କେନ୍ଦ୍ର ସରକାରଙ୍କର ତ୍ରିଭାଷୀ ଶିକ୍ଷାନୀତିକୁ ପ୍ରତ୍ୟାହାର କଲେ ମହାରାଷ୍ଟ୍ର ସରକାର

Published By : Prameya-News7 Bureau | June 29, 2025 IST

indiatoday

ମୁମ୍ବାଇ: କେନ୍ଦ୍ର ସରକାରଙ୍କର ତ୍ରିଭାଷୀ ଶିକ୍ଷାନୀତିକୁ ପ୍ରତ୍ୟାହାର କଲେ ମହାରାଷ୍ଟ୍ର ସରକାର। ରାଜ୍ୟରେ ଏହାକୁ ତୀବ୍ର ବିରୋଧ କରାଯିବାରୁ ମହାରାଷ୍ଟ୍ର ବିଜେପି ସରକାର ରବିବାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପ୍ରତିବାଦର ସମ୍ମୁଖୀନ ହୋଇ ମହାରାଷ୍ଟ୍ର ସରକାର ରବିବାର ତିନି ଭାଷା ନୀତି ଉପରେ ତାଙ୍କର ସଂଶୋଧିତ ସରକାରୀ ପ୍ରସ୍ତାବ (GR) ବାତିଲ କରିଦେଇଛନ୍ତି। ଏବଂ ନୀତିକୁ ପୁନର୍ବାର ସମୀକ୍ଷା ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ନୂଆ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀକୁ ତୃତୀୟ ଭାଷା ଭାବରେ ପ୍ରଚଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବ୍ୟାପକ ବିରୋଧ ମଧ୍ୟରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି “ଆଜି କ୍ୟାବିନେଟରେ, ଆମେ ନିଷ୍ପତ୍ତି ନେଇଛୁ ଯେ ତିନିଭାଷା ନୀତି ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ବିଷୟରେ ଡକ୍ଟର ନରେନ୍ଦ୍ର ଜାଧବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ। ଏହି କମିଟିର ରିପୋର୍ଟ ପରେ ତିନିଭାଷା ନୀତି କାର୍ଯ୍ୟକାରୀ କରାଯିବ। ତେଣୁ, ଆମେ ତିନିଭାଷା ନୀତି ଉପରେ ଉଭୟ GR ବାତିଲ କରୁଛୁ। ଏହି କମିଟି ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିବ। ଆମ ପାଇଁ, କେନ୍ଦ୍ର ବିନ୍ଦୁ ହେଉଛି ମରାଠୀ।”

ମହାରାଷ୍ଟ୍ରର ବିଜେପି ମେଣ୍ଟ ମହାଯୁତି ସରକାର ଏପ୍ରିଲ ମାସରେ ଏକ ଜିଆର ଜାରି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ କୁହାଯାଇଥିଲା ମରାଠୀ ଏବଂ ଇଂରାଜୀ-ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ଡିଫଲ୍ଟ ତୃତୀୟ ଭାଷା କରାଯିବ। ପ୍ରାଥମିକ ବିଦ୍ୟାଳୟ ସ୍ତରରେ କେନ୍ଦ୍ର ସରକାରଙ୍କର ଜାତୀୟ ଶିକ୍ଷା ନୀତି ୨୦୨୦କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ସରକରାର ଏହି ନିଷ୍ପତ୍ତି ନେଇଥିଲେ। 

ଏହାର ତୁରନ୍ତ ପରେ ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ତୁରନ୍ତ ପ୍ରତିବାଦ ପ୍ରକାଶ ପାଇଲା। ଏତେ ଚାପ ପଡ଼ିଥିଲା ଯେ ଫଡନାବିସ ଚାପ ଆଗରେ ମୁଣ୍ଡ ନୁଆଁଇଥିଲେ। ଏବଂ କହିଲେ ଯେ ହିନ୍ଦୀ ବାଧ୍ୟତାମୂଳକ ହେବ ନାହିଁ। ଛାତ୍ରମାନେ ଅନ୍ୟ କୌଣସି ଆଞ୍ଚଳିକ ଭାଷା ବାଛି ପାରିବେ। ଏହାପରେ ଚଳିତ ମାସର ଆରମ୍ଭରେ, ଏକ ପରିବର୍ତ୍ତିତ ଆଦେଶରେ ମୁଖ୍ୟମନ୍ତ୍ରୀ କହିଥିଲେ ହିନ୍ଦୀକୁ "ସାଧାରଣତଃ" ଛାତ୍ରଛାତ୍ରୀମାନଙ୍କୁ ତୃତୀୟ ଭାଷା ଭାବରେ ପଢ଼ାଯିବ। 

ତଥାପି ସଂଶୋଧିତ ଆଦେଶରେ ଏକ ସର୍ତ୍ତ ରଖାଯାଥିଲା। ଯଦି ଗୋଟିଏ ଶ୍ରେଣୀର ଅତି କମରେ ୨୦ ଜଣ ଛାତ୍ର ହିନ୍ଦୀ ବଦଳରେ ଅନ୍ୟ ଏକ ଭାରତୀୟ ଭାଷା ବାଛିବାକୁ ଚାହାଁନ୍ତି, ତେବେ ସ୍କୁଲ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା କିମ୍ବା ଅନଲାଇନରେ ବିଷୟ ପ୍ରଦାନ କରିବାର ବ୍ୟବସ୍ଥା କରିବ। 

ତେବେ ମହାରାଷ୍ଟ୍ର ସରକାରଙ୍କର ଏହି ପଦକ୍ଷେପକୁ ରାଜ୍ୟବାସୀ ବିରୋଧ କରିଥିଲେ। ସରକାର ହିନ୍ଦୀ ଲଦିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଭାଷା ଆନ୍ଦୋଳନକୁ ଉଦ୍ଧବ ଠାକରେ ଓ ରାଜ ଠାକରେ ଅଧିକ ତୀବ୍ର କରିଥିଲେ। ଶେଷରେ ରାଜ୍ୟ ସରକାର ପୁଣିଥରେ ମୁଣ୍ଡ ନୁଆଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.