ହମ୍ପସରେ ବ୍ରେକ୍ ମାରିବାରୁ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରେଲର, ମହିଳା କନେଷ୍ଟବଳଙ୍କ ମୃତ୍ୟୁ

Published By : Prameya-News7 Bureau | July 05, 2025 IST

ରାୟଗଡ଼ା ୫।୭: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକ ଠାରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରେଲର । ଫଳରେ ସ୍କୁଟି ଚାଳକ ତଥା ମହିଳା କନେଷ୍ଟବଳଙ୍କର ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁ ହୋଇଛି । ମୃତକ ହେଲେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଲାବଣ୍ୟା ଗାଣ୍ଟା । ତାଙ୍କ ଘର ଖେଦାପଡ଼ା ପଞ୍ଚାୟତରେ । ଦୁର୍ଘଟଣା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ସ୍କୁଟି ଧକ୍କା ହେବାରୁ ବାଇକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଇକ୍‌ରେ ଥିବା ଦୁଇ ଜଣ ହେଲେ ବିଷମକଟକ ବ୍ଲକ ବେଠିଆପଡ଼ା ପଞ୍ଚାୟତର ମୁନିଗାଁର କାନ୍ତାରାଓ କାଡ୍ରାକା ଓ ସୁବାରାଓ କାଡ୍ରାକା ।  ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ଲାବଣ୍ୟା ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ବାହୁଡା ଯାତ୍ରା ଡ୍ୟୁଟିରେ ଆସୁଥିଲେ । ଉକ୍ତ ସମୟରେ ରାସ୍ତାରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ଦୁଇ ଜଣ ଆସୁଥିଲେ । ତେବେ ନିକଟସ୍ଥ ହମ୍ପସରେ ବ୍ରେକ୍‌ ମାରିବା ବେଳେ ପଛପଟୁ ସ୍କୁଟିକୁ ଟ୍ରେଲର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲାବଣ୍ୟା ସ୍କୁଟିରୁ ପଡିଯିବା ବେଳେ ଟ୍ରେଲର ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି । ବାଇକରେ ଆସୁଥିବା ଦୁଇ ଜଣ ଜେକେପୁରରୁ ଗାଁକୁ ଫେରୁଥିବା ପ୍ରକାଶ କରିଛନ୍ତି ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.