ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

Published By : Prameya-News7 Bureau | May 22, 2024 IST

ଭୁବନେଶ୍ବର ୨୨।୫: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ଘନୀଭୂତ ହୋଇ ୨୪ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୨୩ ତାରିଖରେ ଅବପାତ ଓ ୨୪ ତାରିଖରେ ଗଭୀର ଅବପାତ ହେବ । ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ୨୫ ତାରିଖରେ ଏହା ଛୋଟ ଧରଣର ବାତ୍ୟା ରୂପ ନେଇପାରେ । ଗଭୀର ଅବପାତରେ ବି ରହି ଯାଇପାରେ ବୋଲି  ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୨୬ ତାରିଖ ସକାଳେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ତେବେ ଛୋଟ ବାତ୍ୟା ହେଉ କି ଗଭୀର ଅବପାତ, ଓଡ଼ିଶାରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିବନି । କେନ୍ଦ୍ରୀୟ ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଦକ୍ଷିଣରେ ତାପମାତ୍ରା କ୍ରମଶଃ ବଢ଼ିବ । ୨୫ ତାରିଖରେ ବର୍ଷା ହୋଇପାରେ । 

ତେବେ ୨୬ ତାରିଖରୁ ଏସବୁ ଅଞ୍ଚଳରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । କିଛି ସ୍ଥାନରେ ୪୫ଡିଗ୍ରୀ ଟପିପାରେ । ରାଜଧାନୀରେ ୨୫ରୁ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ତେବେ ୨୫ ତାରିଖ ଦିନ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପ ବର୍ଷା ହୋଇପାରେ । ସେହି ଦିନ ଅପରାହ୍ନରେ ବାଲେଶ୍ୱରରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ରେ ବାଲେଶ୍ୱରର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ।

ସେପଟେ ୨୭ ତାରିଖ ସୁଦ୍ଧା ପୂରା ବଙ୍ଗୋପସାଗରରେ ମୌସୁମୀ ଛୁଇଁବ । ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବିଳମ୍ବରେ ମୌସୁମୀ ଛୁଇଁପାରେ । ଓଡ଼ିଶାରେ ମୌସୁମୀ ଛୁଇଁବା ବିଳମ୍ବିତ ହେବ ବୋଲି ପଶୁପାଳକ କହିଛନ୍ତି । 

ତେବେ ଜୁନ୍‌ ପ୍ରଥମ ସପ୍ତାହରେ ମିଆଁମାର ପାଖ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । 

You Can Read :

ବୁଧବାର ବଙ୍ଗୋପସାଗରରେ ଲଘୁଚାପ, ୨୪ରେ ଅବପାତ : ୨୫ ତାରିଖରେ ବର୍ଷା ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.