IAFକୁ ଓମାନ ଦେବ ୨୦ରୁ ଅଧିକ ଜାଗୁଆର ଜେଟ୍ ଫାଇଟର ବିମାନ, ଜାଣନ୍ତୁ ଲାଗିବ କେଉଁ କାମରେ

NEWS7
mahesh-bhatt-heart-surgery-know-health-update

ନୂଆଦିଲ୍ଲୀ ୭।୧୨: ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କ ବାୟୁସେନାରୁ ପୁରୁଣା ଜାଗୁଆର ଯୁଦ୍ଧ ବିମାନ କେବେଠୁ ରିଟାୟର କରିସାରିଲେଣି। ଏଥିରେ ଓମାନ ତାର ୨୦ରୁ ଅଧିକ ଜାଗୁଆର ବିମାନଙ୍କୁ ଭାରତକୁ ଦେବାକୁ ନିଷ୍ପତ୍ତି କରିଛି। ଏହି ଯୁଦ୍ଧବିମାନ ଉଡାଣ କରିବାକୁ ନୁହେଁ ବରଂ ଏ ଗୁଡିକୁ ଭାଙ୍ଗି ଏଥିରୁ ସ୍ପେୟାରପାର୍ଟସ କଢାଯିବ। ଭାରତୀୟ ବାୟୁସେନା (ଆଇଏଏଫ) ପାଇଁ ଏହି ବିମାନ ଏଥି ପାଇଁ ଜରୁରି ଯେ ଭାରତ ବିଶ୍ୱର ସେହି ବଛାବଛା ଦେଶଙ୍କ ମଧ୍ୟରେ ରହିଛି ଯେଉଁମାନେ ଏବେବି ଏହି ଆଂଗ୍ଲୋ-ଫ୍ରେଞ୍ଚ ଯୁଦ୍ଧବିମାନଙ୍କୁ ଉପଯୋଗ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜାଗୁଆର ଯୁଦ୍ଧବିମାନ ନିର୍ମାଣ କରୁଥିବା ବିଶ୍ୱର କମ୍ପାନୀମାନେ ବନ୍ଦ ହୋଇଗଲେଣି। ବ୍ରିଟେନ ଓ ଫ୍ରାନ୍ସ ନିଜ ବାୟୁସେନାରେ ରଖିଥିବା ଜାଗୁଆରକୁ କେବେଠୁ ରିଟାୟାର୍ଡ କରିସାରିଲେଣି। ଓମାନ ଏବେ ସେମାନଙ୍କୁ ବାୟୁସେନାରୁ ରିଟାୟାର କରିଛି। ଏଥିରେ ଭାରତୀୟ ବାୟୁସେନା ନିକଟରେ ଏହି ବିମାନର ସ୍ପେୟାର ପାର୍ଟସର ଅଭାବ ଥିଲା। ଆଇଏଫର ୬ଟି ଜାଗୁଆର ସ୍କ୍ୱାଡ୍ରନ ରହିଛି। ପ୍ରତି ସ୍କ୍ୱାଡ୍ରନରେ ୧୮ରୁ ୨୦ଟି ବିମାନ ଅଛନ୍ତି। ଏଣୁ ଏହି ବିମାନ ପାଇଁ ଆବଶ୍ୟକ ସ୍ପେୟାର ପାର୍ଟସ୍ ଓମାନରୁ ମିଳିବାକୁ ଥିବା ଜାଗୁଆରରୁ ବାହାର କରାଯିବ।

