ଦେଶର ଗ୍ରାମୀଣଙ୍କୁ ରାହୁଲ ଗାନ୍ଧି ଓ ଖଡଗେଙ୍କ ପତ୍ର, ଜାଣନ୍ତୁ ଲେଖିଛନ୍ତି କ’ଣ?

NEWS7
know-your-horoscope-for-thursday-8th-february-2024

ନୂଆଦିଲ୍ଲୀ ୧୯।୧: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମନରେଗା ସ୍ଥାନରେ ଅଣାଯାଇଥିବା ‘ବିକଶିତ ଭାରତ ଜୀ-ରାମ-ଜୀ’ ଅଧିନିୟମକୁ ବିରୋଧ କରି ଦେଶର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେମାନେ ଲେଖିଛନ୍ତି ଯେ ଦେଶର ଗ୍ରାମାଞ୍ଚଳର ଲୋକଙ୍କ ଲାଗି କାମ ଏବେ ‘ରେବଡି’ ହୋଇଯିବ, ସରକାର ଯାହାକୁ ଚାହିଁବେ ତାକୁ କାମ ମିଳିବ ଓ ଏବେ ଏହା ଆଉ ଲୋକଙ୍କ ଅଧିକାର ହୋଇ ରହିବନି।

ଗ୍ରାମବାସୀଙ୍କୁ ଲେଖିଥିବା ପତ୍ରରେ କଂଗ୍ରେସ ବରିଷ୍ଠ ନେତାମାନେ କହିଛନ୍ତି ଯେ ଲୋକଙ୍କ କାମ କରିବାର ଅଧିକାରକୁ ଚୋରି କରାଯାଇଛି ଓ ଏହାକୁ ନୂଆ ଆଇନ ରୂପେ ରାଜ୍ୟଙ୍କ ଉପରେ ଆର୍ଥିକ ବୋଝ ଲଦି ଦିଆଯାଇଛି। ଖଡଗେ ଓ ରହୁଲଙ୍କ ଏହି ପତ୍ର କଂଗ୍ରେସର ଦେଶବ୍ୟାପୀ ‘ମନରେଗା ବଞ୍ଚାଅ’ସଂଗ୍ରାମର ଅଂଶବିଶେଷ ଓ ଏଥିରେ ପୂର୍ବରୁ ଥିବା ଆଇନ ଲାଗୁ କରିବାକୁ ଦାବି କରାଯାଇଛି। ଏହି ଅଭିଯାନ ସାରା ଦେଶରେ ଜାନୁୟାରୀ ୧୦ ତାରିଖରୁ ଆରମ୍ଭ ହୋଇଥିଲା ଓ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ କଂଗ୍ରେସ ତାର ସବୁ ରାଜ୍ୟ ୟୁନିଟ୍ ମୁଖ୍ୟଙ୍କୁ ଏହି ପତ୍ର ଅନୁବାଦ କରି ଗ୍ରାମାଞ୍ଚଳର ଲୋକଙ୍କୁ ବିତରଣ କରିବାକୁ କହିଛି।

ପତ୍ରରେ କୁହାଯାଇଛି ଯେ ୨୦ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସଂପ୍ରଗ ସରକାର ମହାତ୍ମା ଗାନ୍ଧି ରାଷ୍ଟ୍ର୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନରେଗା) ଲାଗୁ କରି କାମ କରିବାର ସାମ୍ବିଧାନିକ ଅଧିକାରକୁ ଜୀବନ୍ତ କରିଥିଲେ। ଦେଶରେ ଏହି ଯୋଜନା ୧୮୦ କୋଟିରୁ ଅଧିକ ଦିନର କାମ ସୃଜନ କରିଥିଲା। ଦେଶର ଗ୍ରାମାଞ୍ଚଳମାନଙ୍କରେ ଯୋଜନାରେ ୧୦ କୋଟି ସମ୍ପତ୍ତି ତିଆରି କରାଯାଇ ପାରିଥିଲା। ଏଥିରେ ଗ୍ରାମ୍ୟ ସ୍ତରର ପ୍ରକଳ୍ପ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଗ୍ରାମପଞ୍ଚାୟତକୁ ସଶକ୍ତ କରି ପଞ୍ଚାୟତୀରାଜ ବ୍ଯବସ୍ଥାକୁ ମଜଭୁତ କରାଯାଇଥିଲା।

ଏହି ଯୋଜନାରେ ସାରା ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ହାତକୁ କାମ ଯୋଗାଇ ଦେବା ଏକ ଆଇନଗତ ଗ୍ୟାରେଣ୍ଟି ଥିଲା। କୌଣସି ଗ୍ରାମପଞ୍ଚାୟତରେ କାମ ମାଗୁଥିବା ଯେ କୌଣସି ପରିବାରକୁ ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆଯାଉଥିଲା। ଏବେ ଲୋକଙ୍କର ଏହି ଅଧିକାର ଆଉ ରହିବ ନାହିଁ, ମୋଦି ସରକାରଙ୍କ ନିଷ୍ପତ୍ତି ଅନୁସାରେ ‘ରେବଡୀ’ ଦିଆଯିବ। କଂଗ୍ରେସ ନେତାମାନେ ପତ୍ରରେ ଲେଖିଛନ୍ତି ଯେ ବିନା କୌଣସି ଗ୍ୟାରେଣ୍ଟିରେ ବାର୍ଷିକ ସଂଶୋଧନ ସହିତ ବେତନ ମନଇଛା ଧାର୍ଯ୍ୟ କରାଯିବ। ଏହି ଯୋଜନା ଦେଶରେ ଚାଷବାସ ସମୟରେ କାର୍ଯ୍ୟକାରୀ ହେବନି। ଏଣୁ ଶ୍ରମିକଙ୍କୁ ଅନ୍ୟ କାମ ଖୋଜିବାକୁ ବାଧ୍ୟ କରାଯିବ। ଖଡଗେ ଓ ରାହୁଲ କହିଛନ୍ତି ଯେ ଗ୍ରାମପଞ୍ଚାୟତର ଶକ୍ତିକୁ ଠିକାଦାରଙ୍କ ହାତରେ ନ୍ୟସ୍ତ କରିଦିଆଯିବ।