ନୂଆଦିଲ୍ଲୀ ୨୪।୫: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଗୋଟିଏ ଦିନରେ ସବୁଠୁ ଅଧିକ ପଲିସି ବିକିବାରେ ଇତିହାସ ସୃଷ୍ଟି କରିଛି। ଏଲଆଇସି ୨୦ ଜାନୁୟାରୀ ୨୦୨୫ରେ ମାତ୍ର ୨୪ ଘଣ୍ଟାରେ ୪,୫୨,୮୩୯ ଜଣ ଏଜେଣ୍ଟଙ୍କ ମାଧ୍ୟମରେ ୫,୮୮,୧୦୭ଟି ଜୀବନ ବୀମା ପଲିସି ବିକି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ଏଲଆଇସି ଏହି ଐତିହାସିକ ଉପଲବ୍ଧି ‘ମେଡ ମିଲିୟନ ଡେ’ ନାମକ ଖାସ କାର୍ଯ୍ୟକ୍ରମରେ ହାସଲ କରିଛି।
ଏହି କାର୍ଯ୍ୟକ୍ରମର ନେତୃତ୍ୱ ଏଲଆଇସିର ଏମଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି ନିଜେ ନେଇଥିଲେ। ମେଡ ମେଲିୟନ ଡେ ଅର୍ଥାତ ୨୦ ଜାନୁୟାରୀ ୨୦୨୫ରେ ପ୍ରତ୍ୟେକ ଏଜେଣ୍ଟଙ୍କୁ ଅନୁନ୍ୟ ଗୋଟିଏ ପଲିସି କରିବାକୁ ଅପିଲ କରାଯାଇଥିଲା। ଏଲଆଇସି ଏ ନେଇ ଶନିବାର ଏକ ବୟାନ ଜାରି କରି କହିଛି ଯେ ୨୪ ଘଣ୍ଟାରେ ସର୍ବାଧିକ ଜୀବନ ବୀମା ପଲିସି ବିକ୍ରି କରିବାରେ ଗିନିଜ ୱାର୍ଲଡ ରେକର୍ଡ ସୃଷ୍ଟି କରିଛି। ଏହି ଐତିହାସିକ ଉପଲବ୍ଧି ୨୦ ଜାନୁୟାରୀ ୨୦୨୫ରେ ହାସଲ ହୋଇଛି। ଗିନିଜ ୱାର୍ଲଡ ରେକର୍ଡସ୍ ମଧ୍ୟ ଏହାକୁ ଅଧିକାରୀକ ରୂପେ ମାନ୍ୟତା ଦେଇଛି।
ଏଲଆଇସି ବୟାନରେ କହିଛି ଯେ ଏହି ରେକର୍ଡ ଆମ ଏଜେଣ୍ଟଙ୍କ ସମର୍ପଣ, ସ୍କିଲ ଓ ଡେଡିକେସନ ଯୋଗୁ ସମ୍ଭବ ହୋଇ ପାରିଛି। ଏହି ଉପଲବ୍ଧି ଆମର ସେହି ମିସନ ପ୍ରତି ଗଭୀର ସଂକଳ୍ପକୁ ଦର୍ଶାଉଛି ଯେଉଁଥିରେ ଆମେ ଆମ ଗ୍ରାହକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛୁ। ଏଲଆଇସି ଏମଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି ଏହି ଅବସରରେ ସମସ୍ତ ଗ୍ରାହକ, ଏଜେଣ୍ଟ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓ କହିଛନ୍ତି ଆମେ ସମସ୍ତେ ମିଶି ‘ମେଡ ମିଲିୟନ ଡେ’କୁ ଐତିହାସିକ କରିଛୁ।