ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍, ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ

NEWS7
know-what-said-jaya-kishori-on-her-marriage

ଭୁବନେଶ୍ବର ୧୫।୩: ଦଳୀୟ ଶୃଙ୍ଖଳା ଅବମାନନା ନେଇ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ଚିଠି । ଚିଠି ଲେଖିଛନ୍ତି ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ।

ଚିଠିରେ ଲେଖାଅଛି,

ଆସନ୍ତା ୧୬ ମାର୍ଚ୍ଚ ଅନୁଷ୍ଠିତ ହେଉଥିବା ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୁବନେଶ୍ଵରରେ ରହିବା ନିମନ୍ତେ ହ୍ବିପ୍ ଜାରି କରାଯାଇଥିବା ଆପଣ ଜାଣନ୍ତି I

ତେବେ ଗତ ୮ ମାର୍ଚ୍ଚ ୨୦୨୬ରୁ ଏ ଯାଏ ସପ୍ତାହେ କାଳ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଚେଷ୍ଟା କରୁଛନ୍ତି, ଅଥଚ ଆପଣ ମିଳୁନାହାନ୍ତି I ଏଆଇସିସି ଓଡ଼ିଶା ଇନ୍-ଚାର୍ଜ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଆପଣଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି । କେବଳ ସେତିକି ନୁହେଁ, ଆପଣଙ୍କ ଭୁବନେଶ୍ଵ ସ୍ଥିତ ବାସଭବନ ଓ ଆପଣଙ୍କ ଗ୍ରାମରେ ମଧ୍ୟ ଆପଣଙ୍କୁ ବହୁବାର ଖୋଜିବାକୁ ଚେଷ୍ଟା କରାଯାଇଥିଲା I ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ରହସ୍ୟମୟ ଭାବେ ଉଭାନ ହୋଇଯିବା ଦ୍ଵାରା ରାଜ୍ୟବାସୀଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି । ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ମିଳିତ ଭାବେ କଂଗ୍ରେସ-ବିଜେଡି-ସିପିଆଇ(ଏମ୍) ଜିତାଇବାକୁ ଚେଷ୍ଟା କରୁଥିବା ବେଳେ ଆପଣଙ୍କ ଖୋଜୁଖବର ନ ଥିବା ନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ଦ୍ଵାରା ରାଜ୍ୟବାସୀଙ୍କ ମନରେ ଅହେତୁକ ଦ୍ବନ୍ଦ୍ବ ସୃଷ୍ଟି ହେଉଛି ।

ଆପଣଙ୍କ ଇଚ୍ଛା ବିରୋଧରେ କେହି ଆପଣଙ୍କୁ ଅପହରଣ କରି ନେଇଥିବା ବିଷୟରେ ମଧ୍ୟ ଆପଣଙ୍କ କୌଣସି ନିକଟତମ ମହଲରୁ ସୂଚନା କିମ୍ବା ଅଭିଯୋଗ ନ ଥିବାରୁ ଆପଣ ସ୍ଵଇଚ୍ଛାରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି I ଆପଣ ଯେ ନିଜକୁ ଦଳରୁ ଦୂରେଇ ନେବାକୁ ଚାହିଁଛନ୍ତି, ଆପଣଙ୍କ ଏତାଦୃଶ କାର୍ଯ୍ୟକଳାପରୁ ସୂଚନା ମିଳୁଛି ।

ଏଣୁକରି ଆଜି ୧୫ ମାର୍ଚ୍ଚ ୨୦୨୬ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଆପଣ ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜର ପୂର୍ବକ ଆପଣଙ୍କ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରା ନ ଯିବ, ତା'ର ଉତ୍ତର ଦେବାକୁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣଙ୍କ ନ ଆସନ୍ତି କିମ୍ବା ଆପଣଙ୍କ ଠାରୁ ସନ୍ତୋଷଜନକ ଲିଖିତ ଉତ୍ତର ନ ମିଳେ, ଆପଣଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବାଧ୍ୟ ହେବ ।