ମେ ୨୬-୨୭ରେ ଲଘୁଚାପ ସୃଷ୍ଟି, ୩୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା !

Published By : Prameya-News7 Bureau | May 24, 2025 IST

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। ଏହା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ତ୍ୱରାନ୍ୱିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ଏହି ଲଘୁଚାପ ମେ ୨୬ କିମ୍ବା ୨୭ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଶନିବାର କହିଛନ୍ତି । 

Also read: ଡିସେମ୍ୱରରେ ଶୀତ ନାହିଁ, ମେ’ରେ କମ ଗରମ...ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳୁଛି ପାଣିପାଗ

ଡକ୍ଟର ସାହୁ କହିଛନ୍ତି ଏହାର ପ୍ରଭାବରେ ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିପାରେ ଏବଂ ଲଘୁଚାପ ଯୋଗୁଁ ମେ ୨୭ ଅପରାହ୍ଣରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାରେ । ଏହି ବୃଷ୍ଟିପାତ ମେ ୩୦ ରାତ୍ରି ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଅଛି । ମାତ୍ର ମେ ୨୮ ଓ ୨୯ ତାରିଖରେ ଓଡ଼ିଶାର ଉପକୂଳ ଅଞ୍ଚଳ ଓ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ବର୍ଷାର ତୀବ୍ରତା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି । ଏହି ବର୍ଷା ଫଳରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମେ ୨୮ ବା ୨୯ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ବର୍ତ୍ତମାନ ହେଉଥିବା ବର୍ଷାକୁ ପ୍ରାକ-ମୌସୁମୀ ବର୍ଷା ଭାବେ ଅବିହିତ କରାଯାଇପାରେ। ପୂର୍ବରୁ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଇତି ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ର ମଧ୍ୟକୁ ପ୍ରବେଶ କରିସାରିଛି ଓ ଏହାର ଆଦ୍ରତା ଓଡ଼ିଶା ଆଡ଼କୁ ପ୍ରବାହିତ ହେଉଛି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.