ହାଇ-ପ୍ରୋଫାଇଲ୍ ସିଟ୍‌ରେ ହେଭିଓ୍ବେଟ୍ ଲଢ଼େଇ; ରାଜନାଥ, ସ୍ମୃତି, ରାହୁଲ, ପୀୟୂଷଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ,୨୦/୦୫: ୨୦୨୪ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି । ସକାଳ ୭ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଲିବ ଭୋଟିଂ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ  ଅଞ୍ଚଳର ମୋଟ ୪୯ଟି ଲୋକସଭା ଆସନରେ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ରାଜନାଥ ସିଂହ, ସ୍ମୃତି ଇରାନୀ ଓ ପୀୟୂଷ ଗୋୟଲଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେହିଭଳି ୟୁପିର ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ହେବ ।  ରାଏବରେଲି ଆସନରୁ ସୋନିଆ ଗାନ୍ଧୀ ଲଗାତର ଜିତିଆସୁଥିଲା ବେଳେ ଏଥର ତାଙ୍କ ପୁତ୍ର ରାହୁଲ ଏଠାରୁ   ଲଢ଼ୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ  ଦିନେଶ ପ୍ରତାପ ସିଂହ । ସୋମବାର ଓଡ଼ିଶାର ୩୫  ବିଧାନସଭା ଆସନରେ ବି ଏକସଙ୍ଗେ ଭୋଟ୍‌ ପଡ଼ିବ । 

ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡ଼ଖଣ୍ଡର  ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀ ଭାବେ ଲକ୍ଷ୍ନୌ ଲୋକସଭା ଆସନରୁ ରାଜନାଥ ସିଂହ ଲଢ଼ୁଛନ୍ତି । ତାଙ୍କ ସାମ୍ନାରେ ସମାଜବାଦୀ ପାର୍ଟିରୁ ରବିଦାସ ମେହରୋତ୍ରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଅମେଥି ଆସନରୁ ସ୍ମୃତି ଇରାନୀ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ଗାନ୍ଧି ପରିବାରର ଘନିଷ୍ଠ କେ,ଏଲ ଶର୍ମାଙ୍କୁ ଟିକେଟ୍ ଦେଇଛି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । ସେହିପରି ଏହି ଆସନରୁ ନହ୍ନେ ସିଂହ ବିଏସପିରୁ ପ୍ରାର୍ଥୀ ହୋଅଛନ୍ତି । 

ପଞ୍ଚମ ପର୍ଯ୍ୟାୟରେ ଚର୍ଚ୍ଚିତ ଲୋକସଭା ଆସନ ରାଏବରେଲିରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଏହି ଆସନର ଉତ୍ତରପ୍ରଦେଶ ଏକମାତ୍ର ଆସନ ଯେଉଁଠି କଂଗ୍ରେସ ବିଜୟୀ ହୋଇଥିଲା । ୨୦୧୯ରେ ସୋନିଆ ଗାନ୍ଧି ଏଠାରୁ ବିଜୟୀ ହୋଇଥିଲେ । ୨୦୨୪ ନିର୍ବାଚନରେ ଏହି ଆସନକୁ ନିଜ ପୁଅ ରାହୁଲ ଗାନ୍ଧିଙ୍କ ପାଇଁ ଛାଡ଼ିଛନ୍ତି । ରାହୁଲଙ୍କ ସାମ୍ନାରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରଦାପ ସିଂହ ରହିଛନ୍ତି । 

ପୀୟୂଷ ଗୋୟଲ ହାଇପ୍ରୋଫାଇଲ୍ ସିଟ୍ ମୁମ୍ବାଇ ନର୍ଥରୁ ନିର୍ବାଚନ ଲଢ଼ୁଛନ୍ତି । ଗୋଏଲ ଏବେ ମହାରାଷ୍ଟ୍ର ବିଜେପିରୁ ରାଜ୍ୟସଭା ସଂସଦ ରହିଛନ୍ତି । ପୀୟୂଷଙ୍କ ବିରୋଧରେ କଂଗ୍ରେସ ଭୂଷଣ ପାଟିଲ୍ ରହିଛନ୍ତି । ବିଜେପିର କରନ ଭୂଷଣ ସିଂହ କୈସରଗଞ୍ଜରୁ,  ଏଲ୍‌ଜେପି (ଆର)ର ଚିରାଗ ପାଶ୍ୱାନ ହାଜିପୁରରୁ ଭାଗ୍ୟ ପରୀକ୍ଷା ହେଉଛି । ବିଜେପିର ରାଜଭୂଷଣ ଚୌଧୁରୀ ମୁଜାଫରପୁରରୁ ଲଢ଼ୁଥିବା ବେଳେ ବାରାମୂଳାରୁ ଲଢ଼ୁଛନ୍ତି ନ୍ୟାସନାଲ କନ୍‌ଫରେନ୍ସ  ନେତା ଓମାର ଅବ୍‌ଦୁଲ୍ଲା । ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ଟିଏମସି ଟିକେଟରେ  ଲଢ଼ୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ ଓ ଲକେଟ୍‌   ଚାଟାର୍ଜୀ ବିଜେପିରୁ ଭାଗ୍ୟ ପରୀକ୍ଷା ଚାଲିଛି । ରଚନା ପ୍ରଥମ ଥର ପାଇଁ ଲୋକସଭା  ନିର୍ବାଚନ ଲଢ଼ୁଥିବା ବେଳେ ଲକେଟ୍‌ ଏବେ ସାଂସଦ ରହିଛନ୍ତି । ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।   ପଞ୍ଚମ ପର୍ଯ୍ୟାୟରେ ୪୯ ଆସନ ପାଇଁ ମୋଟ ୬୯୫   ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୨% ମହିଳା ।  

ସୂଚନାଯୋଗ୍ୟ, ମେ ୨୫ରେ ଷଷ୍ଠ ଓ ଜୁନ୍‌ ୧ରେ  ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଷଷ୍ଠ  ପର୍ଯ୍ୟାୟରେ ୮ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳର  ମୋଟ ୫୭ ଆସନରେ ମତଦାନ ହେବାକୁ ଥିବା ବେଳେ  ଦୌଡ଼ରେ ୮୮୯ ପ୍ରାର୍ଥୀ ରହିଛନ୍ତି । ସପ୍ତମ ପର୍ଯ୍ୟାୟରେ  ବି ୫୭ ଆସନରେ ଭୋଟ ପଡ଼ିବ ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.