Puri Hotel : ଏଥର କ’ଣ ପୁରୀରେ ଜଗା ଦର୍ଶନ କରି ହେବନି ? ରହିବାକୁ ସୁବିଧା ନାହିଁ, ପର୍ଯ୍ୟଟକ ହିନସ୍ତା

NEWS7
makar-sankranti-the-luck-of-this-zodiac-sign

ଭୁବନେଶ୍ୱର :ଦିନକ ପରେ ବଡ଼ଦିନ, ତାପରେ ପୁଣି ଇଂରାଜୀ ନୂଆବର୍ଷ । ଏଥିପାଇଁ ସବୁଠି ସେଲିବ୍ରେସନର ମାହୋଲ। ପିକନିକ୍ ଓ ପାର୍ଟି ବିଭିନ୍ନ ସ୍ଥାନରେ ଆରମ୍ଭ ବି ହୋଇଗଲାଣି। ବିଭିନ୍ନ ପର୍ଯ୍ୟଟକ କ୍ଷେତ୍ରରେ ଭିଡ଼ ବି ଜମିଲାଣି। ଏଥିରୁ କେମିତି ବାଦ୍ ପଡ଼ିବ ପୁରୀ। ନୂଆବର୍ଷ ପ୍ରଥମ ସୂର୍ଯ୍ୟ ଦର୍ଶନ ସାଙ୍ଗକୁ ମହାପ୍ରଭୁଙ୍କ ନିକଟରେ ଶୁଭକାମନା ଲାଗି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ବିଶେଷକରି ବଡ଼ଦିନ ପୂର୍ବରୁ ପୁରୀକୁ ଆସି ନୂଆ ବର୍ଷ କଟାଇ ଅନେକ ଫେରିଥାନ୍ତି । କିନ୍ତୁ ଏବେ ଚିନ୍ତାର ବିଷୟ ପାଲଟିଛି ରହିବା। କାରଣ ସହରର ହୋଟେଲ, ଧର୍ମଶାଳା, ଲଜିଂ, ମଠ ସବୁ ପ୍ୟାକ୍ ହୋଇଗଲାଣି । ସରକାରୀ ଗେଷ୍ଟ ହାଉସ୍ରେ ବି ସମାନ ଅବସ୍ଥା । ବଡ଼ ବଡ଼ ତାରକା ହୋଟେଲରେ ମାସେ ଦୁଇ ମାସ ଆଗରୁ ରୁମ୍ ବୁକ୍ ସରିଛି । ଯେଉଁ ଛୋଟ ଛୋଟ ହୋଟେଲରେ କିଛି ବି ରୁମ୍ ଅଛି ଅଧିକ ଦର ଦେବାକୁ ପର୍ଯ୍ୟଟକଙ୍କୁ କହୁଛନ୍ତି । ପୂର୍ବରୁ ଯେଉଁମାନେ ହୋଟେଲ୍, ଲଜ୍ ବୁକ୍ କରିଛନ୍ତି, ସେମାନଙ୍କ ପାଇଁ ଅସୁବିଧା ନାହିଁ । କିନ୍ତୁ ଏବେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ବା ଆସୁଛନ୍ତି ସେମାନଙ୍କୁ ରୁମ୍ ମିଳୁନଥିବାରୁ ହିନସ୍ତା ହେଉଛନ୍ତି ।

ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ, ପୁରୀ ସହରରେ ୭୦୦ରୁ ଊଦ୍ଧ୍ୱର୍ ହୋଟେଲ୍ ଓ ଲଜ୍ ରହିଛି । ଏଥିରେ ପ୍ରାୟ ୫୦ହଜାରରୁ ଊଦ୍ଧ୍ୱର୍ ଲୋକ ରହିପାରିବେ । କିନ୍ତୁ ପ୍ରକୃତରେ ପୁରୀ ସହରରେ ହୋଟେଲ୍, ଲଜିଂ, ହଲିଡେ ହୋମ୍, ଧର୍ମଶାଳା, ମଠ ଆଦି ମିଶିଲେ ୧୫୦୦ରୁ ଅଧିକ ହେବ । ଏଥିରୁ ବଡ଼ ବଡ଼ ହୋଟେଲ୍ରେ ରୁମ୍ ବୁକ୍ ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଥିବାବେଳେ କିଛି ହୋଟେଲ ଏବଂ ଲଜିଂରେ ସ୍ପଟ ବୁକିଂ ସୁବିଧା ରହିଛି । ସାଧାରଣ ଦିନମାନଙ୍କରେ ବଡ଼ ବଡ଼ ହୋଟେଲ୍ରେ ପର୍ଯ୍ୟଟକଙ୍କୁ ୨୦ରୁ ୫୦% ପର୍ଯ୍ୟନ୍ତ ରିହାତି ମିଳିଥାଏ । ଛୋଟ ହୋଟେଲରେ କମ୍ ମୂଲ୍ୟ ଦେଇ ରହିବାର ସୁବିଧା ମଧ୍ୟ ପାଇଥାନ୍ତି ପର୍ଯ୍ୟଟକ । କିନ୍ତୁ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ପର୍ଯ୍ୟଟକ ଦୁଇଗୁଣା ଦର ଦେବାକୁ ରାଜି ଥିଲେ ବି ହୋଟେଲରେ ରୁମ୍ ମିଳୁନାହିଁ । ଅନ୍ୟପକ୍ଷରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଭିଆଇପି ଓ ଭିଭିଆଇପି ପୁରୀମୁହାଁ ହୋଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ନୂଆବର୍ଷରେ ପୁରୀ ଆସିବେ । ସହରରେ ସରକାରୀ ବଙ୍ଗଳା କହିଲେ ସ୍ୱତନ୍ତ୍ର ସର୍କିଟ୍ ହାଉସ ସହ ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗର ବଙ୍ଗଳା ରହିଛି । ଏଠାରେ ସବୁ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ରହିବା ଲାଗି ପୂର୍ବରୁ ସ୍ଥିରିକୃତ ହୋଇ ରହିଛି । ପର୍ଯ୍ୟଟନ ବିଭାଗ ପାନ୍ଥନିବାସରେ ମଧ୍ୟ କୌଣସି ରୁମ୍ ଖାଲି ନାହିଁ । ପୂର୍ବରୁ ସର୍କିଟ ହାଉସ୍ରେ ୪୪ଟି ରୁମ୍ ରହିଥିଲା । ଏହାର ନବକଳେବର ହେବା ପରେ ରୁମ୍ ସଂଖ୍ୟା ୮୦ରେ ପହଞ୍ଚିଛି ।

ଅଧିକାଂଶ ରୁମ୍ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ଲାଗି ସଂରକ୍ଷିତ ଥିବାବେଳେ ବାକି କିଛି ରୁମ୍ ଜରୁରୀକାଳୀନ ଲାଗି ନିଜ ହାତରେ ରଖାଯାଇଥିବା ଜଣାପଡ଼ିଛି । ଏସମ୍ପର୍କରେ ଓଡ଼ିଶା ହୋଟେଲ ଆଣ୍ଡ୍ ରେସ୍ତୋଁରା ଆସୋସିଏସନ୍ (ହାରୋ)ର ଉପାଧ୍ୟକ୍ଷ ତଥା ପୁରୀ ହୋଟେଲ ଆସୋସିଏସନ୍ ଉପସଭାପତି ରାଜକିଶୋର ପାତ୍ର କହିଛନ୍ତି, ବଡ଼ଦିନ ଓ ନୂଆ ବର୍ଷ ଲାଗି ଆମେ ପ୍ରସ୍ତୁତ । ଅଧିକାଂଶ ରୁମ୍ ଅନ୍ଲାଇନ୍ରେ ବୁକିଂ ସରିଛି । ଅଧିକ ସଂଖ୍ୟାରେ ପର୍ଯ୍ୟଟକ ପୁରୀକୁ ଆସନ୍ତୁ ବଡ଼ଦିନ ଓ ନୂତନ ବର୍ଷ ମଜାରେ ପାଳନ କରନ୍ତୁ । ହୋଟେଲ ଆସୋସିଏସନ ପକ୍ଷରୁ ସମସ୍ତ ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ କୁହାଯାଇଛି । ଏପରିକି ନୂଆବର୍ଷକୁ ନୂଆଢଙ୍ଗରେ ସ୍ୱାଗତ କରିବା ଲାଗି ତାରକା ହୋଟେଲରେ ନାଚଗୀତ ଆୟୋଜନ କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ହୋଟେଲିୟର ତଥା ଇଣ୍ଡିଆ-ଜାପାନ ଫେଣ୍ଡସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ମହାପ୍ରଭୁଙ୍କୁ ନୂଆବର୍ଷରେ ଦର୍ଶନ ଲାଗି ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ହେବ । ତେଣୁ ସମସ୍ତ ହୋଟେଲ୍ରେ ୯୫% ବୁକିଂ ସରିଲାଣି । ଏହି ସମୟରେ ପର୍ଯ୍ୟଟକଙ୍କଠାରୁ ରୁମ୍ ଦର ଅଧିକ ନ ନେବାକୁ ସେ ସମସ୍ତ ହୋଟେଲିୟରଙ୍କୁ ସେ ଅନୁରୋଧ କରିଛନ୍ତି । ପର୍ଯ୍ୟଟକମାନେ ଏକ ଭଲ ଅନୁଭୂତି ନେଇ ଫେରିଲେ ଆଗାମୀ ଦିନରେ ସଂଖ୍ୟା ବଢ଼ିବ ବୋଲି ଶ୍ରୀ ଦାଶ ଆଶାବ୍ୟକ୍ତ କରିଛନ୍ତି ।