ମୁମ୍ୱାଇ ୩୧/୦୭: ମହାରାଷ୍ଟ୍ରର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆସିଲା ରାୟ । ୧୭ ବର୍ଷ ପୂର୍ବେ ଘଟିଥିଲା ଘଟଣା। ଆଜି ଆସିଛି ରାୟ। ତେବେ ରାୟରେ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ ସ୍ୱତନ୍ତ୍ର କୋର୍ଟ। ଏଥିମଧ୍ୟରେ ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରୟାଗ ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସୁଧାକର ଚୈତନ୍ୟ, ଅଜୟ ରହୀରକର, ସୁଧାକର ଧର ଦ୍ୱିବେଦୀ ଏବଂ ସମୀର କୁଲକର୍ଣ୍ଣିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
କହିବାକୁ ଗଲେ ଭୋପାଳର ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ଏହି ସମ୍ପୂର୍ଣ୍ଣ ମାମଲାରେ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା । ଏହି ବିସ୍ଫୋରଣ ୨୯ ସେପ୍ଟେମ୍ବର ୨୦୦୮ରେ ଘଟିଥିଲା। କୋର୍ଟ ତାଙ୍କ ରାୟରେ ସ୍ୱୀକାର କରିଛନ୍ତି ଯେ ଏନଆଇଏ ସମସ୍ତ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛି।
କୋର୍ଟ ପୀଡିତ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, କୋର୍ଟ କହିଛନ୍ତି ଯେ ଆତଙ୍କବାଦର କୌଣସି ରଙ୍ଗ କିମ୍ବା ଧର୍ମ ନାହିଁ। ଏନଆଇଏ କୋର୍ଟ କହିଛନ୍ତି ଯେ ସରକାରୀ ଓକିଲ ପ୍ରମାଣ କରିଛନ୍ତି ଯେ ମାଲେଗାଓଁରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ସେମାନେ ପ୍ରମାଣ କରିପାରି ନାହାଁନ୍ତି ଯେ ବୋମା ବାଇକରେ ରଖାଯାଇଥିଲା।
ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସମଗ୍ର ମାମଲାର ପ୍ରାରମ୍ଭିକ ତଦନ୍ତ ମହାରାଷ୍ଟ୍ର ATS ଦ୍ୱାରା କରାଯାଇଥିଲା। ଯଦିଓ ମାମଲାଟି ୨୦୧୧ ମସିହାରେ NIAକୁ ହସ୍ତାନ୍ତର କରାଯାଇଥିଲା । ପ୍ରାୟ ୫ ବର୍ଷର ତଦନ୍ତ ପରେ, NIA ୨୦୧୬ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।
ରାୟ ଦେବା ସମୟରେ କ’ଣ କହିଥିଲେ ବିଚାରପତି ?
୧-ATS ଓ NIA ଚାର୍ଜସିଟ୍ ମଧ୍ୟରେ ବହୁତ ପାର୍ଥକ୍ୟ
୨-ପ୍ରତିରକ୍ଷ ପ୍ରମାଣ କରିବାରେ ବିଫଳ, ଯେ ବୋମା ମୋଟରସାଇକେଲରେ ଥିଲା
୩-ପ୍ରସାଦ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହି । ନା ସେ ବୋମା ତିଆରି କରିଥିଲେ ନା ଯୋଗାଇଥିଲେ । ବୋମା କିଏ ରଖିଥିଲା ତାହା ପ୍ରମାଣିତ ହୋଇପାରିଲା ନାହିଁ।
୪-ଘଟଣା ପରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରମାଣ ସଂଗ୍ରହ କରାଯାଇନଥିଲା
୫-ପ୍ରମାଣର ନାହିଁ ତାଳମେଳ
୬-ଘଟଣା ପରେ, ସେହି ସ୍ଥାନରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ପୋଲିସ ବାହିନୀ ଉପରେ ଆକ୍ରମଣ କରିଥିଲେ।
୭-ସାଧ୍ୱୀଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରମାଣ କରିବାରେ ବିଫଳ ହୋଇଥିଲେ ଯେ ବାଇକ୍ ଟି ସାଧ୍ୱୀଙ୍କ ଥିଲା ।
୮-ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି ଯେ ବାଇକ୍ ଟି ସାଧ୍ୱୀଙ୍କ ଥିଲା କିନ୍ତୁ ପ୍ରତିପକ୍ଷ ବାଇକର ଚେସିସ୍ ନମ୍ବର ଖୋଜିବାରେ ବିଫଳ ହୋଇଛି ।
୯-ରାୟ ପଢିବା ସମୟରେ କୋର୍ଟ କହିଛନ୍ତି ଯେ ପ୍ରତ୍ୟକ୍ଷଦର୍ଶୀମାନେ ସେମାନଙ୍କର ବୟାନ ବଦଳାଇ ଦେଇଛନ୍ତି।
୧୦-ଅଭିନବ ଭାରତର ନାମ ବାରମ୍ବାର ଉଲ୍ଲେଖ କରାଯାଉଛି । ପ୍ରସାଦ ପୁରୋହିତ ଟ୍ରଷ୍ଟି ଥିଲେ, ଅଜୟ ରାହିରକର କୋଷାଧ୍ୟକ୍ଷ ଥିଲେ । ଉଭୟଙ୍କ ଆକାଉଣ୍ଟରେ ଟଙ୍କା କାରବାରର ପ୍ରମାଣ ଅଛି କିନ୍ତୁ ଏହି ଟଙ୍କା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇନଥିଲା। ପୁରୋହିତ ଏହି ଟଙ୍କାକୁ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହାର କରିଥିଲେ।