ନୂଆଦିଲ୍ଲୀ ୧୪।୦୭; ଇଟାଲୀର ଲାମ୍ପେଦୁସା ଦ୍ୱୀପ ନିକଟରେ ପୁଣି ବଡ ଅଘଟଣ । ବୁଧବାର ଏଠାରେ ପ୍ରାୟ ୯୦ରୁ ଅଧିକ ପ୍ରବାସୀ ଭର୍ତ୍ତି ଡଙ୍ଗା ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଇଟାଲୀୟ ତଟରକ୍ଷୀ ବାହିନୀ ଏବଂ ଜାତିସଂଘ ଶରଣାର୍ଥୀ ସଂସ୍ଥା (UNHCR) ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ବଢ଼ିପାରେ ମୃତ୍ୟୁ ସଂଖ୍ୟା
ଇଟାଲୀରେ ଶରଣାର୍ଥୀ ପାଇଁ ସଂଯୁକ୍ତ ରାଷ୍ଟ୍ର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର କହିଛନ୍ତି ଯେ ୬୦ ଜଣ ବଞ୍ଚିଥିବା ଲୋକଙ୍କୁ ଲାମ୍ପେଦୁସାର ଏକ କେନ୍ଦ୍ରକୁ ଅଣାଯାଇଛି। ବଞ୍ଚିଥିବା ଲୋକଙ୍କ ଅନୁସାରେ, ଯେତେବେଳେ ଡଙ୍ଗାଟି ଲିବିଆ ଛାଡିଥିଲା, ସେତେବେଳେ ସେଥିରେ ୯୨ ରୁ ୯୬ ଜଣ ପ୍ରବାସୀ ଥିଲେ। ଅଧିକାରୀମାନେ ଏବେ ବି ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ତଟରକ୍ଷୀ ବାହିନୀ ଏକ ବିବୃତ୍ତିରେ କହିଛି ଯେ ମୃତ୍ୟୁ ସଂଖ୍ୟା ଏବେ ୨୬, କିନ୍ତୁ ଏହି ସଂଖ୍ୟା ଆଗକୁ ବଢ଼ିପାରେ।
ଏହି କାରଣରୁ ଦୁର୍ଘଟଣା
ଆନ୍ତର୍ଜାତୀୟ ପ୍ରବାସୀ ସଂଗଠନର ମୁଖପାତ୍ର ବଞ୍ଚିଥିବା ଲୋକଙ୍କ ବୟାନ ଆଧାରରେ କହିଛନ୍ତି ଯେ ଦୁଇଟି ଡଙ୍ଗାରେ ପ୍ରାୟ ୯୫ କି ୯୬ ଜଣ ପ୍ରବାସୀ ଲିବିଆ ଛାଡିଥିଲେ। ସେ କହିଛନ୍ତି ଯେ ଦୁଇଟି ଡଙ୍ଗା ମଧ୍ୟରୁ ଗୋଟିଏ ପାଣି ଭର୍ତ୍ତି ହେବା ପରେ, ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଡଙ୍ଗାକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ଫାଇବରଗ୍ଲାସରେ ତିଆରି ଥିଲା ଏବଂ ଏହା ଅଧିକ ଓଜନ ଯୋଗୁଁ ଓଲଟି ପଡ଼ିଥିଲା।
ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଭୂମଧ୍ୟସାଗରୀୟ ମାର୍ଗ ଦେଇ ଇଟାଲୀ ପହଞ୍ଚିବା ପାଇଁ ଚେଷ୍ଟା କରୁଥିବା ସମୟରେ ୬୭୫ ପ୍ରବାସୀ ମୃତ୍ୟୁବରଣ କରିଛନ୍ତି। UNHCR ତଥ୍ୟ ଅନୁଯାୟୀ, ୨୦୨୫ର ପ୍ରଥମ ଛଅ ମାସରେ ୩୦,୦୬୦ ଶରଣାର୍ଥୀ ଏବଂ ପ୍ରବାସୀ ସମୁଦ୍ର ପଥରେ ଇଟାଲୀରେ ପହଞ୍ଚିଥିଲେ, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୧୬ ପ୍ରତିଶତ ଅଧିକ।