ସୋସିଆଲ୍ ମିଡିଆରେ ଷ୍ଟକ୍ ମାନ୍ୟୁପୁଲେସନ ଚିନ୍ତାରେ ସେବି: ନିବେଶ ପୂର୍ବରୁ ରିସର୍ଚ୍ଚ କରିବାକୁ ନିବେଶକଙ୍କୁ ଆହ୍ୱାନ୍

Published By : Prameya-News7 Bureau | May 30, 2025 IST

ମୁମ୍ବାଇ: ବଲିଉଡ୍ ଅଭିନେତା ଅରଶଦ ୱାରସି, ତାଙ୍କ ପତ୍ନୀ ମାରିଆ ଗୋରେଟି ଏବଂ ତାଙ୍କ ଭାଇଙ୍କ ସମେତ ୫୯ ଲୋକଙ୍କୁ ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ବ୍ୟାନ୍ କରାଯାଇଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଦ୍ୱାରା ଗୋଟିଏ ବର୍ଷ ପାଇଁ ଏହି ଅଭିନେତା ପରିବାରକୁ ଷ୍ଟକ୍ ବଜାରରୁ ବ୍ୟାନ୍ କରାଯାଇଥିବା ସୂଚନା ମିଳିଛି। ଅର୍ଶଦଙ୍କ ପରିବାରକୁ ବର୍ଷେ ପାଇଁ ବ୍ୟାନ୍ କରାଯାଇିବା ବେଳେ ଅନ୍ୟମାନଙ୍କୁ ଅଲଗା ଅଲଗା ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଛି। ଅରଶଦଙ୍କ ପରିବାର ସାଧନା ବ୍ରଡକାଷ୍ଟ ଲିମିଟେଡ୍ (ବର୍ତ୍ତମାନର କ୍ରିଷ୍ଟାଲ୍ ବିଜନେସ୍ ସିଷ୍ଟମ୍ ଲିମିଟେଡ୍) ସହ ଜଡିତ ଏକ ଷ୍ଟକ୍ ମାନ୍ୟୁପୁଲେସନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ତେବେ ସୋସିଆଲ୍ ମିଡିଆ ସାହାଯ୍ୟରେ କିଭଳି ନିବେଶକଙ୍କୁ ଭୂଆଁ ବୁଲାଇ ଷ୍ଟକ୍ ମ୍ୟାନୁପୁଲେଟ କରାଯାଉଛି ସେ ନେଇ ସେବି ଚିନ୍ତା ପ୍ରକଟ କରିଛି। ତେଣୁ ନିବେଶକମାନେ ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରିବାକୁ ପୂର୍ବରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହୁଛି ବୋଲି ସେବି କହିଛି। ଏହା ପୂର୍ବରୁ ୨୦୨୩ ମାର୍ଚ୍ଚ ମାସରେ ସେବି ଦେଇଥିବା ଅନ୍ତରୀଣ ରାୟରେ ଷ୍ଟକ୍‌ ମ୍ୟାନୁପୁଲେସନ୍‌ରେ ସୋସିଆଲ୍‌ ମିଡିଆର କୁପ୍ରଭାବ ନେଇ ଚିନ୍ତା ପ୍ରକାଟ କରିଥିଲେ। ଅର୍ଶଦଙ୍କ ଘଟଣା ଏହାର ଏକ ଉଦାହରଣ ବୋଲି କହିଥିଲେ। ଆଉ ଶୁକ୍ରବାର ଏହାର ଚୂଡ଼ାନ୍ତ ରାୟ ପାଇବା ପରେ ସୋସିଆଲ୍ ମିଡିଆ ପ୍ରତି ନିବେଶକଙ୍କୁ ସଜାଗ ହେବାକୁ ସେବି ପରାମର୍ଶ ଦେଇଛି।  କୌଣଶି ଷ୍ଟକ୍‌ରେ ନିବେଶ କରିବା ପୂର୍ବରୁ ସୋସିଆଲ୍ ମିଡିଆରେ ବିଜ୍ଞାପନକୁ ଭରସା ନ କରି ଏହା ବିଷୟରେ ପ୍ରଥମେ ରିସର୍ଚ୍ଚ କରି ନିବେଶ କରିବା ଉଚିତ୍ ବୋଲି ସେବି କହିଛି। 

ଅର୍ଶଦଙ୍କ ମାମଲାରେ ସେବି କହିଛି ଯେ ଏହି ଗୋଷ୍ଠୀ ସାଧନା ବ୍ରଡକାଷ୍ଟ ସେୟାରର ମୂଲ୍ୟକୁ କୃତ୍ରିମ ଭାବରେ ବୃଦ୍ଧି କରି ଖୁଚୁରା ନିବେଶକଙ୍କୁ ବିକ୍ରୟ କରିବା ଯୋଜନାରେ ଲିପ୍ତ ଥିଲେ। ତେଣୁ ସେବି ଏମାନଙ୍କୁ ଦଣ୍ଡିତ କରିବା ସହିତ ପ୍ରତ୍ୟୋକଙ୍କୁ ୫ ଲକ୍ଷ ଲେଖାଏ ଜରିମାନ କରିବା ସହିତ ମୋଟ ୧.୦୫ କୋଟି ଟଙ୍କାର ଅବୈଧ ଲାଭ ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ସେବିର କହିବା ଅନୁଯାୟୀ, ଅର୍ଶଦ ୱାରସି ଏବଂ ଅନ୍ୟମାନେ ମନୀଷ ମିଶ୍ରଙ୍କ ସହ ମିଶି ଏହି ଠକେଇ କାମରେ ଲିପ୍ତ ଥିଲେ। ମନୀଷ କମ୍ପାନୀ ବିଷୟରେ ଗୁଜବା ପ୍ରଚାର କରାଇ ଶେୟାର ମୂଲ୍ୟ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ମିଶ୍ର ନିବେଶକଙ୍କୁ ଆକର୍ଷଣ କରିବାକୁ ଭ୍ରମାତ୍ମକ ୟୁଟ୍ୟୁବ୍ ଭିଡିଓ କରିବା ସହିତ ଟଙ୍କା ଦେଇ ପ୍ରଚାର କରାଉଥିଲେ। ମିଶ୍ର ଏବଂ ୱାରସିଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ୍ ଚାଟ୍ ସେବି ହାତରେ ଲାଗିଥିଲା। ଏଥିରେ ମିଶ୍ରା ଅର୍ଶଦ ୱାରସି, ତାଙ୍କ ପତ୍ନୀ ଏବଂ ତାଙ୍କ ଭାଇଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୬ ଲକ୍ଷ ଟଙ୍କା ପଠାଇବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଅନ୍ୟପଟେ ୱାର୍ସି ଓ ପରିବାର କହିଛନ୍ତି ଯେ ସେମାନେ ଷ୍ଟକ୍‌ମାର୍କେଟ୍‌ରେ ସମ୍ପୂର୍ଣ୍ଣ ନୂଆ ଥିଲେ। ତେଣୁ ସେମାନେ ଏସବୁ ବିଷୟରେ ଜାଣି ନଥିଲେ। ତେବେ ସେବି ଦର୍ଶାଇଥିଲା ଯେ ଅର୍ଶଦ ୱାର୍ସି କେବଳ ତାଙ୍କ ନିଜ ଆକାଉଣ୍ଟରୁ ନୁହେଁ ବରଂ ତାଙ୍କ ସ୍ତ୍ରୀ ଏବଂ ଭାଇଙ୍କ ଆକାଉଣ୍ଟରୁ ମଧ୍ୟ ଟ୍ରେଡିଂ କରୁଥିଲେ। ଏହି ମାମଲାରେ ତାଙ୍କ ବୟାନ ୨୭ ଜୁନ୍ ୨୦୨୩ ରେ ରେକର୍ଡ କରାଯାଇଥିଲା।

ମୋଟ ଉପରେ, ସେବି ୭ ଜଣଙ୍କୁ ପାଞ୍ଚ ବର୍ଷ ପାଇଁ ଏବଂ ଅନ୍ୟ ୫୪ ଜଣଙ୍କୁ ଗୋଟିଏ ବର୍ଷ ପାଇଁ ଟ୍ରେଡିଂ କରିବାରୁ ନିଷେଧ କରିଛି। ସେବି କହିଛି ଯେ ଷ୍ଟକ୍ ହେରଫେର ଏକ "ପମ୍ପ ଆଣ୍ଡ୍ ଡମ୍ପ" ଯୋଜନା ଥିଲା। ମିଥ୍ୟା ସୂଚନା ବ୍ୟବହାର କରି ସାଧନା ବ୍ରଡକାଷ୍ଟର ସେୟାର ମୂଲ୍ୟ ବୃଦ୍ଧି କରାଯାଇଥିଲା, ଏବଂ ତା'ପରେ ମୂଲ୍ୟ ଅଧିକ ହେଲେ ବହୁ ପରିମାଣର ସେୟାର ବିକ୍ରି କରାଯାଇଥିଲା। 

