LIVE TV

୩୭ ବର୍ଷ ପରେ ରେଲୱେ TTEଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ, ୫୦ ଟଙ୍କା ଲାଞ୍ଚ ମାମଲାରେ ହୋଇଥିଲେ ସସ୍‌ପେଣ୍ଡ୍, ପରିବାରକୁ ମିଳିବ ପେନ୍‌ସନ୍

NEWS7
lootera-matile-at-soro

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରାୟ ୩୭ ବର୍ଷ ପୁରୁଣା ଏକ ମାମଲାରେ ରେଲୱେ ଟ୍ରାଭେଲିଂ ଟିକଟ୍ ଏକ୍ସାମିନର (ଟିଟିଇ)ଙ୍କୁ ଦୋଷ ମୁକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଯେ ଲାଞ୍ଚ ମାଗିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଏହାସହ ମୃତ କର୍ମଚାରୀଙ୍କ ପରିବାରକୁ ତିନି ମାସ ଭିତରେ ସମସ୍ତ ବକେୟା ବେତନ ଓ ପେନ୍‌ସନ୍ ଲାଭ ଦେବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ମାମଲା ୧୯୮୮ ମେ ୩୧ ତାରିଖର । ରେଲୱେ ଭିଜିଲାନ୍ସ ଟିମ୍ ହଠାତ୍ ତଦନ୍ତ କରିଥିଲା । ସେହି ସମୟରେ ନାଗପୁରର ସେଣ୍ଟ୍ରାଲ୍ ରେଲୱେରେ ନିୟୋଜିତ ଟିଟିଇଙ୍କ ଉପରେ ତିନି ଯାତ୍ରୀଙ୍କଠାରୁ ବର୍ଥ ଦେବା ବଦଳରେ ୫୦ ଟଙ୍କା ଲେଖାଏ ଲାଞ୍ଚ ମାଗିଥିଲେ । ତଦନ୍ତ ବେଳେ ତାଙ୍କ ପାଖରୁ ୧୨୫୪ ଟଙ୍କା ଅତିରିକ୍ତ ନଗଦ ମିଳିଥିଲା ଓ ଡ୍ୟୁଟି ପାସରେ ତ୍ରୁଟି ଧରାପଡ଼ିଥିଲା ।

ବିଭାଗୀୟ ତଦନ୍ତ ପରେ, ୧୯୮୯ ମସିହାରେ ଅଭିଯୋଗ ଫଇସଲା କରାଯାଇଥିଲା ଏବଂ ୧୯୯୬ ମସିହାରେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ କର୍ମଚାରୀ ଜଣକ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (CAT)ରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ୨୦୦୨ରେ, CAT ବରଖାସ୍ତକୁ ପ୍ରତ୍ୟାହାର କରି ତାଙ୍କୁ ପୁନଃସ୍ଥାପନ ଏବଂ ସମସ୍ତ ସୁବିଧାର ପ୍ରତିପୂରଣ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ CAT ଆଦେଶକୁ ବାତିଲ କରିଦେଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ବିଚାରପତି ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ ତଦନ୍ତ ରିପୋର୍ଟରେ ଗୁରୁତର ତ୍ରୁଟି ରହିଛି ଏବଂ ଦୁଇ ଯାତ୍ରୀ ଲାଞ୍ଚ ଅଭିଯୋଗକୁ ସମର୍ଥନ କରିନାହାନ୍ତି । କୋର୍ଟ କହିଛନ୍ତି ଯେ କର୍ମଚାରୀ ଆଉ ଜୀବିତ ନଥିଲେ ମଧ୍ୟ ତାଙ୍କ ପରିବାର ନ୍ୟାୟ ପାଇବା ଉଚିତ ।