କରିବେ । ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି - ଯଦି ସେମାନଙ୍କର ସାହସ ଅଛି, ତେବେ କାଲି ନିର୍ବାଚନରେ କରାଅ, ଆମେ ପ୍ରସ୍ତୁତ ଏବଂ ବେଙ୍ଗଲ ଆପଣଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ।'
ବିଜେପିକୁ "ଜୁମଲା ପାର୍ଟି" କହି ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମିଛ ପ୍ରଚାର କରୁଛନ୍ତି ଏବଂ ଦଳର ଲାଭ ପାଇଁ ଅପରେସନ ସିନ୍ଦୂରକୁ ରାଜନୀତିକରଣ କରୁଛନ୍ତି । ମମତା ଏହା ମଧ୍ୟ କହିଛନ୍ତି ଯେ ଅପରେସନ ସିନ୍ଦୁର ଏବଂ ପାକିସ୍ତାନ ସହିତ ଭାରତର ବିବାଦ ବେଳେ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ କରୁଥିବାରୁ ମୋଦୀଙ୍କ ମନ୍ତବ୍ୟ ନିରାଶାଜନକ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗୁରୁବାର ଆଲିପୁରଦୁଆରରେ ବିଜେପି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗଲ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିଠାରୁ ଆରମ୍ଭ କରି ଲୋକଙ୍କ ଅଧିକାର ଉପରେ ଆକ୍ରମଣ ନେଇ ମମତା ବାନାର୍ଜୀ ସରକାରଙ୍କୁ ଘେରିଥିଲେ । ଟିଏମସି ପଶ୍ଚିମବଙ୍ଗର ଗରିବଙ୍କ ଅଧିକାର ଛଡ଼ାଇ ନେଇଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ‘ସମାଜରେ ହିଂସା ଏବଂ ଅରାଜକତାର ସଙ୍କଟ ବ୍ୟାପିଛି । ଆମର ମାଆ ଏବଂ ଭଉଣୀମାନେ ଅସୁରକ୍ଷିତ ଏବଂ ଘୃଣ୍ୟ ଅପରାଧର ଶିକାର ହେଉଛନ୍ତି । ଯୁବପିଢ଼ିଙ୍କ ମଧ୍ୟରେ ଚରମ ହତାଶା ରହିଛି । ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ନିରନ୍ତର ହ୍ରାସ ପାଉଛି । ଶାସକ ଦଳର ସ୍ୱାର୍ଥପର ରାଜନୀତି ଗରିବ ଲୋକଙ୍କ ଅଧିକାରକୁ ଛଡ଼ାଇ ନେଇଛି ।'