ଅଶ୍ଲୀଳ ଓ ଅଭଦ୍ର କଣ୍ଟେଣ୍ଟ ଉପରେ ନିଅ କାର୍ଯ୍ୟାନୁଷ୍ଠାନ...ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକୁ ସରକାରଙ୍କ ଚେତାବନୀ

NEWS7
know-your-horoscope-for-wednesday-22nd-january-2025

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ୍ ମିଡିଆ କମ୍ପାନିକୁ ବଡ଼ ଚେତାବନୀ ଦେଇଛନ୍ତି । ସରକାର ଅଶ୍ଲୀଳ, ଅଭଦ୍ର ସାମଗ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହାସହ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ବେଆଇନ ସାମଗ୍ରୀ ଉପରେ ମଧ୍ୟ ଆକ୍ସନ ନେବାକୁ କହିଛନ୍ତି । ଆଦେଶ ଅବମାନନା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକ ଆଇଟି ଅଧିନିୟମ ଧାରା ୭୯ ଅଧିନରେ ଆଦେଶ ଅନୁପାଳନ ପାଇଁ ବାଧ୍ୟ ଅଟନ୍ତି । ସେମାନେ ନିଜ ପ୍ଲାଟଫର୍ମ ଉପରେ ଅଶ୍ଲୀଳ ଓ ଅଭଦ୍ର କଣ୍ଟେଣ୍ଟ ଉପଲୋଡ୍ କରିପାରିବେ ନାହିଁ ।

ମନ୍ତ୍ରଣାଳୟ ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକୁ ନିଜ ସାଇଟ୍‌ର ସମୀକ୍ଷା କରିବା ଓ ଫ୍ଲାଟଫର୍ମ ଉପରେ ଅଶ୍ଲୀଳ ଏବଂ ଅଭଦ୍ର କଣ୍ଟେଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି । ଏପରି ନକରିବା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିପାରେ ବୋଲି ମନ୍ତ୍ରଣାଳୟ ଚେତାଇ ଦେଇଛି । ମନ୍ତ୍ରଣାଳୟର ଏହି ଆଦେଶ ଏପରି ସମୟରେ ଆସିଛି, ଯେତେବେଳେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅଶ୍ଲୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁନାହାନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୂଚନା ପ୍ରଯୁକ୍ତିବିଦ୍ୟ ନିୟମ, ୨୦୨୧ର ପ୍ରାବଧାନ ପାଳନ ନକରିବା କ୍ଷେତ୍ରରେ ସୋସିଆଲ୍ ମିଡିଆ କମ୍ପାନି ବିରୁଦ୍ଧରେ ଆଇଟି ଅଧିନିୟମ, ବିଏନ୍‌ଏସ୍ ଓ ଅନ୍ୟ ଅପରାଧିକ ଆଇନ ଅଧିନରେ କାର୍ଯ୍ୟାନୁଷ୍ଠାନ କରାଯିବ ।