ପଞ୍ଜାବ: ଦୁର୍ଘଟଣା ପରେ LPGରେ ବିସ୍ଫୋରଣ, ନିଆଁରେ ଜଳି ୨ ମୃତ, ୨୦ ଆହତ

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ: ପଞ୍ଜାବର ହୋସିଆରପୁର-ଜଳନ୍ଧର ରାସ୍ତାରେ ବିଳମ୍ୱିତ ରାତିରେ ବଡ଼ ଦୁର୍ଘଟଣା ଘଟିଛି । ଏଲପିଜି ଟ୍ୟାଙ୍କରରେ ନିଆଁ ଲାଗିଯିବା ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ନିଆଁରେ ଜଳି ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ନିଆଁ ଦ୍ରୁତ ବେଗରେ ବ୍ୟାପିବା କାରଣରୁ ମଣ୍ଡିୟାଲା ଅଞ୍ଚଳର ପ୍ରାୟ ୧୫ଟି ଦୋକାନ ଓ ଅନ୍ୟ କିଛି ଆବାସିକ ଘର ଜଳି ଯାଇଥିଲା । ଏହି ଘଟଣା ଶୁକ୍ରବାର ମଧ୍ୟରାତ୍ରିରେ ଘଟିଥିଲା । ଖବର ମିଳିବା ପରେ ପ୍ରଶାସନ ତୁରନ୍ତ ଉଦ୍ଧାକାର୍ଯ୍ୟକୁ ଜୋରଦାର କରିଥିଲା ଓ ୨୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଜଣ ନିଖୋଜ ଥିବା ବେଳେ, ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା କରାଯାଉଛି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ନିଆଁକୁ ପ୍ରାୟତଃ ଆୟତ କରାସରିଛି । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଦୁର୍ଘଟଣାର କାରଣ ଓ କ୍ଷତିର ବିସ୍ତୃତ ଆକଳନ କରାଯାଇପାରିବ । ସିଭିଲ୍ ସର୍ଜନ ପବନ କୁମାର କହିଛନ୍ତି, ହୋସିଆରପୁର ସିଭିଲ୍ ହସ୍ପିଟଲରେ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିଲା, ଅନ୍ୟପଟେ ୨୦ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଜଳି ଯାଇଥିବା ଛଅ ଜଣଙ୍କ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

ପଞ୍ଜାବ ସରକାରରେ ମନ୍ତ୍ରୀ ରବଜୋତ ସିଂହ କହିଛନ୍ତି, ସ୍ଥିତି ଏପରି ଯେ ତାକୁ ବର୍ଣ୍ଣନା କରାଯାଇପାରିବ ନାହିଁ । ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । କେତେ ଜଣ ନିଖୋଜ ଅଛନ୍ତି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଲୋକେ କହୁଛନ୍ତି ଟ୍ୟାଙ୍କର ଗୋଟିଏ କାର ସହ ଧକ୍କା ହେବା ପରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ହୋଇଥିଲା, ପରେ ନିଆଁ ବ୍ୟାପି ଯାଇଥିଲା । ମନ୍ତ୍ରୀ କହିଛନ୍ତି, ଏହି ଦୁଃଖଦ ସ୍ଥିତିରେ ସରକାର ପୀଡ଼ିତ ପରିବାର ସହ ଅଛନ୍ତି । ଆହତଙ୍କ ଚିକିତ୍ସା ଅନ୍ୟ ସମସ୍ତ ସୁବିଧା ସୁନିଶ୍ଚତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.