ନୂଆଦିଲ୍ଲୀ: କୋଲକାତା ‘ଲ’ କଲେଜରେ ମହିଳା ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରେ ଜଣେ ଶାସକ ଦଳର ନେତା ମଧ୍ୟ ସାମିଲ ଥିବା ସୂଚନା ମିଳିଛି। ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ୬ ମାସ ପୂର୍ବରୁ ଆର୍ଜି କର ମେଡିକାଲ କଲେଜରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯାହା ଦେଶ ବ୍ୟାପୀ ଆନ୍ଦୋଳନ ସୃଷ୍ଟି କରିଥିଲା। ଆଉ ଏବେ ‘ଲ’ କଲେଜ୍ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁସାରେ ମାମଲାର ଗିରଫ ହୋଇଥିବା ୩ ଜଣଙ୍କୁ ଗୁରୁବାର କୋଲକାତା ପୁଲିସ କୋର୍ଟରେ ହାଜର କରାଇଥିଲା। କୋର୍ଟ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟା ୭.୩୦ ରୁ ରାତି ୧୦.୫୦ ମଧ୍ୟରେ ଦକ୍ଷିଣ କଲିକତା ଆଇନ କଲେଜ ପରିସରରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପରେ ଦୁଇ ଛାତ୍ର ଏବଂ ଜଣେ କର୍ମଚାରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିଲା। କର୍ମଚାରୀ ଜଣକ କଲେଜର ପୂର୍ବତନ ଛାତ୍ର ଏବଂ ଶାସକ ତୃଣମୂଳ କଂଗ୍ରେସର ବର୍ତ୍ତମାନର ଛାତ୍ର ଶାଖା ନେତା ବୋଲି ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୪ ବର୍ଷୀୟା ମହିଳା ବୁଧବାର ଦିନ ପ୍ରାୟ ୧୨ ଟା ସମୟରେ ପରୀକ୍ଷା ସମ୍ବନ୍ଧୀୟ ଫର୍ମ ପୂରଣ କରିବା ପାଇଁ କଲେଜରେ ପହଞ୍ଚିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ପ୍ରଥମେ କଲେଜ ୟୁନିଅନ ରୁମ୍ ଭିତରେ ବସିଥିଲେ। ଏହା ଦେଖି ମୁଖ୍ୟ ଅଭିଯୁକ୍ତ ମୁଖ୍ୟ କଲେଜ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କ୍ୟାମ୍ପସରେ ସୁରକ୍ଷା କର୍ମୀଙ୍କ ରୁମ୍ ଭିତରେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା।
ମହିଳାଙ୍କ ଅଭିଯୋଗ ଉପରେ ଆଧାରିତ ଏଫଆଇଆର ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତମାନେ ହେଉଛନ୍ତି ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ର ଦକ୍ଷିଣ କୋଲକାତା ଜିଲ୍ଲାର ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ମନୋଜିତ ମିଶ୍ର (୩୧); ପ୍ରଥମ ବର୍ଷର ଛାତ୍ର ଜାଇବ ଅହମ୍ମଦ (୧୯) ଏବଂ ଅନ୍ୟ ଜଣେ ଛାତ୍ର ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀ (୨୫)।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଯୁବତୀ ଜଣଙ୍କ ମନା କରିଥିଲେ ଏବଂ ତାଙ୍କର ଜୀବନସାଥୀ ଅଛନ୍ତି ବୋଲି କହିଥିଲେ। ଏଥିରେ ସେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏବଂ ଭିଡିଓ ରେକର୍ଡିଂ କରି ଭାଇରାଲ୍ କରିବାକୁ ଧମକ ଦେଇଥିଲେ। ଗୋଡ଼ହାତ ଧରି ଥିଲେ ବି ଅଭିଯୁକ୍ତମାନେ ଶୁଣି ନଥିଲେ। ବରଂ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ହକି ଷ୍ଟିକ୍ରେ ମାଡ଼ ମାରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ଘଟଣାରେ ଦୁଇ ଅଭିଯୁକ୍ତ ମିସ୍ର ଓ ଅହମଦଙ୍କୁ ପୁଲିସ ଦକ୍ଷିଣ କୋଲକାତା କସବାର ସିଗନାଲ କ୍ରସିଂ ପାଖରୁ ଗିରଫ କରିଥିଲା। ସେହିପରି ତୃତୀୟ ଅଭିଯୁକ୍ତ ମୁଖାର୍ଜୀକୁ ରାତି ପ୍ରାୟ ୧୨.୩୦ରେ ତା ଘରୁ ଗିରଫ କରାଯାଇଥିଲା। ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏନେଇ ବିଜେପି ଟିଏମ୍ସିକୁ ଟାର୍ଗେଟ୍ କରିଥିବା ବେଳେ ଟିଏମ୍ସି ବିଜେପିକୁ ସମାଲଚୋନା କରିଛି।