ଭୁବନେଶ୍ୱର 03/02 : ଏବେ ଆମ ଜୀବନରେ କାର୍ଯ୍ୟଭାର, ଚାପ ଓ ବ୍ୟସ୍ତତା ବୃଦ୍ଧି ପାଇବା ସହ ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି । ପ୍ରତିଟି ଯେତ୍ରରେ ପ୍ରତିଯୋଗିତା ମୂଳକ ମନୋଭାବ ବି ବୃଦ୍ଧି ପାଇଛି । ସେହିପରି ଟିଭି, ମୋବାଇଲ୍, ଇଣ୍ଟର୍ନେଟ୍ର ବହୁଳ ବ୍ୟବହାର ସହ ଫେସବୁକ୍, ହ୍ୱାଟ୍ସ ଆପ୍ ଆଦି ସୋସିଆଲ୍ ମିଡିଆର ବ୍ୟବହାର ବୃଦ୍ଧି ପାଇବା କାରଣରୁ ଲୋକଙ୍କ ମଧ୍ୟରେ ଉଦ୍ବେଗ, ଛାନିଆ ଭାବ ଓ ମାନସିକ ଚାପ ବୃଦ୍ଧି ପାଉଛି । ତେବେ ଏହାକୁ କଣ କୁହାଯାଏ ଜାଣିଛନ୍ତି। ଏହାକୁ ଛାନିଆ ରୋଗ ବୋଲି କୁହାଯାଉଛିଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶି ମାତ୍ରାରେ ଦେଖାଯାଉଛି । ବିଶେଷ କରି ଏହି ସମସ୍ୟା ଯୁବ ବର୍ଗଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖାଦେଉଛି ।
ରୋଗର କାରଣ ସାଧାରଣତଃ କିଛି ଅପ୍ରୀତିକର ବା ଅସ୍ୱାଭାବିକ ପରିସ୍ଥିତିକୁ ସାମ୍ନା କରିବା ସମୟରେ ମନୁଷ୍ୟର ମାନସିକ ଓ ଶାରୀରିକ ସ୍ତରରେ ପରିବର୍ତ୍ତନ ଦେଖାଯାଏ । ଯଥା-ରକ୍ତଚାପ ଓ ହୃତ୍ସ୍ପନ୍ଦନ ବଢ଼ିଯିବା, ଅଧିକ ଝାଳ ବୋହିବା, ଦେହ ଥରିବା ଭଳି ଶରୀରରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଏସବୁ ସମସ୍ୟା ଅଧିକ ଦିନ ଲାଗି ରହିଲେ ଏହାକୁ ଉଦ୍ବେଗ ବା ଛାନିଆ ରୋଗ ବୋଲି ଧରାଯାଏ ।
ଚିକିତ୍ସକଙ୍କ ମତରେ ଏହା ମସ୍ତିଷ୍କରେ ଥିବା ରାସାୟନିକ ପଦାର୍ଥ ସେରୋଟୋନିନ୍ ଓ ଗାବାର ଅସନ୍ତୁଳନ ଯୋଗୁଁ ହୋଇଥାଏ । ଏହା କେତେକ କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ମଧ୍ୟ ହୋଇଥାଏ । ମୁଖ୍ୟ ଲକ୍ଷଣ ଏହି ରୋଗର ସାଧାରଣ ଲକ୍ଷଣ ଗୁଡ଼ିକ ହେଲା- ଅତ୍ୟଧିକ ବିବ୍ରତ ଲାଗିବା, ଛାନିଆ ଭାବ ବା ଡର ଲାଗିରହିବା, ମନ ବିଚଳିତ ହେବା ସହ କୌଣସି କାମରେ ମନ ନ ଲାଗିବା, ଭୋକ କମିଯିବା, ନିଦ କମ୍ ହେବା, ହଠାତ୍ ଭୟଭୀତ ହୋଇ ଛାତିରେ ଯନ୍ତ୍ରଣା ଅନୁଭବ କରିବା, ଦେହ ହାତ ଝିମ୍ଝିମ୍ ହେବା, ଦେହ ଥରିବା, ପାଟି ଶୁଖିବା, ଛାତି ଧଡ଼ଧଡ଼ ହେବା ଓ ହଠାତ୍ ଅଣନିଃଶ୍ୱାସୀ ହୋଇପଡ଼ିବା, ମୁଣ୍ଡ ବୁଲାଇବା, ଝାଡ଼ା ଓ ପରିସ୍ରା ଅଧିକ ଲାଗିବା, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି । ଚିକିତ୍ସା ଛାନିଆ ରୋଗର ଚିକିତ୍ସା ଓ ପ୍ରତିକାର ଲାଗି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ଡାକ୍ତରୀ ପରାମର୍ଶରେ ଔଷଧ ସେବନ କରିବା ସହ ଧ୍ୟାନ ବା ମେଡିଟେସନ୍ କରିବା ଜରୁରୀ । ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ଶାନ୍ତ ପରିବେଶରେ ଧ୍ୟାନ କରିବେ । ଏହାକୁ ନିୟମିତ ଧାରାରେ କଲେ ମନ ଭିତରେ ଥିବା ନକାରାତ୍ମକ ଚିନ୍ତା ଧୀରେଧୀରେ ଦୂର ହେବା ସହ ମାନସିକ ସ୍ତରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ । ସେହିପରି ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଘଟିବ । ଜୀବନଧାରା ଶୃଙ୍ଖଳିତ ହେବ ।