ପାଟନାର ପାରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଲାଲୁ ଯାଦବ, ସାମ୍ନାକୁ ଆସିଲା ପ୍ରଥମ ଛବି

Published By : Prameya-News7 Bureau | April 02, 2025 IST

ପାଟନା ୨।୪: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବେ ଅସୁସ୍ଥ। ରକ୍ତ ସର୍କରା ବଢିବା ଯୋଗୁ ସେ ଅସୁସ୍ଥ ହୋଇପଡିଛନ୍ତି। ସେ ପାଟନାରେ ରାବଡି ନିବାସରେ ଡାକ୍ତରଙ୍କ ଦେଖରେଖରେ ଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ବୁଧବାର ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀ ନେବାର ଥିଲା। ତେବେ ରାବଡି ନିବାସରୁ ବାହାରିବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗଡିଯିବାରୁ ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଲାଲୁ ଦୁଇ ଦିନ ହେଲା ଅସୁସ୍ଥ, ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗଡି ଯାଇଛି। ଲାଲୁ ପ୍ରସାଦଙ୍କ ତାଜା ଛବି ଏବେ ଗଣମାଧ୍ୟମ ହସ୍ତଗତ ହୋଇଛି। ଯେଉଁଥିରେ ତାଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଓ ଅକ୍ସିଜେନ ମାକ୍ସ ଲାଗିଥିବାର ଦେଖାଯାଉଛି। ଲାଲୁ ଗତବର୍ଷ ଜୁଲାଇ ମାସରେ ଦିଲ୍ଲୀସ୍ଥିତ ଏମସ୍ ରେ ଭର୍ତ୍ତି ହୋଇଥିଲେ। ଗତ କିଛିବର୍ଷ ହେଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଭିନ୍ନ ରୋଗର ଚିକିତ୍ସା କରାଉଛନ୍ତି। ଏଥିରେ ୨୦୨୨ ମସିହାରେ ସିଙ୍ଗାପୁରରେ ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। 

୨୦୨୨ରେ ଲାଲୁ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କ ଘରେ ପଡି ଯାଇଥିଲେ। ଏଣୁ ତାଙ୍କର ଫ୍ୟାକ୍ଚର ହୋଇଥିଲା, ଏଥି ପାଇଁ ପାଟନାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯିବା ପରେ ଏୟାରଲିଫ୍ଟ କରି ତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ସେଠାରେ ଏମସରେ ତାଙ୍କର ପରବର୍ତ୍ତି ଚିକିତ୍ସା ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କର ଏଂଜିଓ ପ୍ଲାଷ୍ଟି ହୋଇଥିଲା। ମୁମ୍ବାଇରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ରାଞ୍ଚୀ ବିର୍ଷା ମୁଣ୍ଡା କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ବେଳେ ଲାଲୁଙ୍କ ହାର୍ଟ ସମ୍ପର୍କିତ ସମସ୍ୟା ସାମ୍ନାକୁ ଆସିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.