ନୂଆଦିଲ୍ଲୀ ୧୫/୦୪: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ସିଏସ୍କେକୁ ଦେଇଛନ୍ତି ଐତିହାସିକ ବିଜୟ । ୧୧ ବଲ୍ ରେ ୨୬ ରନ୍ ର ଅପରାଜିତ ଇନିଂସ ଖେଳି ଦଳକୁ ୩ ବଲ୍ ବାକି ଥାଇ ୫ ୱିକେଟରେ ବିଜୟ କରାଇଥିଲେ । ଚଳିତ ସିଜନରେ ଦଳର ଏହା ଦ୍ୱିତୀୟ ବିଜୟ ଥିଲା ।
ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଥିଲା । ଯେଉଁଠାରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପାଇଁ ୧୬୭ ରନର ଟାର୍ଗେଟ ଦେଇଥିଲା। ତେବେ ମ୍ୟାଚ୍ ଶେଷରେ ଧୋନିଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ କରାଯାଇଥିଲା । ସେ ୬ ବର୍ଷ ପରେ IPLରେ ଏହି ପୁରସ୍କାର ଜିତିଛନ୍ତି । ଏହି ପୁରସ୍କାର ସହ ସେ ରଚିଛନ୍ତି ନୂଆ କୀର୍ତ୍ତିମାନ ।
ଆଇପିଏଲ ଇତିହାସରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବାରେ ଏମ୍ ଏସ୍ ଧୋନି ସବୁଠାରୁ ବୟସ୍କ ଖେଳାଳି । ସେ ପ୍ରବୀଣ ତାମ୍ବେଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯିଏ ୪୩ ବର୍ଷ ୬୦ ଦିନ ବୟସରେ ଏହି ପୁରସ୍କାର ଜିତିଥିଲେ । ଏମଏସ ଧୋନି ୪୩ ବର୍ଷ ୨୮୧ ଦିନ ବୟସରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି ।
ଏହି ପୁରସ୍କାର ସହ ଆଇପିଏଲରେ ଏମଏସ ଧୋନିଙ୍କର ୧୮ ତମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର । ୨୦୦୮ ମସିହାରେ ଯେତେବେଳେ ସେ ପ୍ରଥମ ଥର ପାଇଁ ଏହି ପୁରସ୍କାର ଜିତିଥିଲେ, ସେତେବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ଏହା ପୂର୍ବରୁ, ତାଙ୍କୁ ଶେଷ ଥର ପାଇଁ ୨୦୧୯ରେ ୩୭ ବର୍ଷ ବୟସରେ ଏହି ପୁରସ୍କାର ଦିଆଯାଇଥିଲା।
ଶେଷ ଓଭରଗୁଡ଼ିକରେ ଧୋନିଙ୍କ ସହିତ ଶିବମ୍ ଦୁବେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ସେ ୩୭ ବଲ୍ରେ ୨ଟି ଛକା ଏବଂ ୩ଟି ଚୌକା ସହାୟତାରେ ୪୩ ରନ୍ କରିଥିଲେ । ଏମଏସ ଧୋନି ୧୧ଟି ବଲରୁ ୧ ଛକା ଏବଂ ୪ଟି ଚୌକା ସହାୟତାରେ ୨୬ ରନ କରିଥିଲେ, ଯାହା ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା।