ଉତ୍ତରାଧିକାରୀ ହେବେ କି ସୁକନ୍ୟା ? ପଲିଟିକ୍ସରେ ନେତାଙ୍କ କନ୍ୟାରତ୍ନ

Published By : Prameya-News7 Bureau | April 27, 2024 IST

ତିନି ଦଳରୁ ଦଶ । ପଲିଟିକ୍ସରେ ନେତାଙ୍କ କନ୍ୟାରତ୍ନ । ୨୦୨୪ ନିର୍ବାଚନରେ ବାପା-ମାଆଙ୍କ ଗଡ଼ ରକ୍ଷା ଲାଗି  ମାରିଛନ୍ତି ଲମ୍ଫ । ରାଜ୍ୟର ତିନି ପ୍ରମୂଖ ଦଳ ବିଜେଡି, ବିଜେପି ଏବଂ  କଂଗ୍ରେସ ଟିକଟରେ ହୋଇଛନ୍ତି ପ୍ରାର୍ଥୀ । କିଏ ପଲିଟିକ୍ସରେ କରିଛନ୍ତି ଡେବ୍ୟୁ ତ ଆଉ କିଏ ମଇଦାନରେ ପୁରୁଣା ।ଖାସ୍ ଏଇଥିଲାଗି ରାଜନୀତିରେ ଏବେ ଚର୍ଚ୍ଚାରେ ନେତାଙ୍କ ଉତ୍ତରାଧିକାରୀ ଝିଅ ।   ଆଉ ରାଜନୀତିରେ  ଝିଅକୁ ଉତ୍ତରାଧିକାରୀ କରି ପ୍ରାର୍ଥୀ କରିବାରେ ରାଜ୍ୟରେ ସବୁଠୁ ଆଗରେ ବିଜେଡି । ଉଭୟ ଲୋକସଭା ଓ ବିଧାନସଭାରେ ସର୍ବାଧିକ ୫ ଜଣ ନେତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । କଂଗ୍ରେସ ୩ ଜଣକୁ ଟିକେଟ ଦେଇଥିବାବେଳେ ବିଜେପି ୨ ଜଣକୁ ପ୍ରାର୍ଥୀ କରିଛି । 

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ।ଏବେ ସେ ଜନପ୍ରତିନିଧି । ବାପାଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନରୁ ଉପନିର୍ବାଚନ ଲଢି ବିଧାୟିକା ହୋଇଥିଲେ । ଏଥର ପୁଣି ସେ ବିଜେଡିରୁ ନିର୍ବାଚନ ଲଢୁଛନ୍ତି । 

ପଦ୍ମପୁରରୁ ୫ ଥର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ   ଉତ୍ତରାଧିକାରୀ ଝିଅ ବର୍ଷା । ବାପାଙ୍କ ମୃତ୍ୟୁ ପରେ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନରେ ପ୍ରଥମ ଥର ନିର୍ବାଚିତ ହେଇଥିଲେ ବିଧାନସଭାକୁ । ଏଥର ପୁଣି ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି ବିଜେଡି ।  ଉଭୟ ବର୍ଷା ଓ ଦୀପାଳି ପୁଣି ନିଜ ନିଜ ବାପାଙ୍କ  ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ଆସିକା ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ରଞ୍ଜିତା ସାହୁ । ସେ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ।୨୦୧୯ର ସାଂସଦ ପ୍ରମିଳା ବିଶୋୟୀଙ୍କ ବଦଳରେ ଏଥର ୟଙ୍ଗ ଆଉ ଏଜୁକେଟେଡ୍‌ ରଞ୍ଜିତାଙ୍କୁ ପ୍ରାର୍ଥୀ କରି ବିଜେଡି ତାର ମହିଳା କାର୍ଡ ଜାରି ତ ରଖିଛି, ତା ସହ ସଂସଦରେ ନୂଆ ଓଡ଼ିଶାର ସ୍ବର ଶାଣିତ କରିବାର ଟାର୍ଗେଟ ବି ଫିକ୍ସ କରିଛି ।    

ଆସିକାର ପୂର୍ବତନ  ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଉତ୍ତରାଧିକାରୀଙ୍କୁ ବିଜେଡିର ପୁଣି ଭରସା ।  ନିତ୍ୟାନନ୍ଦ ପ୍ରଧାନଙ୍କ ସୁକନ୍ୟା ଲତିକା ପ୍ରଧାନ ୨୦୧୯ ନିର୍ବାଚନରେ କବିସୂର୍ଯ୍ୟନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କୁ ପୁଣି ସେହି ଆସନରେ ରିପିଟ କରି ଲଗାତର ଚାନ୍ସ ଦେଇଛନ୍ତି   ବିଜେଡି ସୁପ୍ରିମୋ ।

ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ସାନଖେମୁଣ୍ଡି ।ଏବେ ସେଠାରେ କଂଗ୍ରେସ ପ୍ରତିନିଧି । କିନ୍ତୁ  ୨୦୨୪ ରେ ସାନଖେମୁଣ୍ଡି ପୁନର୍ଦଖଲ ପ୍ଲାନରେ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ମଇଦାନକୁଓହ୍ଲାଇଛି ବିଜେଡି । ଧରାକୋଟ ରାଜା ଭାବେ ଅଭିଷିକ୍ତ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ  ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ । ୨୦୧୪ରେ ସାନଖେମୁଣ୍ଡି ଆସନରୁ ଲଢି ଜିତିଥିଲେ ନନ୍ଦିନୀ ଦେବୀ । କିନ୍ତୁ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନାଙ୍କ ଠାରୁ ହାରିଥିଲେ । ତାଙ୍କ ଠାରୁ ପୁଣି ଆସନ ଛଡାଇନେବା ଲକ୍ଷ୍ୟରେ ବ୍ଲକ ଅଧ୍ୟକ୍ଷା ଥିବା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କୁ ପ୍ରଥମ କରି ବିଧାନସଭା ଭୋଟ ଲଢାଉଛି  ବିଜେଡି। 

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗଞ୍ଜାମ ଟାଇଗର ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ । ସେ ଏବେ ଆସିକାରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ଦଳ ତାଙ୍କୁ ସୁଯୋଗ ଦେଇଥିଲା । କିନ୍ତୁ ସେ ହାରିଯାଇଥିଲେ। ଏଥର ପୁଣି ମଇଦାନରେ ।  

ବ୍ରହ୍ମଗିରିରେ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ୨୦୧୯ ନିର୍ବାଚନରେ ସ୍ବର୍ଗତ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେପି ସୁଯୋଗ ଦେଇଥିଲା  ଓ ସେ ଜିତି ଥିଲେ । ଏଥର ଝିଆରିକୁ ବାଡ ଛାଡିଦେଇଛନ୍ତି ଦାଦା । ପାରିବାରିକ ଆସନ ବ୍ରହ୍ମଗିରିରେ ଉପାସନାଙ୍କ ବଡ ପ୍ଲସ ପଏଣ୍ଟ ହେଲା ବାପା ଲୁଲୁ ମହାପାତ୍ରଙ୍କ ଲୋକପ୍ରିୟତା। ତାହାକୁ ବଜାୟ ରଖିବା ଲକ୍ଷ୍ୟରେ ଉପାସନା ।

କଂଗ୍ରେସ ଏଥର ଡାବୁଗାଁରୁ ଡାକ୍ତର ଲିପିକା ମାଝୀଙ୍କୁ ପ୍ରାର୍ଥୀ କରିଛି । ଲିପିକା ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ । ଭୁଜବଳ ମଧ୍ୟ ନବରଙ୍ଗପୁରରୁ ପ୍ରାର୍ଥୀ ହୋଇଛନ୍ତି ।ଡାକ୍ତରୀ ପେଷାରୁ ରାଜନୀତିକୁ ଲମ୍ଫ ମାରିଥିବା ଲିପକା ନୂଆ କାହାଣୀ ଲେଖିବା ଲକ୍ଷ୍ୟରେ ।

ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସ୍ଥାନରେ ନିର୍ବାଚନ ଲଢୁଛନ୍ତି ଝିଅ ଡାକ୍ତର ଦେବସ୍ମିତା ଶର୍ମା ।ସେ ବି ଲିପିକାଙ୍କ ଭଳି ବାପାଙ୍କ ଯୋଗ୍ୟ ଝିଅ । ତେବେ  ୨୦୧୯ ନିର୍ବାଚନରେ ଏହି ଆସନରେ ଦଳୀୟ ପ୍ରାର୍ଥୀ ହାରିଥିଲେ ମଧ୍ୟ ଦେବସ୍ମିତାଙ୍କ ଆଗ୍ରହ ଦେଖି ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । 

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ଗତ ଥର ସୁନ୍ଦରଗଡ ବିଧାନସଭା ସିଟରୁ ପ୍ରାର୍ଥୀ ହୋଇଥିଲେ । ଏଥର ସେ ତଳସରା ପାଇଁ ଆଗ୍ରହୀ ଥିଲେ ମଧ୍ୟ ଦଳ ତାଙ୍କୁ ଝାରସୁଗୁଡା ଆସନରେ ପ୍ରାର୍ଥୀ କରିଛି । ଏପଟେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ଅଦାଲତି ପ୍ରତିବନ୍ଧକ ପରେ ଝିଅ ସୋଫିଆ ଫିରଦୌସ ସାମନାକୁ ଆସିଛନ୍ତି । ଦଳ ତାଙ୍କୁ ଯଦି ସୁଯୋଗ ଦିଏ  ତେବେ କଂଗ୍ରେସ ପ୍ରାର୍ଥୀ ସଂଖ୍ୟା ୪ରେ ପହଞ୍ଚିବ । 

ରାଜନୀତିରେ ବାପାଙ୍କ ବ୍ୟାକ୍‌ଗ୍ରାଉଣ୍ଡରୁ ଆସି ଟିକେଟ ପାଉଥିବା ଏହି ଝିଅ ମାନେ ଜିତିବାର ଟାର୍ଗେଟ୍‌ ରଖିଚନ୍ତି ନିଶ୍ଚୟ । କିନ୍ତୁ ରାଜନୀତିର ଅଗ୍ନିପରୀକ୍ଷାରେ କିଏ କେତେ ସଫଳ ତାହା କହିବ ସମୟ ।  

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.