ନୂଆଦିଲ୍ଲୀ ୦୮।୦୭; ରାଜା ରଘୁବଂଶୀ ହତ୍ୟା ମାମଲା । ହନିମୁନରେ ପତ୍ନୀ ସୋନମ ରାଜା ରଘୁବଂଶୀଙ୍କୁ ହିଁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଅଭିଯୁକ୍ତ ସୋନମ ସମେତ ସୁପାରୀ କିଲରମାନଙ୍କୁ ବି ଗିରଫ କରିଥିଲା ପୋଲିସ । ପରକୀୟା ପ୍ରୀତି ଯୋଗୁ ହତ୍ୟାକାଣ୍ଡ ହୋଇଥିବା ନେଇ ସତ ଜଣାପଡ଼ିଥିଲା ।
ଏହି ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ତେବେ ହତ୍ୟାକାଣ୍ଡର ମୁଖ୍ୟ ସୋନମ ଓ ରାଜ୍ କୁଶୱାହାଙ୍କ ନାର୍କୋ ଟେଷ୍ଟ୍ କରିବାକୁ ଦାବି କରିଛନ୍ତି ରାଜାଙ୍କ ପରିବାର ଲୋକେ । ରାଜା ରଘୁବଂଶୀଙ୍କ ପରିବାର ଲୋକେ ଶିଲଂ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଛନ୍ତି । ପରିବାରଲୋକଙ୍କ ଅଭିଯୋଗ ଯେ, "ଏହି ମାମଲାର ତଦନ୍ତ ଅଧାରେ ରହିଛି । ଏମିତି ଅନେକ କଥା ଅଛି ଯାହାକୁ ସୋନମ ଓ ରାଜ୍ ଲୁଚାଉଛନ୍ତି । ଯଦି ନାର୍କୋ ଟେଷ୍ଟ୍ ପାଇଁ ହାଇକୋର୍ଟ ଅନୁମତି ନଦିଅନ୍ତି ତେବେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ।
କହିବାକୁ ଗଲେ, ଗତ ମେ ୨୧ତାରିଖରେ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ ରାଜା ରଘୁବଂଶୀ ଏବଂ ସୋନମ। ୨୩ ତାରିଖରେ ଉଭୟେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଜୁନ ୨ ତାରିଖରେ ମିଳିଥିଲା ରାଜା ରଘୁବଂଶୀଙ୍କ ମୃତଦେହ। ମେଘାଳୟ ପୋଲିସ ଏହି ମାମଲାର ଜୋରଦାର ଛାନଭିନ ଆରମ୍ଭ କରିଥିଲା। ସେଠାର ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା । ଏହା ପରେ ପୋଲିସର ତଦନ୍ତ ପରେ ସୋନମ ହିଁ ମର୍ଡର ପ୍ଲାନ କରିଥିବା ଜଣାପଡିଛି ।