LIVE TV

ଧାନ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ

NEWS7
know-your-horoscope-for-sunday-4th-may-2025

ଜଳେଶ୍ୱର ୨୯।୧୦ : ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ଛିଡ଼ା ହୋଇଥିବା ଧାନ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା ଡଲ୍‌ଫିନ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଏକ ଧାନ ବୋଝେଇ ଟ୍ରକଟି ଯାନ୍ତ୍ରିକ ତ୍ରୁଟି ଲାଗି ରାସ୍ତା କଡ଼ରେ ଛିଡ଼ା ହୋଇଥିଲା । ବିଳମ୍ବିତ ରାତିରେ ଢେଙ୍କାନାଳ ନୃସିଂହପୁରରୁ କଲିକତା ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲା ଡଲ୍‌ଫିନ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ । ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଯାହାଫଳରେ ବସ୍‌ର ସମ୍ମୁଖ ଭାଗ କ୍ୟାବିନଟି ପୁରା ଭାବେ ଚାଲି ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍‌ପରଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଛି । ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୭ରୁ ଜଣ ଗୁରୁତର ହୋଇଛନ୍ତି ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଯାତ୍ରୀଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଦ୍ୱାରା ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଦୁଇ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ହେଲେ ଡ୍ରାଇଭର ଅବଦୁଲ ରହିମ ଓ ହେଲ୍ପର ନୃସିଂହ କାଠୁଆ। ଜଳେଶ୍ୱର ପୋଲିସର ତଦନ୍ତ ଜାରୀ।