ଡିସେମ୍ୱରରେ ଶୀତ ନାହିଁ, ମେ’ରେ କମ ଗରମ...ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳୁଛି ପାଣିପାଗ

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ପାଣିପାଗରେ ବଡ଼ ପରିବର୍ତ୍ତନ ଲକ୍ଷିତ ହୋଇଛି । ମାର୍ଚ୍ଚରେ ସାଧାରଣତଃ ଦେହ ଜଳିଗଲା ପରି ଗରମ ହୁଏ, କିନ୍ତୁ ଏକ ଗ୍ରୀଷ୍ମ ନିଜ ଚରମରେ ପହଞ୍ଚିନଥିଲା । ସେହିପରି ଗତ ଡିସେମ୍ୱରରେ ଶୀତ ଅନୁଭବ ହୋଇନଥିଲା । ପାଣିପାଗ ଓ ମାସ ମଧ୍ୟରେ ଏବେ ମେଳ ଖାଉ ନାହିଁ । ଗ୍ରୀଷ୍ମ ଦିନରେ ଗରମ ମାତ୍ରା କମିଥିବା ବେଳେ, ଶୀତ ମାସ ହିସାବ କଲେ ତାହା ଅନ୍ୟ ବର୍ଷ ତୁଳନାରେ ଅଧା ହୋଇଛି ।

ଚଳିତ ବର୍ଷ ଆଜି ଯାଏ କଥା ଯଦି କହିବା ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ଜାରି କରାଯାଇଥିବା ହିଟୱେଭ୍ ଚେତାବନୀ ପୂର୍ବ ଅପେକ୍ଷା ସଠିକ୍ ପ୍ରମାଣିତ ହୋଇ ନାହିଁ । ଅଦିନିଆ ବର୍ଷାରେ ଲୋକେ ହନ୍ତସନ୍ତ ହୋଇଛନ୍ତି । ଦକ୍ଷିଣ ଭାରତର ଅନେକ ସ୍ଥାନରେ ଗତ କିଛି ଦିନ ହେଲା ଲଗାତାର ବର୍ଷା ହେଉଛି । ମୌସୁମୀ ଆଗୁଆ କେରଳ ଛୁଇଁଛି, ଯେଉଁଥି ପାଇଁ ପ୍ରାକ୍-ମୌସୁମୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ଦେଖିବାକୁ ମିଳୁଛି । ମେ’ରେ ବାରମ୍ୱାର ୱେଷ୍ଟର୍ଣ୍ଣ ଡିସଟରବାନ୍ସ ସକ୍ରିୟ ରହିଛି, ଯାହା ସ୍ୱାଭାବିକ ପାଣିପାଗ ଚକ୍ରଠାରୁ ଅଲଗା ।

ବିଶେଷଜ୍ଞଙ୍କ ମତରେ ଏହି ସବୁ ଘଟଣା ଜଳବାୟୁ ପରିବର୍ତ୍ତନର ଗମ୍ଭୀର ସଂକଟର ସ୍ପଷ୍ଟ ସଙ୍କେତ । ଯଦି ଏହାର ଶୀଘ୍ର ନିରାକରଣ କରାନଯାଏ ତେବେ ସ୍ଥିତି ଆହୁରି ଭୟଙ୍କର ରୂପ ନେବ । ଜାଗରନ୍ ରିପୋର୍ଟ ଅନୁସାରେ, ଆଇଏମଡି ଡିଜି କହିଛନ୍ତି, ଚଳିତ ଥର ପାଣିପାଗର ଅସ୍ୱାଭାବିକ ଲକ୍ଷଣ ସିଧାସଳଖ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ପରିଣାମ ଅଟେ । ପଶ୍ଚିମା ଝଡ଼ର ଲଗାତାର ସକ୍ରିୟତା ପ୍ରାକ୍-ମୌସୁମୀ ବର୍ଷାକୁ ଅନିୟନ୍ତ୍ରିତ କରି କରିଛି, ଯେଉଁଥି ପାଇଁ ତାପମାତ୍ରାରେ ଅସାଧାରଣ ହ୍ରାସ ଦେଖିବାକୁ ମିଳିଛି । ଉତ୍ତର ଭାରତର ରାଜ୍ୟଗୁଡ଼ିକ-ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ କମ ରେକର୍ଡ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦୨୫ ଏବେ ସୁଦ୍ଧା ପୂର୍ବ ବର୍ଷ ତୁଳନାରେ ଥଣ୍ଡା ରହିଛି । ଏପ୍ରିଲ-ମେରେ ଏଥର ରେକର୍ଡ ଭାଙ୍ଗିଲା ପରି ଗରମ ଦେଖିବାକୁ ମିଳିନାହିଁ । ଗତ ବର୍ଷ ଏପ୍ରିଲରେ ତାପମାତ୍ର ଚରମରେ ଥିଲା । ପାଣିପାଗର ଏଭଳି ଅସନ୍ତୁଳନର ପ୍ରଭାବ କୃଷି ଓ ମଣିଷର ସ୍ୱାସ୍ଥ୍ୟ ଉଭୟ ଉପରେ ପଡ଼ିପାରେ । ଅଦିନିଆ ବର୍ଷା ଓ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଉତ୍ପାଦନ ପ୍ରଭାବିତ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଯଦି ଏହି ପ୍ରବୃତ୍ତି ଜାରି ରହେ ତେବେ ଆଗାମୀ ବର୍ଷରେ ପାଣିପାଗ ଅଧିକ ଅସନ୍ତୁଳିତ ଓ ଆହ୍ୱାନପୂର୍ଣ୍ଣ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.