ନୂଆଦିଲ୍ଲୀ,୧୯/୦୫: ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଆରମ୍ଭ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ଟି ଲୋକସଭା ଆସନରେ ମତଦାନ ଜାରି । ସକାଳ ୭ଟାରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସଂଧ୍ୟା ୬ଟା ଯାଏ ଚାଲିବ । ମୋଟ୍ ୪୯ ଆସନ ମଧ୍ୟରୁ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନଛି । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ଜାରି ରହିଛି । ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୮ କୋଟି ୯୫ଲକ୍ଷ ମତଦାତା ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିବେ । ଏଥିପାଇଁ ୯୪, ୭୩୨ଟି ମତଦାନ କେନ୍ଦ୍ର ପ୍ରସ୍ତୁତ ରହିଛି । ଅନ୍ୟପଟେ ଓଡ଼ିଶାର ୩୫ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି ।
ପଞ୍ଚମ ପର୍ଯ୍ୟାୟରେ ବହୁ ହେଭିଓ୍ବେଟ୍ ପ୍ରାର୍ଥୀଙ୍କ ପାଇଁ ଇଭିଏମରେ ଭୋଟ୍ ପଡ଼ିବ । ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଭାବେ ରାଜନାଥ ସିଂହ ଲକ୍ଷ୍ନୌରୁ, ସ୍ମୃତି ଇରାନୀ ଆମେଥିରୁ, ରାହୁଲ ଗାନ୍ଧୀ ରାଏବରେଲିରୁ, ପୀୟୂଷ ଗୋୟଲ ମୁମ୍ବାଇ ନର୍ଥରୁ ଆଦି ହେଭିଓ୍ବେଟ୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କୈସରଗଞ୍ଜରୁ ବିଜେପି ଟିକେଟରେ ଲଢ଼ୁଥିବା କରନ ଭୂଷଣ ସିଂହ, ହାଜିପୁରରୁ ଲଢ଼ୁଥିବା ଏଲ୍ଜେପି (ଆର)ର ଚିରାଗ ପାଶ୍ୱାନ, ମୁଜାଫରପୁର ରାଜଭୂଷଣ ଚୌଧୁରୀ ବିଜେପିରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ମହାରାଷ୍ଟ୍ରର କଲ୍ୟାଣରୁ ଲଢ଼ୁଥିବା ଡ. ଶ୍ରୀକାନ୍ତ ସିନ୍ଦେ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବାରାମୂଳାରୁ ଲଢ଼ୁଥିବା ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବ୍ଦୁଲ୍ଲାଙ୍କ ଭାଗ୍ୟ ବି ପରୀକ୍ଷା ଜାରି ରହିଛି ।