ସେବି ତଦନ୍ତରୁ ଜଣାପଡିଛି ଯେ ଦ ଆଡ୍‌ଭାଇଜର, ମିଡ୍‌କାପ କଲ୍ସ, ପ୍ରଫିଟ ୟାତ୍ରା, ମନିୱାଇସ୍ ଏବଂ ଇଣ୍ଡିଆ ବୁଲିସ୍ ଭଳି ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ ମାଧ୍ୟମରେ କମ୍ପାନୀର ଭବିଷ୍ୟତ ଆର୍ଥିକ ଅଗ୍ରଗତି ଏବଂ ପ୍ରଦର୍ଶନ ନେଇ ମିଛ ପ୍ରଚାର କରାଯାଇଥିଲା। ସାଧନା ବ୍ରଡକାଷ୍ଟ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବ ବୋଲି ଚ୍ୟାଲନେ୍‌ଗୁଡ଼ିକର ମିଛ ପ୍ରଚାର କରାଯାଇଥିଲା ବୋଲି ସେବି କହିଛି। 

ସୂଚନା ଥାଉକି ଏହି ଷ୍ଟକ୍‌ ମେନ୍ୟୁପୁଲେସନ ନେଇ ୮ ମାର୍ଚ୍ଚ ୨୦୨୨ ରୁ ୩୦ ନଭେମ୍ବର ୨୦୨୨ ମଧ୍ୟରେ ସେବି ତଦନ୍ତ କରିଥିଲା। କିଛି ୟୁଟ୍ୟୁବ୍ ଭିଡିଓ ଷ୍ଟକ୍ ବିଷୟରେ ମିଥ୍ୟା ଟିପ୍ସ ଦେଉଛି ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗକାରୀ ଭିଡିଓ ଲିଙ୍କ୍ ଏବଂ ସମ୍ପୃକ୍ତ ଚ୍ୟାନେଲଗୁଡ଼ିକର ନାମ ମଧ୍ୟ ପ୍ରଦାନ କରିଥିଲେ।

ଏଭଳି ମିଛ ପ୍ରଚାର ହେବା ଦ୍ୱାରା ପ୍ରମୋଟର ଏବଂ ସହଯୋଗୀମାନେ  ସେମାନଙ୍କର ଶେୟାର ଉଚ୍ଚା ମୂଲ୍ୟରେ ବିକ୍ରି କରିଥିଲେ। ସେହି ସମୟ ମଧ୍ୟରେ ମୋଟ କାରବାରର ପ୍ରାୟ ୪୫% ଲିଙ୍କ୍ ହୋଇଥିବା ଆକାଉଣ୍ଟ ମାଧ୍ୟମରେ କରାଯାଇଥିଲା। ଭ୍ରମାତ୍ମକ ଭିଡିଓ ପ୍ରକାଶିତ ହେବା ପରେ ତୁରନ୍ତ ଟ୍ରେଡିଂ କରାଯାଇଥିଲା ବୋଲି ହ୍ୱାଟସଆପ୍ ମେସେଜଗୁଡ଼ିକରୁ ଜଣାପଡ଼ିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଗୌରବ ଗୁପ୍ତା ଏହି ଯୋଜନାରୁ ସର୍ବାଧିକ ଲାଭ ପାଇଥିଲେ। ଗୌରବ ୧୮.୩୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ସାଧନା ବାୟୋ ଅଏଲ୍ସ ପ୍ରାଇଭେଟ୍ ଲିମିଟେଡ୍ ୯.୪୧ କୋଟି ଟଙ୍କା ରୋଜଗାର କରିଥିଲା। ସେବି ଉଭୟ ପକ୍ଷଙ୍କୁ ଏହି ବାଣିଜ୍ୟରୁ ହୋଇଥିବା ଟଙ୍କା ଫେରସ୍ତ କରିବାକୁ କହିଛି।

ସେବି ସମ୍ପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ ଭାରୀ ଆର୍ଥିକ ଦଣ୍ଡ ଲଗାଇଛି। ମନୀଷ ମିଶ୍ରଙ୍କୁ ୫ କୋଟି ଟଙ୍କା ଜରିମାନା କରାଯାଇଛି। ଗୌରବ ଗୁପ୍ତା, ରାକେଶ କୁମାର ଗୁପ୍ତା, ସୁଭାଷ ଅଗ୍ରୱାଲ, ପୀୟୁଷ ଅଗ୍ରୱାଲ ଏବଂ ଲୋକେଶ ଶାହଙ୍କୁ ୨ କୋଟି, ଓ  ଜତୀନ ମନୁଭାଇ ଶାହଙ୍କୁ ୧ କୋଟି ଟଙ୍କା ଜରିମାନା ହୋଇଛି।

ତେବେ ଆଶ୍ଚର୍ଯ୍ୟକର କଥା ହେଲା ଜଣେ ଆଇପିଏସ୍ ଅଧିକାରୀ, ଯିଏକି ଏହି ମାମଲାରେ ଜଡିତ ଥିବା ଜଣାପଡିଥିଲା, ସେ ସେଟେଲମେଣ୍ଟ ନିୟମ ଅନୁଯାୟୀ ଆବଶ୍ୟକୀୟ ପରିମାଣର ଅର୍ଥ ଦେଇ ସେବି ସହିତ ମାମଲା ସମାଧାନ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.