ଖଣ୍ଡଗିରି ଯାତ୍ରାରେ କମିଲା ସିଟ୍ ସଂଖ୍ୟା, ଭିଡ଼କୁ ଦେଖି ନିଷ୍ପତ୍ତି ନେଲା କମିଶନରେଟ୍ ପୋଲିସ

NEWS7
labourers-of-other-states-stranded-in-bhadrak-district

ଭୁବନେଶ୍ଵର: ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ଯୁଦ୍ଧ । ପ୍ରଥମ ପର୍ଯ୍ୟାୟରେ ଆଜି ୪ଟି ପେଣ୍ଡାଲରେ ନାଟକ ମଞ୍ଚସ୍ଥ କରିବେ ୪ ଅପେରା ପାର୍ଟି । ଏଥର ଅପେରା ଓ୍ବାର ଆରମ୍ଭରୁ ଯାତ୍ରା ରାଣୀ ସିଂହବାହିନୀର ଏଣ୍ଟ୍ରି ଅପେରା ମାହୋଲକୁ ସରଗରମ୍ କରିଛି । ଏହା ମଧ୍ୟରେ ଖଣ୍ଡଗିରି ଯାତ୍ରାରେ କମିଲା ସିଟ୍ ସଂଖ୍ୟା। ଏଥର ୧୮୦୦ ସିଟକୁ ମିଳିଛି ଅନୁମତି। ଗତବର୍ଷ ଅପେକ୍ଷା କମିଛି ସିଟ୍ ସଂଖ୍ୟା। ଭିଡ଼କୁ ଦେଖି ଏମିତି ନିଷ୍ପତ୍ତି ନିଆଯାଇଛି।

ମଞ୍ଚର ପରିସୀମା ଦେଖି ଦିଆଯାଇଛି ଲାଇସେନ୍ସ। ତେଆହୁରି କମିପାରେ ସିଟ୍ ସଂଖ୍ୟା। ଗୋଟିଏ ଲାଇନରୁ ଅନ୍ୟ ଲାଇନ ଚେୟାରକୁ ଦୂରତା ୩ ଫୁଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ଡିସିପି କରିବେ ଗାଇଡଲାଇନ୍ ଯାଞ୍ଚ୍। ଗତ ୨୫ତାରିଖରେ ପୋଲିସ ଦେଇଥିଲେ ୧୪ ସୂତ୍ରୀ ଗାଇଡଲାଇନ୍। ତେବେ ଏହି ନିଷ୍ପତ୍ତିକୁ ନେଇ ଯାତ୍ରା କମିଟି ଏବଂ ଯାତ୍ରା ମାଲିକଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

ଅନ୍ୟପଟେ ଜଲିଉଡ୍ ସେନ୍ସେସନ୍ ପୀୟୂଷ ତ୍ରିପାଠୀଙ୍କ ଅଭିନୀତ ନାଟକ ତୁ ମୋ ବଜରଙ୍ଗୀ ଦେଖିବା ଲାଗି ଦର୍ଶକଙ୍କ ଭିତରେ ରହିଛି ନାହିଁ ନଥିବା ଉତ୍କଣ୍ଠା । ଖାସ୍ ସେଇଥିପାଇଁ ତ ସକାଳୁ ସକାଳୁ ଟିକେଟ୍ କାଉଣ୍ଟର ଆଗରେ ଦେଖିବାକୁ ମିଳିଥିଲା ପୀୟୂଷ ଫ୍ୟାନ୍ଙ୍କ ଲମ୍ବା ଲାଇନ୍ । ଇନ୍ଦିରା ସାଂସ୍କୃତିକ ପରିଷଦ ଯାତ୍ରା କମିଟିର ଟିକେଟ୍ କାଉଣ୍ଟର ଆଗରେ ଜମିଥିଲା ଦର୍ଶକଙ୍କ ଭିଡ଼ । ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ତୁ ମୋ ବଜରଙ୍ଗୀ ନାଟକକୁ ରିପିଟ୍ କରିବ ଯାତ୍ରା ରାଣୀ ସିଂହବାହିନୀ ।

ସେହିଭଳି ସନାତନ ସେବା ସମିତି ଯାତ୍ରା କମିଟି ମଞ୍ଚରେ ଆଜିଠୁ କୋଣାର୍କ ଗଣନାଟ୍ୟ ଆରମ୍ଭ କରୁଛି ଏ ବର୍ଷର ସୁପର ହିଟ୍ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ । ଅନନ୍ତ କେଶରୀ ସାଂସ୍କୃତି ପରିଷଦ ମଞ୍ଚରେ ଧଉଳି ଗଣନାଟ୍ୟ ମଞ୍ଚସ୍ଥ କରିବ ନାଟକ ଚଣ୍ଡାଶୋକ । ସେହିଭଳି ହରେକୃଷ୍ଣ ମହତାବ ପେଣ୍ଡାଲରେ ଅପେରା ଅଶୋକ ସମ୍ରାଟ ମଞ୍ଚସ୍ଥ କରିବ ନାଟକ ଅଧା ରହିଗଲା ଆମ କାହାଣୀ । ନିଜ ପସନ୍ଦିତା କଳାକାର ଓ ସେମାନଙ୍କ ନାଟକ ଦେଖିବାକୁ ଟିକେଟ୍ କାଟି ପ୍ରସ୍ତୁତ ହେଲେଣି ଦର୍ଶକ । ଆଜି ଠାରୁ ପର୍ଯ୍ୟାୟକ୍ରମେ ୭ଟି ମଞ୍ଚରେ ନାଟକ ମଞ୍ଚସ୍ଥ କରିବେ ୧୫ ଅପେରା ପାର୍ଟି । ଫେବ୍ରୁଆରୀ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ମହାସମର ।

ଯାତ୍ରା ପେଣ୍ଡାଲଗୁଡ଼ିକରେ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଛି ଫାୟାର ମକ୍ ଡ୍ରିଲ୍ । ସବୁ ମଣ୍ଡପକୁ ନିୟନ୍ତ୍ରଣ କରିବା ଲାଗି ଗୋଟିଏ କଣ୍ଟ୍ରୋଲ ରୁମ୍ ରହିଛି । ଯାତ୍ରା କମିଟି ସଦସ୍ୟଙ୍କୁ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବହାର ପାଇଁ ତାଲିମ୍ ଦିଆଯାଇଛି । ଏଥି ସହ ପ୍ରତି ପେଣ୍ଡାଲରେ ନିୟୋଜିତ ହୋଇଛନ୍ତି ଜଣେ ଜଣେ ଅଗ୍ନିଶମ ବାହିନୀର କର୍ମଚାରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ଲାଗିଛି ରୋକ୍ । SOP ଉଲଂଘନ କଲେ NOC ବାତିଲ ପାଇଁ ମଧ୍ୟ ବିଏମସି ପକ୍ଷରୁ ଦିଆଯାଇଛି ଚେତାବନୀ ।

ସେପଟେ ଖଣ୍ଡଗିରି ପାହାଡ଼ରେ ସାଧୁ ସନ୍ଥଙ୍କ ଉପସ୍ଥିତିରେ ଚାଲିଛି ହୋମ ଯଜ୍ଞ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥଙ୍କ ସାନିଧ୍ୟ ଲାଭ କରିବାକୁ ଜମିଛି ଭିଡ଼ । ଭଳିକି ଭଳି ଦୋକାନର ପସରା ଖଣ୍ଡଗିରି ମେଳାକୁ କରିଛି ଲୋକରଣ୍ୟ ।