ରିଲିଜ୍ ହେବ ‘ମାମା ଓ୍ୱେଡ୍ସ ପାପା’ର ହିନ୍ଦୀ ଭର୍ସନ, ଓଟିଟିରେ ଆସିବ ଖୁବଶୀଘ୍ର

Published By : Prameya-News7 Bureau | June 15, 2025 IST

ଭୁବନେଶ୍ୱର ୧୫।୦୬ : ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ହିନ୍ଦୀ ଭର୍ସନରେ ଓଡ଼ିଆ ସିନେମା ‘ମାମା ଓ୍ବେଡ୍ସ ପାପା’ର ସ୍ବତନ୍ତ୍ର ସ୍କ୍ରିନିଂ ।  ଭୁବନେଶ୍ୱରସ୍ଥିତ ଆଇନକ୍ସ ଭବାନି ମଲ ସ୍ଥିତ ପ୍ରେକ୍ଷାଳୟରେ ‘ମାମା ଓ୍ବେଡ୍ସ ପାପା’ର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଥିଲା । ଏହାପୂର୍ବରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବିମାନ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଏହି ସିନେମାର  ସ୍ବତନ୍ତ୍ର ସ୍କ୍ରିନିଂ ହୋଇଥିଲା ।

ଓଡ଼ିଆ ଚଳଚ୍ଚିତ୍ର ‘ମାମା ଓ୍ବେଡ୍ସ ପାପା ’ ଜାତୀୟ ଓଟିଟିରେ ସ୍ଥାନ ପାଇବ। ପୂର୍ବରୁ ଏହି ସିନେମା ଓଡ଼ିଆ ଭାଷାରେ ରିଲିଜ ହୋଇ ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲା। ବର୍ତ୍ତମାନ ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି । ଯାହା ହିନ୍ଦୀ ଭର୍ସନରେ ଆସିବ । ଏକ ଓଡ଼ିଆ ଫିଲ୍ମ ଜାତୀୟ ଓଟିଟିରେ ସ୍ଥାନ ପାଇବା ଓଡିଶା ସିନେମା ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ବୋଲି ସିନେପ୍ରେମୀ କହିଛନ୍ତି । 

ଏହାର କାହାଣୀ ଗୋଟିଏ କୁନି ଝିଅ ତା’ର ପାପା ମାମାଙ୍କର କିଭଳି ବାହାଘର କରୁଛି ତାକୁ ନେଇ ଗତିଶୀଳ ହୋଇଛି । ପୂର୍ବରୁ ଏହାର ଦମଦାର୍ କାହାଣୀ ଏବଂ ସୁନ୍ଦର ଗୀତ ସିନେମାଟିକୁ ବେଶ୍ ଲୋକପ୍ରିୟ କରିବାରେ ସଫଳ ହୋଇଥିଲା। ୨ବର୍ଷ ତଳେ ଏହି ସିନେମା ଓଡ଼ିଆ ଭାଷାରେ ସିନେମା ହଲରେ ରିଲିଜ ହୋଇଥିଲା। ଏହାର ଗୀତକୁ ଆଜି ବି ଦର୍ଶକ ଗୁଣୁଗୁଣାଇଥା'ନ୍ତି। ହଲରେ ରିଲିଜ ହେବା ପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ହିନ୍ଦୀ ଭର୍ସନରେ ରିଲିଜ କରିବାକୁ ଯୋଜନା ରଖାଯାଇଥିଲା ।  

ଏହି ଚର୍ଚ୍ଚିତ ଚଳଚ୍ଚିତ୍ରଟି ଶ୍ରୀହାନ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ହୋଇଛି। ପ୍ରଯୋଜନାରେ ଅଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ବରେ ଆପ୍ପୁ କାନୁନଗୋ ରହିଛନ୍ତି । ସେହିପରି ସଂଗୀତରେ ଅସଦ ନିଗମ ଥିବା ବେଳେ ଡିଓପିରେ ନିରଞ୍ଜନ ଦାଶ ଏବଂ ପ୍ରଚାର ପ୍ରସାର ଦାୟିତ୍ୱରେ ଗୁରୁପ୍ରଦ ନାଥ ରହିଛନ୍ତି । ପ୍ରଥମ ଥର ପାଇଁ ଏଥିରେ ବଲିଉଡ଼ ଅଭିନେତା କୃଷ୍ଣା ଅଭିଷେକ ସ୍କ୍ରିନ ସେୟାର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସ୍ବତନ୍ତ୍ର ସ୍କ୍ରିନିଂରେ ଓଲିଉଡ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ଅଭିନେତା, ଅଭିନେତ୍ରୀ ଏବଂ ସାମ୍ବାଦିକମାନେ ଯୋଗଦେଇ ଏହି ସିନେମାକୁ ବେଶ୍ ପ୍ରଶଂସା କରିଛନ୍ତି । ଅପରପକ୍ଷେ ଏହି ସିନେମାଟି ଓଡିଶା ଭଳି ଜାତୀୟ ସ୍ତରରେ ମଧ୍ୟ ଲୋକପ୍ରିୟତା ସାଉଣ୍ଟିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.