ଜାରି ହେଲା ବିଶ୍ୱର ଶକ୍ତିଶାଳୀ Airforce ର ଲାଟେଷ୍ଟ ଲିଷ୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ ୭।୭:  ଏବେକା ଯୁଦ୍ଧରେ ଯେତିକି ଶକ୍ତି ପଦାତିକ ସେନା ଲାଗି ଦରକାର ସେତିକି ଆକାଶରେ ମଧ୍ୟ ଦରକାର। ବାୟୁସେନା ଏବେ କୌଣସି ଦେଶର ସାମରିକ ଶକ୍ତିର ନିର୍ଣ୍ଣାୟକ ଅଂଶବିଶେଷ ପାଲଟିଛି। ହୁଏତ ଏହା ସୁରକ୍ଷା ଦୃଷ୍ଟିରୁ ହୋଇପାରେ, ସାମରିକ ଆକ୍ରମଣ ପାଇଁ ହେଉ କି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ମଜଭୁତ ବାୟୁସେନା ନିହାତି ଆବଶ୍ୟକ। 

୨୦୨୫ର ତାଜା ତଥ୍ୟ ଅନୁସାରେ ମୋଟ ଯୁଦ୍ଧ ବିମାନ ସଂଖ୍ୟା ଆଧାରରେ  ଆମେରିକାର ଏୟାରଫୋର୍ସ କ୍ଷମତାରେ ବିଶ୍ୱର ୧ ନମ୍ବର ଦେଶ ହୋଇ ରହିଛି। ଏଥିରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରି ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଛି। ତେବେ ଆସନ୍ତୁ ଜାଣିବା ବିଶ୍ୱର ୧୦ ଶକ୍ତିଶାଳୀ ଏୟାରଫୋର୍ସଙ୍କୁ। 

ଆମେରିକାର ସବୁଠୁ ଶକ୍ତିଶାଳୀ ବାୟୁସେନା ରହିଛି। ଆମେରିକାର ମୋଟ ୧୪,୪୮୬ ଟି ସେନା ବିମାନ ଥିବା ବେଳେ ଏଥିରୁ ୫,୦୫୭ଟି ବାୟୁସେନାର, ୫,୭୧୪ଟି ସ୍ଥଳ ସେନାର, ୨,୪୩୮ଟି ନୌସେନାର ଓ ମେରିନ ଏବଂ ଅନ୍ୟ ୟୁନିଟର ୧,୨୭୭ଟି ବିମାନ ରହିଛି। ଏଫ-୨୨ ରାଫ୍ଟର, ଏଫ-୩୫ ଷ୍ଟିଲଥ୍ ଜେଟ୍, ବି-୨ ବମ୍ବର ଓ ସାରା ବିଶ୍ୱରେ ବ୍ୟାପି ରହିଥିବା ଅପରେସନ ଆମେରିକା ଏୟାରଫୋର୍ସକୁ ବିଶ୍ୱରେ ବାଦଶାହ ବନାଇଛି। 

ଆମେରିକା ପଛକୁ ଏୟାରଫୋର୍ସ କ୍ଷମତାରେ ଋଷିଆ ଦ୍ୱିତୀୟ ସ୍ଥାନରେ ରହିଛି। ଋଷିଆର ୪,୨୧୧ଟି ମିଲେଟ୍ରି ଏୟାରକ୍ରାଫ୍ଟ ରହିଛି। ଏଥିରୁ ୩,୯୦୮ଟି ଏୟାରଫୋର୍ସ ଯୁଦ୍ଧ ବିମାନ ଥିବା ବେଳେ ନୌସେନା ନିକଟରେ ୩୦୩ଟି ଯୁଦ୍ଧବିମାନ ରହିଛି। ଋଷିଆ ନିକଟରେ ଏସୟୁ-୫୭ ଭଳି ଶକ୍ତିଶାଳୀ ଫାଇଟର ଜେଟ୍ ଥିବାବେଳେ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଥିବା ବେଳେ ରଣନୈତିକ ଅନୁଭବ ଓ ଟେକ୍ନୋଲଜି ଋଷିଆକୁ ଏୟାରସ୍ପେସ୍‌ ମଜଭୁତ କରିଛି। 

୩,୩୦୪ଟି ଏୟାରକ୍ରାଫ୍ଟ ସହ ଚୀନ୍ ବିଶ୍ୱର ଶକ୍ତିଶାଳୀ ଏୟାରଫୋର୍ସ ସୂଚୀର ତୃତୀୟ ସ୍ଥାନରେ ରହିଛି। ଏଥିରେ ଏୟାରଫୋର୍ସର ୨,୦୧୦ଟି ବିମାନ ଥିବା ବେଳେ ସ୍ଥଳ ସେନାର ୮୫୯ ଓ ନୌସେନାର ୪୩୫ଟି ଏୟାରକ୍ରାଫ୍ଟ ରହିଛି। ଜେ-୨୦ ଷ୍ଟିଲଥ୍ ଫାଇଟର ଜେଟ୍ ଓ ଅତ୍ୟାଧୁନିକ ଡ୍ରୋନ ଚୀନ୍‌ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିଛି। 

ଏହି ତାଲିକାର ଚୁର୍ଥ ସ୍ଥାନରେ ରହିଛି ଭାରତ। ୨,୨୯୬ଟି ସାମରିକ ବିମାନ ଥିବା ବେଳେ ୧,୭୭୬ଟି ବାୟୁସେନା, ସ୍ଥଳ ସେନାର ୨୬୭ ଓ ନୌସେନାର ୨୫୩ଟି ବିମାନ ରହିଛି। ଭାରତୀୟ ବାୟୁସେନାରେ ସୁଖୋଇ-୩୦, ରାଫେଲ, ମିଗ୍-୨୯, ତେଜସ୍ ଓ ସି-୧୭ ଭଳି ଶକ୍ତିଶାଳୀ ବିମାନ ଅଛନ୍ତି। ସ୍ୱଦେଶୀ ମେନୁଫେକ୍ଚରିଂ, ମଜଭୁତ ଏୟାର ଡିଫେନ୍ସ ସିଷ୍ଟମ ଓ ରଣନୈତିକ କ୍ଷମତା ଭାରତକୁ ବୈଶ୍ୱିକ ବାୟୁଶକ୍ତିରେ ପରିଣତ କରିଛି। 

ଭାରତ ପଛକୁ ପଞ୍ଚମ ସ୍ଥାନରେ ଜାପାନ ଥିବା ବେଳେ ଷଷ୍ଠ ସ୍ଥାନରେ ପାକିସ୍ତାନ, ସପ୍ତମ ସ୍ଥାନରେ ଦକ୍ଷିଣ କୋରିଆ, ଅଷ୍ଟମ ସ୍ଥାନରେ ଇଜିପ୍ଟ, ନବମ ସ୍ଥାନରେ ତୁର୍କି ଓ ୧୦ମ ସ୍ଥାନରେ ଫ୍ରାନ୍ସ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.