ଭାରତକୁ ୧୯୭୯ ମସିହାରେ ଜାଗୁଆର ଯୁଦ୍ଧବିମାନ ଆସିଥିଲା। ଦୀର୍ଘ ବର୍ଷରୁ ଏହି ବିମାନଗୁଡିକ କାମ କରିଆସୁଛନ୍ତି। ତେବେ ସମୟ ସହିତ ଏହି ବିମାନ ଲାଗି ସ୍ପେୟାର ପାର୍ଟସ ଯୋଗାଡ କରିବା କଷ୍ଟକର ହେଉଛି। ଏଥିରେ ଓମାନରୁ ପୁରୁଣା ବିମାନ ମିଳିବା ଆଇଏଏଫ ଲାଗି ବେଶ୍ ସହାୟକ ସାବ୍ୟସ୍ତ ହେବ। ଜାଗୁଆରକୁ ଭାରତ ସର୍ବଦା ନିର୍ଭରଯୋଗ୍ୟ ଓ ମଜଭୁତ ବିମାନ ମାନି ଆସିଛି। ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଏହି ବିମାନର ଉପଯୋଗ ହୋଇଥିଲା। ଏହା ଛଡା ପାକିସ୍ତାନ ଭିତରକୁ ଆକ୍ରମଣ ପାଇଁ ଏହି ବିମାନକୁ ବ୍ୟବହାର କରାଯାଉଛି।

ଓଭର ହାଉଲ ଓ ଅପଗ୍ରେଡ ଯୋଗେ ଏହି ବିମାନଗୁଡିକର ଆୟୁଷ ବୃଦ୍ଧି କରାଯାଉଛି। ହେଲେ ସମସ୍ୟା ସେଇଆ ରହିଛି ତାହା ହେଉଛି ସ୍ପେୟାର ପାର୍ଟସ୍। ଏହା ପୂର୍ବରୁ ଫ୍ରାନ୍ସ ପାଖାପାଖି ୩୦ଟି ରିଟାୟାର୍ଡ ଜାଗୁଆର ଭାରତକୁ ଦେଇଥିଲା। ବ୍ରିଟେନ ଏବଂ ଓମାନ ମଧ୍ୟ କିଛି ପୁରୁଣା ବିମାନ ପଠାଇଥିଲେ। ଏବେ ଓମାନରୁ ୨୦ରୁ ଅଧିକ ଜାଗୁଆର ବିମାନ ଭାରତକୁ ଆସିବ। ଭାରତୀୟ ବାୟୁସେନା ନିମନ୍ତେ ଅନୁନ୍ୟ ୪୨ଟି ଯୁଦ୍ଧବିମାନ ସ୍କ୍ୱାଡ୍ରନର ଆବଶ୍ୟକତା ରହିଛି। ଏବେ ଏହାର ମାତ୍ର ୩୦ଟି ସ୍କ୍ୱାଡ୍ରନ ଅଛନ୍ତି। ଏଣୁ ଜାଗୁଆର ଭଳି ପୁରୁଣା ବିମାନଙ୍କୁ ଆଉ କିଛି ବର୍ଷ ଚଳାଇବାକୁ ପଡିବ।

ନୂଆ ବିମାନ ଆସିବାକୁ ବି ସମୟ ଲାଗିବ। ୨ଟି ରାଫେଲ ସ୍କ୍ୱାଡ୍ରନ ଆସି ସାରିଛି। ଆଉ ୧୧୪ ରାଫେଲ ଏବେ ଚର୍ଚ୍ଚାରେ ଅଛି। ଏଥିରେ ୨୦୦ଟି ତେଜସ ବିମାନ ଅର୍ଡର କରାଯାଇଛି। ଏହା ମିଳିବାକୁ ବହୁତ ସମୟ ଲାଗିବ। ଏଣୁ ମଝିରେ ରହିଥିବା ଶୂନ୍ୟ ସ୍ଥାନକୁ ଜାଗୁଆର ପୁରଣ କରୁଛି। ଏପରି ସ୍ଥିତିରେ ଓମାନରୁ ମିଳୁଥିବା ଜାଗୁଆର ଆଇଏଏଫ ପାଇଁ ଏବେ ଲାଇଫ ସପୋର୍ଟ ସାବ୍ୟସ୍ତ ହୋଇଛି।